• ମେ’ ୧୫ ଯାଏଁ ଆବେଦନ, ମେ’ ୩୧ରେ ଅନଲାଇନ ପ୍ରବେଶିକା ପରୀକ୍ଷା
  • ଛାତ୍ରଛାତ୍ରୀମାନେ ୧୦ଟି ବିଷୟରେ ନାମଲେଖାଇ ପାରିବେ

ଭୁବନେଶ୍ୱର, ୨।୫ : ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୬-୨୭ ମାର୍ଚ୍ଚ ସେସନ ନାମଲେଖା ପାଇଁ ଅନଲାଇନ ଆବେଦନର ସମୟସୀମା ବୃଦ୍ଧି କରାଯାଇଛି। ଏହା ମେ’ ୧୫ ତାରିଖ ଯାଏଁ ଚାଲିବ। ଛାତ୍ରଛାତ୍ରୀମାନେ 'ସ୍କୁଲ ଅଫ୍ ଇଞ୍ଜିନିୟରିଂ' ଏବଂ 'ସ୍କୁଲ ଅଫ୍ ସର୍ଭିସେସ୍' ପାଠ୍ୟକ୍ରମ ଅଧୀନରେ ମୋଟ ୧୦ଟି ବିଷୟରେ ନାମଲେଖାଇ ପାରିବେ। ମେ’ ୩୧ ତାରିଖରେ ଅନଲାଇନ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଶ୍ୱ ଦକ୍ଷତା କେନ୍ଦ୍ର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାପରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ପରେ ଜୁନ୍ ମାସରୁ ପାଠପଢ଼ା ଆରମ୍ଭ ହେବ।

ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଅଧୀନରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍, ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ୍, ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍ (ଲିଫ୍ଟ ଟେକ୍ନୋଲୋଜି) ଏବଂ ପ୍ରିସିସନ ଇଞ୍ଜିନିୟରିଂ ସହ ନୂଆ କରି ଆରମ୍ଭ ହେବାକୁ ଯାଉଥିବା ଡିଜିଟାଲ ଆନିମେସନ ବିଷୟ ରହିଛି। ଏହିସବୁ ଅତ୍ୟାଧୁନିକ ବିଷୟରେ ନାମଲେଖା ପାଇଁ ପ୍ରାର୍ଥୀମାନେ ଯେକୌଣସି ସରକାରୀ କିମ୍ବା ଘରୋଇ ଶିଳ୍ପ ତାଲିମ କେନ୍ଦ୍ର ତଥା ବୈଷୟିକ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ, ୩ ବର୍ଷିଆ ଡିପ୍ଲୋମା, ବି.ଇ କିମ୍ବା ବି.ଟେକ୍ କରିଥିବା ଆବଶ୍ୟକ।

ସେହିପରି ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଥିବା ଅତ୍ୟାଧୁନିକ ‘ବ୍ୟୁଟି ଆଣ୍ଡ ୱେଲନେସ୍’ ପାଠ୍ୟକ୍ରମ ସହ ହସ୍ପିଟାଲିଟି ଓ ହୋଟେଲ ଅପରେସନ ଏବଂ ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ ମ୍ୟାନେଜମେଣ୍ଟ ଭଳି ଦୁଇଟି ନୂଆ ବିଷୟରେ ନାମଲେଖା ହେବ। ଏଥିପାଇଁ ପ୍ରାର୍ଥୀମାନେ ଯୁକ୍ତ ୨, ସଂପୃକ୍ତ ବିଷୟରେ ଆଇଟିଆଇ କିମ୍ବା ଡିପ୍ଲୋମା କରିଥିବା ଆବଶ୍ୟକ।

ଚଳିତବର୍ଷ ବିଶ୍ୱ ଦକ୍ଷତା କେନ୍ଦ୍ର ନାମଲେଖା ପ୍ରକ୍ରିୟାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ବାହାର ପ୍ରାର୍ଥୀଙ୍କ ପାଇଁ ୧୦ ପ୍ରତିଶତ ସିଟ୍ ସଂରକ୍ଷଣ କରିବାକୁ ବ୍ୟବସ୍ଥା କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ୍ www.worldskillcenter.orgରେ ପଞ୍ଜୀକରଣ କରି ନିଜ ପସନ୍ଦର ବିଷୟରେ ନାମଲେଖା ପାଇଁ ଅନଲାଇନ ଆବେଦନ କରିପାରିବେ। ନାମଲେଖା ବିଷୟରେ ଅଧିକ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ୧୮୦୦ ୨୬୬ ୬୦୦୨ ଟୋଲ ଫ୍ରି ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ।

​​​​​​​

ଶିକ୍ଷିତ ଯୁବଗୋଷ୍ଠୀଙ୍କର ଦକ୍ଷତା ବିକାଶ କରିବା ଲାଗି ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ୨୦୨୧ ମସିହାରେ ଭୁବନେଶ୍ୱରଠାରେ ‘ୱାର୍ଲ୍ଡ ସ୍କିଲ ସେଣ୍ଟର’ ସ୍ଥାପନ କରାଯାଇଥିଲା। ସିଙ୍ଗାପୁରସ୍ଥିତ ‘ଆଇଟିଇ ଏଜୁକେସନ ସର୍ଭିସେସ’ର ବୈଷୟିକ ସହଯୋଗରେ ଏହି ଅନ୍ତର୍ଜାତୀୟ ଦକ୍ଷତା ବିକାଶ କେନ୍ଦ୍ରରେ ବିଭିନ୍ନ ଦକ୍ଷତା ବିଷୟରେ ତାଲିମ ଦିଆଯାଇଥାଏ। ଶିକ୍ଷା ଓ ତାଲିମ ଶେଷ ହେବା ପରେ ଛାତ୍ରଛାତ୍ରୀମାନେ କିପରି ଦେଶ ବିଦେଶର ବିଭିନ୍ନ ପ୍ରମୁଖ ସଂସ୍ଥାରେ ନିଯୁକ୍ତି ପାଇପାରିବେ ସେଥିପାଇଁ ପ୍ଲେସମେଣ୍ଟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।