କଟକ, ୦୩/୧୨: ମାଟ୍ରିକ୍‌ ମୂଲ୍ୟାୟନରେ ସ୍ୱଚ୍ଛତା  ବଜାୟ ରଖିବା ଓ ତ୍ରୁଟିଶୂନ୍ୟ କରିବା ଉପରେ ମାଧ୍ୟମିକ  ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି । ବୋର୍ଡ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ପରୀକ୍ଷାର୍ଥୀମାନେ ୬ଟି  ବିଷୟରେ ୧୦୦ ନମ୍ବର ଲେଖାଏଁ ମୋଟ ୬୦୦ ନମ୍ବରର  ପରୀକ୍ଷା ଦେବେ । ୫୦ ନମ୍ବର ସବଜେକ୍ଟିଭ୍‌ ଓ ୫୦ ନମ୍ବର  ଅବଜେକ୍ଟିଭ୍‌ ପ୍ରଶ୍ନ ରହିଛି । ଅବଜେକ୍ଟିଭ୍‌ ଓ ସବଜେକ୍ଟିଭ୍‌ ପ୍ରଶ୍ନରୁ ୮୦ ମାର୍କ ଏବଂ ଇଣ୍ଟରନାଲ ଆସେସ୍‌ମେଣ୍ଟ,  ଆସପ୍ରେସନାଲ୍‌ କମ୍ପୋନେଟ୍‌ରୁ ୨୦ ନମ୍ବରକୁ ନିଆଯାଇ  ପରୀକ୍ଷାର୍ଥୀଙ୍କ ମାଟ୍ରିକ୍‌ ମୂଲ୍ୟାୟନ କରାଯିବ । ମାତ୍ର ବିଦ୍ୟାଳୟ  କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଉଥିବା ଏହି ୨୦ ନମ୍ବରରେ ଅନେକ  ସମୟରେ ସ୍ୱଚ୍ଛତା ରହୁନଥିବା ଅଭିଯୋଗ ହେଉଛି । ଯେଉଁଥିପାଇଁ ବୋର୍ଡ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।  

ବିଦ୍ୟାଳୟ ସ୍ତରରେ ହେଉଥିବା ଉକ୍ତ ପରୀକ୍ଷାର ମୂଲ୍ୟାୟନ କିପରି ବ୍ୟବସ୍ଥିତ ଢଙ୍ଗରେ କରାଯିବ ଓ ଏଥିରେ  ସ୍ୱଚ୍ଛତା ବଜାୟ ରଖାଯାଇପାରିବ ସେ ସମ୍ପର୍କରେ ବୋର୍ଡ  କର୍ତ୍ତୃପକ୍ଷ ରାଜ୍ୟର ୩୦ଟି ଜିଲ୍ଲାର ଅଭିଜ୍ଞ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି । ବୋର୍ଡ ପକ୍ଷରୁ ଚାରି ଦିନ  ୩୯୦ ଜଣ ଅଭିଜ୍ଞ ଶିକ୍ଷକଙ୍କୁ ମାଷ୍ଟର ଟ୍ରେନ୍‌ର ଭାବେ  ଆସ୍‌ପ୍ରେସନାଲ୍‌ କମ୍ପୋନେଟ୍‌ର ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ  ତାଲିମ୍‌ ପ୍ରଦାନ କରାଯାଇଛି । ମାଷ୍ଟର ଟ୍ରେନ୍‌ରେ ଭାବେ  ପ୍ରତି ଜିଲ୍ଲାରୁ ୧୩ ଜଣ ଶିକ୍ଷକଙ୍କୁ ଚୟନ କରାଯାଇଛି ।  ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ଡ.  ନିହାର ରଞ୍ଜନ ମହାନ୍ତି, ପରୀକ୍ଷା ନିୟନ୍ତ୍ରକ ତେମଲାଲ  ଦୁବେ, ଏକାଡେମିକ୍‌ ଅଫିସର ଡ. ସୁଶାନ୍ତ ମହାପାତ୍ର,  ଉପ ସମ୍ପାଦକ ଅନୁସ୍ମିତା ସ୍ୱାଇଁଙ୍କ ସମେତ ରିସୋର୍ସ  ପର୍ସନମାନେ ତ୍ରୁଟିଶୂନ୍ୟ ମୂଲ୍ୟାୟନ ଲାଗି ତାଲିମ ପ୍ରଦାନ  କରିଛନ୍ତି । ତାଲିମ୍‌ପ୍ରାପ୍ତ ମାଷ୍ଟର ଟ୍ରେନରମାନେ ଖୁବଶୀଘ୍ର  ଜିଲ୍ଲା ସ୍ତରରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ନେତୃତ୍ୱରେ ଅନ୍ୟ  ଶିକ୍ଷକମାନଙ୍କୁ ତାଲିମ୍‌ ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।