ବୌଦ୍ଧ,୪।୧୨(ଆପ୍ର): ଦୁଷ୍ଟ ଶକ୍ତିକୁ ପ୍ରତିହତ କରିବା ପାଇଁ ଅଶ୍ଳୀଳ ଭାଷାର ପ୍ରୟୋଗ କରିବାକୁ ହୁଏ । ଅଶ୍ଳୀଳ ଗୀତ ଗାଇବାକୁ ହୁଏ । ନହେଲେ ଗାଁରେ ଘୋର ଅମଙ୍ଗଳ ହୁଏ । ଏଭଳି ଲୋକବିଶ୍ୱାସ ରହିଛି ବୌଦ୍ଧ ଜିଲ୍ଲାର ଦ୍ୱୀପାଞ୍ଚଳ ଭାବରେ ପରିଚିତ ମର୍ଜାକୁଦରେ । ଦୁଷ୍ଟଶକ୍ତିର ବିନାଶ ପୂର୍ବକ ଗ୍ରାମର ଅମଙ୍ଗଳ ଦୂର କରିବା ପାଇଁ ପ୍ରତିବର୍ଷ ମାର୍ଗଶିର ପୂର୍ଣ୍ଣିମାରେ ମର୍ଜାକୁଦବାସୀ ପାଳନ କରନ୍ତି ଚୂଡ଼ାଖାଇ ଯାତ୍ରା ବା ସତୀକନ୍ୟା ଯାତ୍ରା । ପୂର୍ଣ୍ଣିମା ଅବସରରେ ଆଜି ଏହି ଯାତ୍ରା ପାଇଁ ମର୍ଜାକୁଦ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି ।
-ଅଶ୍ଳୀଳ ଗୀତ ନଗାଇଲେ ଅମଙ୍ଗଳ ହୁଏ ବୋଲି ଲୋକବିଶ୍ୱାସ ରହିଛି
-ସତୀକନ୍ୟାଙ୍କ ପୂଜାପରେ ଗ୍ରାମ ପରିକ୍ରମା କରନ୍ତି ମହିଳାମାନେ
ଗ୍ରାମବାସୀଙ୍କ କହିବା ଅନୁସାରେ, ଭିନ୍ନ ପରମ୍ପରାର ଏହି ପର୍ବ ଆବହମାନ କାଳରୁ ଗାଁରେ ଚାଲିଆସିଛି । ଗାଁର ଇଷ୍ଟଦେବୀ ହେଉଛନ୍ତି ମା’ ସତୀକନ୍ୟା । ତେଣୁ ମା’ଙ୍କ ନିକଟରେ କେବଳ ଗ୍ରାମର ମହିଳାମାନେ ହିଁ ପୂଜା କରିବାର ପରମ୍ପରା ରହିଛି । ଆଜି ମା’ସତୀକନ୍ୟାଙ୍କ ପୀଠରେ ନଡ଼ିଆ, ଉଖୁଡ଼ା, ଖିରି, ପିଠା, ସିନ୍ଦୂର, କଜ୍ଜ୍ୱଳ ସହିତ ମାଈ କୁକୁଡା ଏବଂ ମାଈ ଛେଳି ଭୋଗ ଅର୍ପଣ କରାଯାଇଥିଲା । ପରେ ଗ୍ରାମର ଛୋଟ ପିଲାଠାରୁ ଆରମ୍ଭ କରି ଯୁବକ ଯୁବତୀ ଓ ବୃଦ୍ଧବୃଦ୍ଧା ଏକତ୍ରିତ ହୋଇ ଏକ ବିରାଟ ପଟୁଆରରେ ଗାଁ ପରିକ୍ରମା କରିଥିଲେ । ମହିଳାମାନେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଶୋଭଯାତ୍ରାରେ ଯାଉଥିବା ବେଳେ ସେମାନଙ୍କ ପଛେପଛେ ସୁରକ୍ଷା ପାଇଁ ପୁରୁଷମାନେ ମଧ୍ୟ ପଟୁଆରରେ ଯାଇଥିଲେ । ଅଶ୍ରାବ୍ୟ ହେଲେ ମଧ୍ୟଏହି ଯାତ୍ରାର ମହାତ୍ମ୍ୟ ରହିଥିବାରୁ ଶ୍ରଦ୍ଧାଳୁମାନେ ଏହାକୁ ଅଧ୍ୟାତ୍ମ ଦୃଷ୍ଟିରେ ଗ୍ରହଣ କରିଥାଆନ୍ତି ଏବଂ ଯାତ୍ରା ଦେଖିବା ପାଇଁ ଆଖପାଖ ବିଭିନ୍ନ ଗ୍ରାମରୁ ମର୍ଜାକୁଦ ପହଞ୍ଚିଥାଆନ୍ତି । ଆଜି ପ୍ରଥମ ଦିନରେ ପୂଜା ଓ ଶୋଭାଯାତ୍ରା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯାତ୍ରା ଦେଖିବା ପାଇଁ ହଜାରହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଆସନ୍ତାକାଲି ଏହି ଯାତ୍ରା ଉଦ୍ଯାପନ ହେବ ବୋଲି ଯାତ୍ରା ଆୟୋଜନ କମିଟି ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ମା’ସତୀକନ୍ୟା ବର୍ଷତମାମ ଗାଁର ଦେହୁରୀଙ୍କ ଘରେ ପୂଜା ପାଇଥାଆନ୍ତି । ମାର୍ଗଶୀର ପୂର୍ଣ୍ଣିମା ତିଥିରେ କେବଳ ଗୋଟିଏ ଦିନ ପାଇଁ ପୀଠକୁ ଯାଇଥାଆନ୍ତି । ସେଠାରେ ମା’ଙ୍କ ସ୍ୱତନ୍ତ୍ର ନୀତି ସହ ପୂଜାର୍ଚ୍ଚନା ହୁଏ । ପୂର୍ବରୁ ମର୍ଜାକୁଦକୁ ଡଙ୍ଗା ସାହାଯ୍ୟରେ ଯିବାକୁ ପଡୁଥିବାବେଳେ ଏବେ ସେତୁ ନିର୍ମାଣ ହୋଇଛି । ତେଣୁ ଯାତ୍ରାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।