ଭୁବନେଶ୍ବର, ୭।୩ : ଦୁର୍ନୀତିରେ ଲିପ୍ତ ହୁଅ ନାହିଁ। ଯଦି କେହି ଦୁର୍ନୀତି କାରବାରରେ ଲିପ୍ତ ହୁଅନ୍ତି ତେବେ ଭିଜିଲାନ୍ସ ଜାଲରେ ପଡିବେ । ଖାରବେଳ ଭବନରେ ଚାଲିଥିବା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା କାର୍ଯକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିକାରୀମାନଙ୍କୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର ଚେତାବନୀ ଦେଇଛନ୍ତି।ଏଣିକି ରାସ୍ତା କଡ଼ରେ ରହିବ ନାହିଁ ଝୁମ୍ପୁଡି ଦୋକାନ । ବସ୍ତି ମୁକ୍ତ ହେବ ସହର। ବସ୍ତି ହଟାଇ ସରକାରୀ ଗୃହ ବଣ୍ଟନ କରାଯିବ। ସରକାରୀ ଜାଗାରେ ମାର୍କେଟ କମ୍ପ୍ଲେକ୍ସ ହେବ ବୋଲି  ମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଦ୍ୱାରା ଓଡ଼ିଶାର ସହରଗୁଡ଼ିକରେ  ଆଧୁନିକ ତଥା ଉନ୍ନତ ଭିତ୍ତିଭୂମି ସୃଷ୍ଟି  କରିବା ଏବଂ ସହରକୁ ସମୃଦ୍ଧ-ସୁନ୍ଦର କରିବା ଏହି ଯୋଜନାର ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାରେ ପାଞ୍ଚ ବର୍ଷ ପାଇଁ ବ୍ୟୟ ବରାଦ ୬୦୦୦ କୋଟି ଟଙ୍କା ରଖାଯାଇଛି। ଏଥିମଧ୍ୟରୁ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୨୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତ।        

ଏହି ଆର୍ଥିକ ବର୍ଷରେ ୭୮୦୦ ରୁ ଅଧିକ ପ୍ରକଳ୍ପ ଅନୁମୋଦିତ ହୋଇଛି, ଏଥିମଧ୍ୟରୁ ୨୦୦ ରୁ ଅଧିକ ପ୍ରକଳ୍ପ ଯାହାର ମୂଲ୍ୟ ୧ କୋଟିରୁ ଅଧିକ ରହିଛି।  ଏଥି ମଧ୍ୟରୁ ଆଜି ୧୮୧ ଗୋଟି ପ୍ରକଳ୍ପ ର ଶୁଭ ଉଦ୍ଘାଟନ କରାଯାଇଛି ଏବଂ ୬୮୧ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏପର୍ଯ୍ୟନ୍ତ ୪୬୮୫ ପ୍ରକଳ୍ପ ପାଇଁ ଟେଣ୍ଡର ଜାରି କରାଯାଇଛି ଏବଂ ୨୭୩୫ ପ୍ରକଳ୍ପକୁ କାର୍ଯ୍ୟାଦେଶ ଦିଆଯାଇଛି। ଏହି ଯୋଜନା ଅଧୀନରେ ୧୦୦ ରୁ ଅଧିକ ଗୋଶାଳା, ୪୦ ରୁ ଅଧିକ ଅଫିସ ଗୃହ , ୧୦୦ ରୁ ଅଧିକ ମାର୍କେଟ କମ୍ପ୍ଲେକ୍ସ ଏବଂ ୧୦ ରୁ ଅଧିକ ଇଭି ଚାର୍ଜିଂ ଷ୍ଟେସନ ଅନୁମୋଦିତ ହୋଇଛି। ଅବଶିଷ୍ଟ ପ୍ରକଳ୍ପଗୁଡ଼ିକର କାମ ଶୀଘ୍ର ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ୪୭ ଟି ପୌର ସଂସ୍ଥା ର ୮୬୨ ଟି ଉନ୍ନତି ମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମନ୍ତ୍ରୀ।