ଭୁବନେଶ୍ୱର,୧୬/୦୪: ସ୍ତ୍ରୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ବିବାହ ପାଇଁ ଇଚ୍ଛା କଲେ । ସାଦି ଡଟ୍ କମ୍‌ରେ  ମିଳିଲେ ଦ୍ୱିତୀୟ ପତ୍ନୀ । ଘର ଭଡ଼ା ନେଇ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇ ଏକାଠି ରହିଲେ । ବିଭିନ୍ନ ବାହାନାରେ ୩୫ରୁ ୪୦ ଲକ୍ଷ ଟଙ୍କା ନେଇ ଅନ୍ୟ ଯୁବକଙ୍କର ବାନ୍ଧବୀ ସାଜିଲେ ଦ୍ୱିତୀୟ ପତ୍ନୀ । ଟଙ୍କା ମାଗିବାରୁ ଦୁଷ୍କର୍ମ ମାମଲାରେ ଫାସାଇବା ସହ ହତ୍ୟା ଧମକ ଦେଲେ । ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଶିଶୁପାଳ ଗଡ଼ରେ । ନ୍ୟାୟ ପାଇଁ ଧଉଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି ବାଲେଶ୍ୱରର ବିସ୍ମିତ ରଞ୍ଜନ ଦାସ । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

୩୭ ବର୍ଷୀୟ ବିସ୍ମିତଙ୍କ ଘର ବାଲେଶ୍ୱର ଜିଲ୍ଳା, ଖନ୍ତାପଡା ସ୍ଥିତ ମହାରାଜପୁର ଗାଁରେ । ସେ ଭୁବନେଶ୍ୱରରେ ରହି ବ୍ୟବସାୟ କରୁଥିଲେ । ୨୦୨୩ରେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ଘର ଲୋକ ଦ୍ୱିତୀୟ ବିବାହ ପାଇଁ କହିଥିଲେ । ତେଣୁ ବିସ୍ମିତ ସାଦି ଡଟ୍ କମ୍‌ରେ ଏକ ଆଇଡି ଖୋଲିଥିଲେ । ସେଠାରେ ଭଦ୍ରକ ବାସୁଦେବପୁର ନଈଛଣପୁର ଗାଁରେ ହେମଲତା ଗିରି ଓରଫ ମିନି ନାମକ ଜଣେ ମହିଳାଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ସ୍ୱାମୀଙ୍କ ସହ ଛାଡ଼ପତ୍ର ପରେ ମିନି ଦ୍ୱିତୀୟ ବିବାହ ପାଇଁ ଇଚ୍ଛା ରଖିଛନ୍ତି ବୋଲି ବିସ୍ମିତଙ୍କୁ କହିଥିଲେ । ୧୦ରୁ ୧୫ ଦିନ ମଧ୍ୟରେ ମିନି ତାଙ୍କୁ ବାହା ହେବାକୁ କହିଥିଲେ । ଏଥିରେ ବିସ୍ମିତ ରାଜି ହୋଇଥିଲେ । ମିନିଙ୍କ ସର୍ତ୍ତ ଥିଲା ଏହି ବିବାହ ଚୁପ୍‌ଚାପରେ ହେବ । ବାହା ହେବା ପୂର୍ବରୁ ଉଭୟ ଶିଶୁପାଳଗଡ଼ ଶକ୍ତିନଗରରେ ଘର ଭଡ଼ା ନେଇଥିଲେ । ଘର ମାଲିକଙ୍କୁ ସ୍ୱାମୀ-ସ୍ତ୍ରୀ ପରିଚୟ ଦେଇଥିଲେ । ବିସ୍ମିତଙ୍କ ଠାରୁ ବିଭିନ୍ନ ବାହାନାରେ ମିନି ଲକ୍ଷ ଲକ୍ଷ ଟଙ୍କା ମାଗି ନେଉଥିଲେ । ୧୦ରୁ ୧୫ ମାସ ମଧ୍ୟରେ ସେ ୩୫ରୁ ୪୦ ଲକ୍ଷ ଟଙ୍କା ନେଇ ସାରିଥିଲେ ।

ଅଧିକ ପଢ଼ନ୍ତୁ :-  ଆସିଲା ସହରାଞ୍ଚଳ ପାର୍କିଂ ନୀତି: ଏଣିକି ଗାଡ଼ି କିଣିବା ବେଳେ ପାର୍କିଂ ସାର୍ଟିଫିକେଟ ଦେବାକୁ ବାଧ୍ୟ, ରାସ୍ତା କଡ଼ରେ ରଖିଲେ ଫାଇନ୍

କିଛି ଦିନ ତଳେ ବିସ୍ମିତ କୌଣସି କାମରେ ବାଲେଶ୍ୱର ଯାଇଥିଲେ । ୩ ଦିନ ପରେ ଫେରିବେ ବୋଲି କହିଥିଲେ । ହେଲେ ଦୁଇ ଦିନ ପରେ ମିନିଙ୍କୁ ନ ଜଣାଇ ଘରକୁ ଫେରିଆସିଥିଲେ । ଘରେ ଆସି ଯାହା ଦେଖିଲେ ତାଙ୍କ ପାଦତଳୁ ମାଟି ଖସିଗଲା । ଅମିନ ନାମକ ଜଣେ ଯୁବକଙ୍କ ସହ ମିନି ଅସଞ୍ଜତ ଅବସ୍ଥାରେ ଥିଲେ । ତେବେ ସେ କାହାକୁ କିଛି ନଜଣାଇ ନିଜ ଫୋନ୍‌ରେ ଫଟୋ ଓ ଭିଡିଓ ରେକର୍ଡିଂ କରି ସେଠାରୁ ପଳାଇଥିଲେ । ତା’ପରଠାରୁ ସେ ମିନି ଉପରେ ନଜର ରଖୁଥିଲେ ।

ଜଣାପଡ଼ିଲା ଯେ ବିସ୍ମିତ ଘରେ ନଥିବା ସମୟରେ ଏକାଧିକ ଯୁବକଙ୍କୁ ମିନି ରୁମ ଡାକୁଛନ୍ତି । ଯୁବକମାନଙ୍କ ସହ ସମ୍ପର୍କ ରଖି ୧୦ରୁ୧୫ ହଜାର ଟଙ୍କା ନେଉଛନ୍ତି । ଏହା ଜାଣିବା ପରେ ବିସ୍ମିତା ତାଙ୍କୁ ପଚାରିବା ସହ ଟଙ୍କା ଫେରସ୍ତ ମାଗିଥିଲେ । ଏଥିରେ ମିନି ରାଗି ଦୁଷ୍କର୍ମ ମାମଲାରେ ଫସାଇ ଦେବେ ବୋଲି ଧମକ ଦେଇଥିଲେ । କିଛି ଉପାୟ ନ ପାଇ ବିସ୍ମିତ ଧଉଳି ଥାନାରେ ଏତଲା ଦେଇଥିଲେ । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।