ନୂଆଦିଲ୍ଲୀ: ନିଲାମ ହେବାକୁ ଯାଉଛି ପୃଥିବୀରେ ମିଳିଥିବା ମଙ୍ଗଳ ଗ୍ରହର ଉଲକାପିଣ୍ଡ । ଲୋହିତ ଗ୍ରହରୁ ପ୍ରାୟ ୧୪ କୋଟି ମାଇଲ୍‌ ଦୂର ଅତିକ୍ରମ କରି ପୃଥିବୀ ପୃଷ୍ଠରେ ପଡ଼ିଥିବା ଏହି ଉଲକାପିଣ୍ଡକୁ ନେଇ ଚର୍ଚ୍ଚା ଲାଗି ରହିଛି । ନଭେମ୍ବର ୨୦୨୩ରେ ନାଇଜରର ଦୂରବର୍ତ୍ତୀ ଅଞ୍ଚଳ ଆଗାଡେଜ୍‌ରେ ପଡ଼ିଥିଲା ଏହି ଉଲକାପିଣ୍ଡ । ମଙ୍ଗଳ ଗ୍ରହରେ ବିଶାଳ ଗ୍ରହାଣୁ ଧକ୍କାରେ ସୃଷ୍ଟି ହୋଇଥିବା ଏହି ଉଲକାପିଣ୍ଡ ପୃଥିବୀ ପୃଷ୍ଠରେ ପଡ଼ିଥିଲା । ଏଭଳି ମଙ୍ଗଳ ଗ୍ରହରୁ ଆସିଥିବା ଅନେକ ପଥର ରହିଛି। କିନ୍ତୁ ସେଥିମଧ୍ୟରୁ NWA 16788 ସବୁଠାରୁ ବଡ଼ ବୋଲି କୁହାଯାଉଛି । 

ଏହାକୁ ସୋଥେବୀ ଦ୍ବାରା ନ୍ୟୁୟର୍କରେ ନିଲାମ ପାଇଁ ରଖାଯାଇଛି । ଜୁଲାଇ ୧୬ରେ ଏହାର ନିଲାମ ହେବାକୁ ଥିବା ବେଳେ ଏଥିପାଇଁ ୨ ମିଲିୟନ ଡଲାରରୁ ୪ ମିଲିୟନ ଡଲାର ମିଳିପାରେ । ସେପଟେ ନିଲାମୀ ପୂର୍ବରୁ ଏହାର ଦାମ ୧.୬ ମିଲିୟନ୍‌ ଡଲାରରେ ପହଞ୍ଚି ସାରିଛି । ମଙ୍ଗଳ ଗ୍ରହରୁ ଆସିଥିବା ଏହି ବିରଳ ପଥରର ଓଜନ ୨୫ କେଜି ଏବଂ ଏହା ପୃଥିବୀ ପୃଷ୍ଠରେ ପଡ଼ିଥିବା ଅନ୍ୟ ଏକ ପଥର ଠାରୁ ୭୦ ପ୍ରତିଶତ ବଡ଼ ।  ମଙ୍ଗଳ ଗ୍ରହର ଏହି ଉଲକାପିଣ୍ଡ ପୃଥିବୀର ସବୁଠାରୁ ବିରଳ ବସ୍ତୁ ମଧ୍ୟରୁ ଗୋଟିଏ ।

ଏହା  ପ୍ରାୟ ୭୭ ହଜାର ସରକାରୀ ସ୍ୱୀକୃତିପ୍ରାପ୍ତ ଉଲକାପିଣ୍ଡ ମଧ୍ୟରୁ ମାତ୍ର ୦.୬ ପ୍ରତିଶତ । ସୋଥେବୀ ଅନୁସାରେ, କେବଳ ୪୦୦ ମଙ୍ଗଳ ଗ୍ରହ ପଥର ମିଳିଛି  ।  NWA 16788 ବେଶୀ  ଖାସ, କାରଣ ଏହା ପୃଥିବୀ ପୃଷ୍ଠରେ ପଡ଼ିବା ପରେ ମଧ୍ୟ ଏଥିରେ ବିଶେଷ ପରିବର୍ତ୍ତନ ହୋଇନାହିଁ ।  ପଡ଼ିବା ପରଠାରୁ ଏହାର ଭୌତିକ ଏବଂ ରାସାୟନିକ ଗଠନ ପ୍ରାୟତଃ ଅକ୍ଷୁର୍ଣ୍ଣ ରହିଛି ।  ବୈଜ୍ଞାନିକମାନେ ମଙ୍ଗଳ ଗ୍ରହର ଭୂତତ୍ତ୍ବ ଜାଣିବାକୁ ଏପରି ପଥର ଉପରେ ଅଧ୍ୟୟନ କରିଥାନ୍ତି । ସେଗୁଡ଼ିକର ଗଠନ ଅଧ୍ୟୟନ କରି, ଗବେଷକମାନେ ଲାଲ ଗ୍ରହରେ ଜ୍ୱାଳାମୁଖୀ, ଜଳର ଉପସ୍ଥିତି ଏବଂ ପୃଷ୍ଠର ଅବସ୍ଥା ବିଷୟରେ ସୂଚନା ପାଆନ୍ତି ।

ଏହି ପଥର  ଜୁଲାଇ ୧୫ ପର୍ଯ୍ୟନ୍ତ ସୋଥେବୀର ନ୍ୟୁୟର୍କ ଗ୍ୟାଲେରୀରେ ସାଧାରଣ ଲୋକଙ୍କ ଦେଖିବା ଲାଗି ରହିବ । ବେସରକାରୀ ସ୍ତରରେ ଏହି ଉଲକାପିଣ୍ଡର ନିଲାମୀ ହୋଇପାରେ । ଏହାକୁ ନେଇ କିଛି ବୈଜ୍ଞାନିକ ଚିନ୍ତା ପ୍ରକାଶ କରିଛନ୍ତି । ଏହା ଦ୍ବାରା ଉଲକାପିଣ୍ଡରେ ଥିବା ବିରଳ ନମୁନାଗୁଡ଼ିକ ନଷ୍ଟ ହୋଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି । ମଙ୍ଗଳ ଗ୍ରହର ଉଲକାପିଣ୍ଡ ସହିତ ସୋଥେବୀର ନିଲାମୀ ଉତ୍ସବରେ ଡାଇନୋସର କଙ୍କାଳ, ପ୍ରାଚୀନ ଜୀବାଶ୍ମ ଏବଂ ବିରଳ ଭୂତାତ୍ତ୍ୱିକ ଗଠନ ମଧ୍ୟ ପ୍ରଦର୍ଶିତ ହେବ । ଫଳରେ ସଂଗ୍ରହାଳୟ ଏବଂ ବ୍ୟକ୍ତିଗତ ସଂଗ୍ରହକାରୀ ମଧ୍ୟ ଏଥିପ୍ରତି ଆକର୍ଷିତ ହେବେ ।