ନୂଆଦିଲ୍ଲୀ,୨୨/୦୮: ବୈବାହିକ  ଜୀବନରେ ସ୍ୱାମୀ କିମ୍ବା ସ୍ତ୍ରୀ ଅଲଗା  ରହିବା ଅସମ୍ଭବ । ଉଭୟଙ୍କ ମଧ୍ୟରୁ  କେହି ବି କହିପାରିବେନି ଯେ ସେ ନିଜ  ପାର୍ଟନରଙ୍କଠାରୁ ଅଲଗା ରହିବାକୁ ଚାହାଁନ୍ତି । ଯିଏ ବି ଅଲଗା ରହିବାକୁ ଚାହାଁନ୍ତି ସେ ବିବାହ  କରିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ବିଚାରପତି ବି.ଭି ନାଗରତ୍ନା ଏବଂ ଜଷ୍ଟିସ୍‌  ଆର୍‌ ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି । ଦୁଇ ପିଲା ଥାଇ ଅଲଗା ରହୁଥିବା ଏକ ଦମ୍ପତିଙ୍କ ମଧ୍ୟରେ ବିବାଦ ମାମଲାର ଶୁଣାଣି କରି ଖଣ୍ଡପୀଠ କହିଥିଲେ, ବିବାହର ଅର୍ଥ ଦୁଇ ଆତ୍ମା ଦୁଇ ବ୍ୟକ୍ତି ଏକାଠି ରହିବା । ଆପଣମାନେ ଅଲଗା କିପରି ରହିପାରୁଛନ୍ତି ।  ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କିଛି ନା କିଛି କାରଣରୁ  ଝଗଡ଼ା ତ ହୋଇଥାଏ । ସ୍ୱାମୀ ସ୍ତ୍ରୀ ଏକାଠି ରହିଲେ ଆମେ ଖୁସି ହେବୁ । ପିଲାମାନେ  ବି ଛୋଟ ଛୋଟ । ସେମାନଙ୍କୁ ଏବେଠାରୁ  ଏଭଳି ଭଙ୍ଗାରୁଜା ଘର ପରିବାର ସ୍ଥିତିର  ସାମ୍‌ନା କରିବାକୁ ପଡ଼ୁଛି । ପିଲାଙ୍କର କ’ଣ  ଭୁଲ ସେ ସେମାନଙ୍କ ଘର ଭାଙ୍ଗିଯିବ । 

ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କ  ସ୍ୱାମୀ ସିଙ୍ଗାପୁରରେ ରୁହନ୍ତି । ଏବେ କିନ୍ତୁ ସେ  ଭାରତରେ ଅଛନ୍ତି । ବିବାଦ ମାମଲା ତୁଟାଇବା ଲାଗି ତାଙ୍କ ସ୍ୱାମୀ ଇଚ୍ଛୁକ ନାହାନ୍ତି । କେବଳ  ପିଲାଙ୍କର ହେପାଜତ ଚାହୁଁଛନ୍ତି । ଖଣ୍ଡପୀଠ  ମହିଳାଙ୍କୁ ପଚାରିଥିଲେ ଯେ ସେ କାହିଁକି  ତାଙ୍କ ସ୍ୱାମୀଙ୍କ ପାଖକୁ ସିଙ୍ଗାପୁର ଯାଉନାହାନ୍ତି ।  ସ୍ୱାମୀଙ୍କ ବ୍ୟବହାର ବେଶ୍‌ କ୍ରୁର ବୋଲି ମହିଳା  ଜଣକ କହିଥିଲେ । ସିଙ୍ଗଲ ମଦର ହେବା ଯୋଗୁ ତାଙ୍କୁ ଚାକିରିର ମଧ୍ୟ ଆବଶ୍ୟକତା  ରହିଛି । କାରଣ ତାଙ୍କ ସ୍ୱାମୀ ତାଙ୍କୁ କିଛି ବି  ଖର୍ଚ୍ଚ ଦେଉନାହାନ୍ତି । ଏହା ପରେ ଖଣ୍ଡପୀଠ  ତାଙ୍କ ସ୍ୱାମୀଙ୍କୁ ମହିଳାଙ୍କ ଆକାଉଣ୍ଟରେ ୫ ଲକ୍ଷ  ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ମହିଳା ଜଣକ କାହା ଉପରେ ନିର୍ଭର କରିବାକୁ  ଚାହାଁନ୍ତିନି ବୋଲି କହିଥିଲେ । 

ଜଷ୍ଟିସ ନାଗରତ୍ନା କହିଥିଲେ, ଏହା  ଆପଣ କହିପାରିବେନି । ଥରେ ବିବାହ  କରିବା ପରେ ଆପଣ ଭାବନାତ୍ମକ ଭାବେ  ହେଉ କିମ୍ବା ଅନ୍ୟ କୌଣସି ମାଧ୍ୟମରେ  ସ୍ୱାମୀଙ୍କ ଉପରେ ନିର୍ଭରଶୀଳ ହୋଇଥାନ୍ତି ।  ତେଣୁ ଆପଣ ନିର୍ଭରଶୀଳ ନୁହଁନ୍ତି ବୋଲି  କହିପାରିବେନି । ଯଦି ଆପଣ ଏକା ସବୁକିଛି  ପାରିବେ ତେବେ ବିବାହ କାହିଁକି କରୁଥିଲେ ।  ବୋଧହୁଏ ମୁଁ ପୁରୁଣା ବିଚାରଧାରାର  ଲୋକ । କିନ୍ତୁ କୌଣସି ସ୍ତ୍ରୀ ନିଜ ସ୍ୱାମୀଙ୍କ  ଉପରେ ନିର୍ଭର ରହିବାକୁ ଚାହାଁନ୍ତିନି ବୋଲି  କହିପାରିବେନି ବୋଲି ଜଷ୍ଟିସ ନାଗରତ୍ନା  ଟିପ୍ପଣୀ ଦେଇଥିଲେ । ଏହା ଉପରେ ବିଚାର  କରିବା ପାଇଁ ମହିଳା ଜଣକ ସୁପ୍ରିମକୋର୍ଟଙ୍କୁ  ସମୟ ମାଗିଛନ୍ତି । ଦୁଇ ଜଣ ଶିକ୍ଷିତ । ତେଣୁ  ମିଳିମିଶି ବିବାଦର ସମାଧାନ କରିବାକୁ ସୁପ୍ରିମକୋର୍ଟ ଉଭୟଙ୍କୁ ପରାମର୍ଶ ଦେଇଛନ୍ତି ।