ଭୁବନେଶ୍ୱର,୦୫/୦୪: ଶୁକ୍ରବାର  ବିଳମ୍ବିତ ରାତିରେ ନିଃସନ୍ତାନ ଦମ୍ପତିଙ୍କ ଉଦ୍ଦେଶ୍ୟରେ ନିଲାମ କରାଯାଇଛି ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ମରିଚୀ କୁଣ୍ଡ ପାଣି ।  ଏଥର ଏହି ନିଲାମି ପକ୍ରିୟାରେ ପ୍ରାୟ ୧୦୦  ଦମ୍ପତି ଅଂଶ ଗ୍ରହଣ କରିଥିଲେ । ରାତିରେ ଏଠାକାର ପ୍ରଥମ ଗରା ପାଣି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ନୀତି ନିମନ୍ତେ ବଡୁ ନିଯୋଗ ସେବାୟତ  ମାନେ ନେଇଥିଲେ । ରଥ ପ୍ରତିଷ୍ଠା ନୀତି ସମାପନ ହେଲାପରେ ମରିଚୀ କୁଣ୍ଡ ପାଣି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।  

ନିଲାମରେ ଅଂଶ ଗ୍ରହଣ କରିଥିବା ଦମ୍ପତିଙ୍କ ମଧ୍ୟରୁ ପ୍ରଥମେ କଟକ ଦାମୋଦରପୁରର ଜ୍ୟୋତ୍ସ୍ନା ମହାରଣା  ୨୧୦୦୧ ଟଙ୍କାରେ ପହିଲି ଗରା ନେଇ ସ୍ନାନ କରିଥିଲେ । ଦ୍ୱିତୀୟ ଗରା ଓ ତୃତୀୟ  ଗରା ପାଣି ନିଲାମ ଦର ଶେଷ ହେବା ପରେ ଏକ ସର୍ବନିମ୍ନ ଦରରେ ଅବଶିଷ୍ଟ ଅପେକ୍ଷାରତ ଦମ୍ପତ୍ତିଙ୍କୁ ପାଣି ଗରା ଦିଆ ଯାଇଥିଲା ବୋଲି ବଡୁ ନିଯୋଗ ସେବାୟତ  ମାନେ କହିଛନ୍ତି । ଏଠାରେ ମହିଳା ମାନେ ଗାଧୋଇବା ଲାଗି ବିଏମସି ପକ୍ଷରୁ ଅସ୍ଥାୟୀ ଗାଧୁଆ ଘର ଓ ମନ୍ଦିର ପରିସର ଆଲୋକୀ କରଣ କରାଯାଇଥିଲା । ନିଲାମ ଡାକ ତଥା ନିଲାମରେ ଅଂଶଗ୍ରହଣକାରୀଙ୍କ ସୁରକ୍ଷା ନିମନ୍ତେ ୩ ଅଫିସରଙ୍କ ନେତୃତ୍ୱରେ ଗୋଟିଏ ପ୍ଳାଟୁନ ଫୋର୍ସ ମୁତୟନ  କରାଯାଇଥିଲା । ବିଧି ମୁତାବକ ଏହି  ନିଲାମରେ ଅଂଶ ଗ୍ରହଣ କରିବା ପୂର୍ବରୁ ସମସ୍ତେ ଶ୍ରୀଲିଙ୍ଗରାଜଙ୍କ ଠାରେ ଗୁଆ ନଡ଼ିଆ  ବସାଇ ସଂକଳ୍ପ କରିଥିଲେ । ଏହା ପରେ ଆଜ୍ଞା ପ୍ରସାଦ ପାଇ ନିଲାମରେ ସାମିଲ ହୋଇଥିଲେ । 

ସୂଚନାଯୋଗ୍ୟ ମରିଚୀ କୁଣ୍ଡ  ପାଣିରେ ସ୍ନାନ କଲେ ନିଃସନ୍ତାନ ସନ୍ତାନପ୍ରାପ୍ତି  କରିବା ବିଶ୍ୱାସ କାହିଁ କେଉଁ ଆବହମାନ କାଳରୁ ରହି ଆସିଛି । ତେଣୁ ପ୍ରତିବର୍ଷ  ଅଶୋକାଷ୍ଟମୀ ପୂର୍ବ ରାତିରେ ଏହି ପବିତ୍ର  ଜଳର ନିଲାମ ଡକାଯାଇଥାଏ ।

ଶନିବାର ପବିତ୍ର ଅଶୋକାଷ୍ଟମୀ: ରଥାରୂଢ଼ ହେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳ ଗୋବିନ୍ଦ ଓ ରୁକ୍ମିଣୀ