ହିଂସା ଏକ ନକାରାତ୍ମକ ଶବ୍ଦ, ଯାହା ପର ପୀଡ଼ନ, ପରର କ୍ଷତିସାଧନ, ହତ୍ୟାକାଣ୍ଡ, ଏପରିକି ଧ୍ୱଂସଲୀଳାର ସୂତ୍ରଧର । ସ୍ଥାନ, କାଳ, ପାତ୍ର, ନିର୍ବିଚାରରେ ଏହା ସଂଘଟିତ ହୋଇପାରେ । ଯେତେବେଳେ ଏହା ଆତ୍ମଜଙ୍କ ପ୍ରତି କରାଯାଏ ତାହା ଘରୋଇ ହିଂସା (ଡୋମେଷ୍ଟିକ୍ ଭାଓଲେନସ)ର ରୂପ ନିଏ । ଯେତେବେଳେ ନିଜର ପୁତ୍ର କିମ୍ବା କନ୍ୟା ପରିବାରର ଆଭିଜାତ୍ୟ ଓ ପିତାମାତାଙ୍କ ସମ୍ମାନ ପ୍ରତି ଉଦାସୀନ ରହି କିଛି ଭୁଲ୍ କରନ୍ତି ବୋଲି ମନେ କରାଯାଏ, ସେହି ସମୟରୁ ହିଁ ନିଜ ରକ୍ତ ସମ୍ପର୍କୀୟଙ୍କ ପ୍ରତି ଥିବା ସ୍ନେହ, ମମତା ଘୃଣାର ରୂପ ନିଏ । ଘୃଣା ଚରମ ସୀମାରେ ପହଞ୍ଚିଲେ ପୁତ୍ର କନ୍ୟାଙ୍କ ମୃତ୍ୟୁଲୀଳାର ଷଡ଼ଯନ୍ତ୍ର କରାଯାଏ । ବିଶେଷକରି ଆମ ସମାଜରେ ପୁତ୍ର କନ୍ୟାଙ୍କ ସ୍ୱଇଚ୍ଛାରେ ଜୀବନ ସାଥୀ ଚୟନକୁ ନେଇ ଘରୋଇ ହିଂସା ଉତ୍କଟ ରୂପ ଧାରଣ କରେ । ସମସ୍ତ ବାରଣ ସତ୍ତେ୍ୱ ଝିଅଟି ଯଦି ନିଜ ଜିଦ୍ରେ ଅଟଳ ରହେ ସେ କ୍ଷେତ୍ରରେ ଜନ୍ମଦାତ୍ରୀ ମା’ ଓ ବାପା ଝିଅଟିକୁ ଅତି ରହସ୍ୟ ଭାବେ ହତ୍ୟା କରି ସ୍ଥଳବିଶେଷରେ ଆତ୍ମହତ୍ୟାର ରୂପ ଦିଅନ୍ତି । ଅଧିକାଂଶ ପାରିବାରିକ ହିଂସାରେ ଝିଅମାନେ ହିଁ ଶିକାର ହୁଅନ୍ତି ।
ଏକ ଆକଳନ ଅନୁସାରେ, ଓଡ଼ିଶାରେ ୫୨.୨ ପ୍ରତିଶତ ମହିଳା ବିଭିନ୍ନ କାରଣରୁ ଘରୋଇ ହିଂସାର କ୍ରୁର ପଞ୍ଝାରେ କବଳିତ । ଗ୍ରାମାଞ୍ଚଳର ସ୍ଥିତି ଉଦ୍ବେଗଜନକ । ୨୦୧୮ରେ କଟକ ଜିଲ୍ଲା ନିଆଳିରେ ସଂଘଟିତ ପାରିବାରିକ ହତ୍ୟା (ଅନର କିଲିଂ) ସବୁଠାରୁ ଥିଲା ହୃଦୟବିଦାରକ । ପରିବାରର ସମ୍ମାନ ହାନି ଆଶଙ୍କା କରି ବାପାଭାଇଙ୍କ ମିଳିତ ଉଦ୍ୟମରେ ଏ ଲୋମହର୍ଷକ ହତ୍ୟାକାଣ୍ଡ ଘଟିଥିଲା । ସେହିବର୍ଷ ଜଗତସିଂହପୁର ଜିଲ୍ଲା ଧଳତଙ୍ଗ ଗଡ଼ ଜଙ୍ଗଲରୁ ଏକ ଝିଅର ଗଳିତ ଶବ ପୋଲିସ ଉଦ୍ଧାର କରିଥିଲା । ଅନୁସନ୍ଧାନ ପରେ ଓ ଶବ ବ୍ୟବଚ୍ଛେଦରୁ ଜଣାଗଲା ଝିଅର ଗର୍ଭପାତ କରାଇ ହତ୍ୟା କରାଯାଇଥିଲା । ଅନେକ ସମୟରେ ଝିଅ ଚୟନ କରିଥିବା ଜୀବନସାଥୀକୁ ମଧ୍ୟ ଝିଅର ବାପା ଭାଇ କୌଶଳରେ ହତ୍ୟା କରିଥିବାର ନଜିର ଆମ ସମାଜରେ ଅଭାବ ନାହିଁ । କନ୍ୟା ହତ୍ୟା ଅପେକ୍ଷା ବଧୂହତ୍ୟା ସବୁ ସୀମା ଅତିକ୍ରମ କରିଛି । ଘରୋଇ ହିଂସା ଓ ଅନର କିଲିଂକୁ ରୋକିବା ପାଇଁ ଗୃହ ବିଭାଗ ଦ୍ୱାରା ଏସ୍.ଓ.ପି. (ସ୍ୱତନ୍ତ୍ର ବିଧିବ୍ୟବସ୍ଥା) ଜାରି ହୋଇ ୨୦୧୮ ଅଗଷ୍ଟ ୩୦ ତାରିଖରେ ଜିଲ୍ଲା ପ୍ରଶାସନ, ପୋଲିସ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପଠାଯାଇଛି । ଏହି ଏସ୍.ଓ.ପି. ଅନୁସାରେ ଗ୍ରାମ କମିଟି କିମ୍ବା ଗ୍ରାମପଞ୍ଚାୟତ ମାଧ୍ୟମରେ ଘରୋଇ ହିଂସା ଓ ଅନର କିଲିଂ ଭଳି ସମ୍ବେଦନଶୀଳ ଘଟଣାକୁ ଏଡ଼ାଇବା ପାଇଁ ପ୍ରାବଧାନ ରହିଛି । ୭ ମାର୍ଚ୍ଚ ୨୦୧୮ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ଘରୋଇ ହିଂସାରୂପକ ପ୍ରଜ୍ୱଳିତ ବହ୍ନିରେ ଘୃତସିଞ୍ଚନ ପରି ପରକୀୟା ପ୍ରୀତି କ୍ରମେ ଉତ୍କଟ ରୂପ ଧାରଣ କରି ସୁସ୍ଥ ସାମାଜିକ ବିଧିବ୍ୟବସ୍ଥାକୁ କୀଟଦ୍ରଂଷ୍ଟ କଲାଣି । ପବିତ୍ର ବିବାହ ବନ୍ଧନ (ସେ ପ୍ରେମ କିମ୍ବା ଆୟୋଜିତ ବିବାହ ହେଉ) ଆଜି ସଙ୍କଟରେ । ପରକ୍ରୀୟା ପ୍ରୀତିର ସଂକ୍ରାମକ ଜୀବାଣୁ ବିବାହ ବନ୍ଧନକୁ ରୋଗଗ୍ରସ୍ତ କରି ସ୍ଥଳବିଶେଷରେ ମୃତ୍ୟୁଦ୍ୱାର ପର୍ଯ୍ୟାପ୍ତ ବାଟ କଢ଼ାଇ ନେଉଛି । ପରକୀୟା ପ୍ରୀତିରେ ଆଚ୍ଛନ୍ନ ପୁରୁଷଟି ବିବାହିତ ପତ୍ନୀ ଓ ତା'ର ସନ୍ତାନ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରି ଅନ୍ୟ ନାରୀ ସହ ସଂସାର ବସାଇବାକୁ ବ୍ୟଗ୍ର ହେଉଛି । ଏ କ୍ଷେତ୍ରରେ ପ୍ରେମିକାର ରୂପ ଲାବଣ୍ୟ ଓ ତା'ର ଧନ ସମ୍ପତ୍ତି ପ୍ରତି ପୁରୁଷଟିର ଲୋଲୁପଦୃଷ୍ଟି ପ୍ରମୁଖ କାରଣ ବୋଲି ମନେ କରାଯାଏ । ଏପରି କ୍ଷେତ୍ରରେ ବିବାହିତ ପତ୍ନୀର ସମ୍ମତିରେ ତା'ର ପିଲାମାନେ ନିଜ ପିତାଙ୍କୁ ହତ୍ୟା କରିବାକୁ ପଛାଇନଥାନ୍ତି । ହତ୍ୟାକାଣ୍ଡ ରଚିବାରେ କିଛି ବାହାର ଲୋକଙ୍କୁ ପ୍ରଚୁର ଅର୍ଥ ବିନିମୟରେ ଏଥିରେ ବିନିଯୋଗ କରାଯାଉଛି ।
ଅପରପକ୍ଷେ ପରକୀୟା ପ୍ରୀତିର ବଶବର୍ତ୍ତୀ ହୋଇ ପୁରୁଷଟି ନିଜ ବିବାହିତା ପତ୍ନୀର ମୃତ୍ୟୁଲୀଳା ରଚନା କରୁଛି । ୨୦୨୫ ମେ’ ୩୧ରେ ନୟାଗଡ଼ ଜିଲ୍ଲାର ଜଣେ ଫରେଷ୍ଟ ରେଞ୍ଜରଙ୍କୁ ତାଙ୍କ ସ୍ତ୍ରୀ ଓ ପୁଅ ପେଟ୍ରୋଲ ଢାଳି ଜୀବନ୍ତ ଅବସ୍ଥାରେ ଜାଳିଦେବାର ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ମା' ଓ ପୁଅର ସନ୍ଦେହ ଯେ, ରେଞ୍ଜର ବାବୁ ପରିବାରକୁ ଅବହେଳା କରି ଭିନ୍ନ ଏକ ନାରୀ ସହ ପ୍ରଣୟଲିପ୍ତ ଥିଲେ । ଯେତେବେଳେ ମା' ଓ ପୁଅର ସହିବାର ସମସ୍ତ ଶକ୍ତି ଲୋପ ପାଇଲା, ସେତେବେଳେ ଅନନ୍ୟୋପାୟ ହୋଇ ମା' ମୁଣ୍ଡରୁ ସିନ୍ଦୂର ପୋଛିବାକୁ ବାଧ୍ୟ ହେଲା । ଠିକ୍ ସେହିଦିନ ଅନୁଗୁଳ ଜିଲ୍ଲା କଣିହା ଅଞ୍ଚଳରେ ଜଣେ ବିବାହିତ ପୁରୁଷ ଅନ୍ୟ ଜଣେ ବିବାହିତ ନାରୀକୁ ପ୍ରଥମେ ପ୍ରେମ ଓ ପରେ ବିବାହ କରିଥିବା ଅଭିଯୋଗରେ ପ୍ରଥମ ପତ୍ନୀ ଭଡ଼ାଟିଆ ଗୁଣ୍ଡାଙ୍କ ସହାୟତାରେ ସ୍ୱାମୀର ଗଳାକାଟି ହତ୍ୟା କରିଛି । ସେହିପରି ନିକଟରେ ଏଇ ଜୁନ ମାସ ୨ ତାରିଖରେ ଗଞ୍ଜାମ ଜିଲ୍ଲା ଗୋବିନ୍ଦପୁର ଗ୍ରାମର ଜଣେ ବ୍ୟକ୍ତିକୁ ତା'ର ସ୍ତ୍ରୀ ଓ ଶଶୁର ପରକୀୟା ପ୍ରୀତିର ପରିଣାମସ୍ୱରୂପ ବୀଭତ୍ସ ହତ୍ୟା କରିଛନ୍ତି । ଗଜପତି ଜିଲ୍ଲା ସେରଙ୍ଗ ଥାନା ଅଞ୍ଚଳରେ ଜଣେ ସ୍ୱାମୀ ତା' ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ପଥରରେ ଛେଚି ହତ୍ୟା କରିଛି । ପରକୀୟା ପ୍ରୀତିରେ ଉଭୟ ପୁରୁଷ ଓ ନାରୀ ନିଜ ବିବାହିତ ଜୀବନସାଥୀଙ୍କ ଦ୍ୱାରା ହତ୍ୟାର ଶିକାର ହୁଅନ୍ତି । ଏତ ଗଲା ଆମ ରାଜ୍ୟର କଥା । ମଧ୍ୟପ୍ରଦେଶ ଇନ୍ଦୋରର ପ୍ରସିଦ୍ଧ ଯୁବ ଟ୍ରାନ୍ସପୋର୍ଟ ବ୍ୟବସାୟୀ ଥିଲେ ରାଜା ରଘୁବଂଶୀ । ବିବାହର ଅଳ୍ପ ଦିନ ପରେ ଏଇ ଜୁନ ପ୍ରଥମ ସପ୍ତାହରେ ପତ୍ନୀଙ୍କୁ ନେଇ ହନିମୁନ ଉପଲକ୍ଷେ ମେଘାଳୟ ଯାଇଥିଲେ । ପତ୍ନୀ ସୋନମ ସେଠାରେ ତିନି ଭଡ଼ାଟିଆ ଗୁଣ୍ଡା ଓ ଜଣେ ଆୟୋଜକଙ୍କ ସହାୟତାରେ ହତ୍ୟା କରିଛନ୍ତି ସ୍ୱାମୀ ରଘୁବଂଶୀଙ୍କୁ ।
ଶୁଣାଯାଏ, ସେହି ଭଡ଼ାଟିଆ ଗୁଣ୍ଡାମାନଙ୍କ ଭିତରୁ ଜଣେ ବ୍ୟକ୍ତି ସହ ସୋନମ୍ର ପ୍ରେମ ସଂପର୍କ ଥିଲା ଓ ସେ ତାକୁ ବିବାହ କରିବାକୁ ଚାହୁଁଥିଲା । ବର୍ତ୍ତମାନ ସୋନମ୍ ଓ ସାଥୀମାନେ ଆରେଷ୍ଟ ହୋଇ ଅନ୍ଧକାର ଜେଲ ପ୍ରକୋଷ୍ଠରେ ତାଙ୍କ ଅବଶିଷ୍ଟ ଦିନର ଅବଗଣନା କରୁଛନ୍ତି । ଉଲ୍ଲେଖନୀୟ ଯେ, ସୋନମ୍ର ନିଜ ଭାଇ ଭଉଣୀକୁ ଫାଶୀଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଦ୍ୱାରା ପ୍ରକାଶିତ ୨୦୨୦ ରିପୋର୍ଟ ଅନୁଯାୟୀ ସେହିବର୍ଷ ସଂଘଟିତ ମୋଟ୍ ହତ୍ୟାକାଣ୍ଡ ମଧ୍ୟରୁ ଶତକଡା ୧୦ରୁ ଅଧିକ ଘଟଣା କେବଳ ପରକୀୟା ପ୍ରୀତି ଯୋଗୁଁ ଘଟିଛି । ଏପରି ସମୟ ଆସିଛି ଯେ, ପରକୀୟା ପ୍ରୀତିରେ ନିମଜ୍ଜିତ ପୁରୁଷ କିମ୍ବା ନାରୀକୁ ହତ୍ୟା କରିବା ସପକ୍ଷରେ ପଡ଼ୋଶୀମାନେ ମଧ୍ୟ ମତବ୍ୟକ୍ତ କରନ୍ତି । ମାତ୍ର ପରକୀୟା ପ୍ରୀତିର ସମାଧାନ ହତ୍ୟାକାଣ୍ଡ ନୁହେଁ । ଏପରି କ୍ଷେତ୍ରରେ ବିବାହ ବିଚ୍ଛେଦ ସର୍ବୋତ୍କୃଷ୍ଟ ପନ୍ଥା ପରି ମନେହୁଏ । ଆଜିକାଲି ଛାଡ଼ପତ୍ର ଏକ ସାଧାରଣ ଘଟଣା ହେଲାଣି । ଅନେକ ସେଲିବ୍ରିଟି, ନେତା, ଅଭିନେତା ଛାଡ଼ପତ୍ର ମାଧ୍ୟମରେ ବିବାହ ବିଚ୍ଛେଦକୁ ଆପଣେଇ ପୁନର୍ବିବାହ କରୁଥିବାର ନଜିର ଆଉ ବିରଳ ନୁହେଁ । ମୃତ୍ୟୁ କିମ୍ବା କାରାଦଣ୍ଡ ଅପେକ୍ଷା ବିବାହ ବିଚ୍ଛେଦ ଦ୍ୱାରା ଘଟଣାର ପ୍ରବହମାନ ସ୍ରୋତକୁ ଉଭୟେ ନାରୀ ଓ ପୁରୁଷ ଆଦରି ନେବା ହିଁ ଶ୍ରେୟସ୍କର ।