ମାଲକାନଗିରି, ୨୯/୪ : ମାଲକାନଗିରି ଏଡିଜେ କୋର୍ଟ ଜଣେ ଗଞ୍ଜେଇ ଚୋରା ଚାଲାଣ କାରିକୁ ୧୫ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁଯାୟୀ ଗତ ୨୦୧୮ ମାର୍ଚ୍ଚ ୨୬ତାରିଖରେ ମାଲକାନଗିରି ଜିଲ୍ଲା ଓରକେଲ ଥାନାସ୍ଥ ଚିତ୍ରକୋଣ୍ଡା ଘାଟି ନିକଟରେ ଏକ ଲୁଣ ବୋଝଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବାର ନାର୍କ କଣ୍ଟ୍ରୋଲ ବ୍ୟୁରୋ (ଏନସିବି )ଖବରପାଇ ଜଗିଥିଲେ। ଟ୍ରକ ଟିକୁ ଅଟକାଇବାବେଳେ ଡ୍ରାଇଭର ଟ୍ରକ ଛାଡ଼ି ଦୌଡ଼ି ପଳାଇ ଫେରାର ହୋଇଯାଇଥିବାବେଳେ ଟ୍ରକରେ ଥିବା ଅନ୍ୟ ଏକ ଲୋକକୁ କାବୁ କରି ନେଇଥିଲେ।
ଟ୍ରକକୁ ଯାଞ୍ଚ କରିବାରୁ ଲୁଣ ବସ୍ତା ତଳେ ୫୪ବସ୍ତା ଗଞ୍ଜେଇ ଥିବା ଦେଖି ଟ୍ରକ୍ ଗଞ୍ଜେଇ ଜବତ ସହ ଜଣେ ବ୍ୟକ୍ତିକୁ ଗିରଫ କରି ଥାନାକୁ ନେଇ ଗଞ୍ଜେଇ ଓଜନ କରିବାରୁ ୧୫କୁଇଣ୍ଟାଲ ୯୮କେଜି ଗଞ୍ଜେଇ ହୋଇଥିଲା। ଗିରଫ ବ୍ୟକ୍ତିକୁ ପଚରାଉଚରା କରିବାରୁ ଜଣାପଡ଼ିଥିଲାକି ଆନ୍ଧ୍ରପ୍ରଦେଶ ଦେବନଗର ଗାଁର ଶାନ୍ତି ସୁରେଶ ଓ ଡ୍ରାଇଭର ମୁଗି ଭେଙ୍କଟ ସୁରୁ ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ କ୍ରୟ କରି ଛତିଶଗଡ଼ ରାଇପୁରକୁ ଲୁଣ ବୋଝଇ ଟ୍ରକରେ ଚାଲାଣ ଲାଗି ନେଉଥିଲେ । ଡ୍ରାଇଭର ଫେରାର ହୋଇଥିବାବେଳେ ଶାନ୍ତି ସୁରେଶକୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯାଇଥିଲା । ସେହି କେସର ଶୁଣାଣି ଆଜି ମାଲକାନଗିରି ଏଡିଜେ ସ୍ପେଶାଲ କୋର୍ଟରେ ଥିଲା । ଏଡିଜେ ଶାନ୍ତନୁ ଦାଶ ମୋଟ ୬ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଗଞ୍ଜେଇ ଚାଲାଣକାରି ଶାନ୍ତି ସୁରେଶକୁ ୧୫ବର୍ଷ ସଶ୍ରମ କାରାଦଣ୍ଡ ସହ ୧ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ମାସ କାରାଦଣ୍ଡରେ ଦଣ୍ଡିତ ହେବେ ବୋଲି ରାୟ ଶୁଣାଇଛନ୍ତି । ଏହି କେସଟିକୁ ସ୍ୱତନ୍ତ୍ର ସରକାରୀ ଓକିଲ ବିଜୟ ମହାନ୍ତି ପରିଚାଳନା କରିଥିଲେ।