ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

Published By : Prameya | July 4, 2025 7:27 AM

ଭୁବନେଶ୍ୱର,୦୪/୦୭: ଅବିଶ୍ରାନ୍ତ ବର୍ଷା ଧାରା । ବନ୍ଦ ହେବାର  ନାଁ ଧରୁନି । ଶୁଖିଲା ପାଗ କୁଆଡ଼େ  ହଜିଗଲାଣି । ନିୟମିତ ବର୍ଷା ଲାଗି ରହିଛି । ପାଣିପାଗର ସମ୍ଭାବ୍ୟ ଲକ୍ଷଣ  ଯାହା- ଏବେ ବର୍ଷା ଛାଡ଼ିଲା ଭଳି ଲାଗୁନି । ଗୋଟିଏ ପରେ ଗୋଟିଏ  ଘୂର୍ଣ୍ଣିବଳୟ ବର୍ଷା ଜାରି ରହିଥିବାବେଳେ ଆହୁରି ଦୁଇଟି ଘୂର୍ଣ୍ଣିବଳୟ ଆଗପଛ ହୋଇ ଆସୁଛି । ବର୍ଷା ଢାଳିବ ନିର୍ଧୁମ । 

ଏ ବର୍ଷ ଆଗୁଆ ଆସିଥିବା ମୌସୁମୀ ଆରମ୍ଭରୁ ଧକାଉଥିଲା । ରଜ ଯାଏ ମୌସୁମୀ ଦୁର୍ବଳ ହୋଇ ପଡ଼ିଥିଲା । ଜୁନ୍‌ ୨୦ ପରେ ମୌସୁମୀ ସକ୍ରିୟ ହେଲା । ଯେତିକି ନିଅଣ୍ଟିଆ ସ୍ଥିତି ଥିଲା, ସବୁ ଭରଣା କରିଦେଲା ଏଇ ସପ୍ତାହରେ । ଜୁନ୍‌ ୨୬ରୁ ଜୁଲାଇ ୨  ଭିତରେ ରାଜ୍ୟରେ ଯେତିକି ବର୍ଷା ହେବା  କଥା, ତା’ଠାରୁ ୧୦୦% ଅଧିକ ବର୍ଷା  ଅଜାଡ଼ିଛି । ବର୍ତ୍ତମାନ ସ୍ଥିତି ଏଇଆ- ଜୁନ୍‌  ପହିଲାରୁ ଏଯାଏଁ ରାଜ୍ୟରେ ୨୯% ଅଧିକ ବର୍ଷା ଢାଳିଛି ମୌସୁମୀ । ୩ଟି ଜିଲ୍ଲାରେ  (ପୁରୀ, ଗଜପତି, ନୂଆପଡ଼ା) ବର୍ଷା  ସାମାନ୍ୟ ନିଅଣ୍ଟିଆ ଥିବାବେଳେ ୨୭ ଜିଲ୍ଲା  ଭଲ ବର୍ଷା ପାଇଛି । ଜୁଲାଇରୁ ବି ପ୍ରବଳ  ବର୍ଷା ଆଶା ଦେଖାଇଛି ପାଣିପାଗ ବିଭାଗ । 

ବର୍ତ୍ତମାନ ଉତ୍ତର ଓଡ଼ିଶା ଏବଂ  ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ  ଘୂର୍ଣ୍ଣିବଳୟ ଅଛି । ଏହା ପ୍ରଭାବରେ  ରାଜ୍ୟରେ ବର୍ଷା ଲାଗି ରହିଛି । ବିଭିନ୍ନ  ମଡେଲକୁ ଅନୁଶୀଳନ କରି ଆଗାମୀ  ଦୁଇ ସପ୍ତାହ ପାଇଁ ଭାରତୀୟ ପାଣିପାଗ  ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ ଜାରି  କରିଛି । ଏହି ପୂର୍ବାନୁମାନ କହୁଛି,  ଆସନ୍ତା ୬ ତାରିଖବେଳକୁ ଉତ୍ତର  ବଙ୍ଗୋପସାଗର, ପାଶ୍ୱର୍ବର୍ତ୍ତୀ ଉପକୂଳ  ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ  ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।  ଏହା ୩-୪ ଦିନ ଭିତରେ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗାଙ୍ଗେୟ  ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ  ଓ ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି  କରିବା ସମ୍ଭାବନା ଅଛି । ସେହିପରି  ଜୁଲାଇ ୧୧ରୁ ୧୭ ତାରିଖ ଭିତରେ ଆଉ  ଏକ ଘୂର୍ଣ୍ଣିବଳୟ ହୋଇପାରେ ଉତ୍ତର  ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଉପକୂଳ  ପଶ୍ଚିମବଙ୍ଗ-ଓଡ଼ିଶା ଏବ ବାଂଲାଦେଶ ଉପରେ । ଏବେ ଗୋଟିଏ ଘୂର୍ଣ୍ଣିବଳୟ ଥିବାବେଳେ  ଆଗକୁ ଆଗ ପଛ ହୋଇ ଆଉ ଦୁଇଟି ଘୂର୍ଣ୍ଣିବଳୟ ଓଡ଼ିଶା ମୁହାଁ  ହେବେ । ଏଥିରୁ ସ୍ପଷ୍ଟ-ଓଡ଼ିଶାରେ ବର୍ତ୍ତମାନ ଶୁଖିଲା ପାଗ ଆଶା କମ୍‌ ।  

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ ହେଲା-ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼ରେ  ପ୍ରବଳରୁ ପ୍ରବଳତର ବର୍ଷା ଓ ପବନ ହୋଇପାରେ । ଝାରସୁଗୁଡ଼ା,  ବରଗଡ଼, ସୋନପୁର, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର,  ନୂଆପଡ଼ାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଶନିବାର ବାହୁଡ଼ା ଯାତ୍ରା  ଦିନ ରାଜ୍ୟରେ ବିସ୍ତୃତ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ  ଅଞ୍ଚଳ, ଉପକୂଳର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା,  ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ ।  ୬ ତାରିଖ (ରବିବାର) ଉପକୂଳ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣର  ଅନେକ ସ୍ଥାନ ଏବଂ ଉତ୍ତର ଆଭ୍ୟନ୍ତରୀଣର ଅଧିକାଂଶ ସ୍ଥାନରେ  ବର୍ଷା ସମ୍ଭାବନା ଅଛି । ୭ରୁ ବର୍ଷା ପ୍ରକୋପ କମିବ । ତଥାପି ଅନେକ  ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।  

ବୁଧବାର ସକାଳରୁ ଅପରାହ୍ଣ ସାଢ଼େ ୫ଟା ଭିତରେ ଭୁବନେଶ୍ୱରରେ  ୩୪.୨, ସୁନ୍ଦରଗଡ଼ରେ ୪୩.୪, କୋରାପୁଟରେ ୧୪.୮, ବୌଦ୍ଧରେ ୧୫ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଅନେକ ସ୍ଥାନରେ ହାଲୁକା  ବର୍ଷା ବି ହୋଇଛି ।  

ଜୁନ୍‌ ପହିଲାରୁ ଏଯାବତ୍‌ ରାଜ୍ୟରେ ୨୩୮ ମିମି ବର୍ଷା ବର୍ଷା ହେବା  କଥା । ହୋଇଛି ୩୦୫.୮ ମିମି । ନୂଆପଡ଼ା, ଗଜପତି, ପୁରୀରେ ବର୍ଷା କମ୍‌ ଥିବାବେଳେ ୧୪ ଜିଲ୍ଲାରେ ଅଧିକ ଓ ୧୩ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା  ହୋଇଛି । ବୌଦ୍ଧରେ ୮୯%, ସୁନ୍ଦରଗଡ଼ରେ ୮୧%, ଦେବଗଡ଼ରେ  ୭୮%, ସୋନପୁରରେ ୭୩%, କୋରାପୁଟରେ ୭୩%, ମୟୂରଭଞ୍ଜରେ  ୬୩% ଅଧିକ ବର୍ଷା ହୋଇଛି । କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର,  ସମ୍ବଲପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମାଲକାନଗିରିରେ  ସ୍ୱାଭାବିକଠାରୁ ୨୦%ରୁ ୫୦% ପର୍ଯ୍ୟନ୍ତ ଅଧିକ ବର୍ଷା ହୋଇଛି ।  

ଗତ ୨୬ ଜୁନ୍‌ରୁ ଆଜି ଭିତରେ ରାଜ୍ୟରେ ହାରାହାରି ୧୨୬.୫  ମିମି ବର୍ଷା ହୋଇଛି । ଏହି ସମୟ ଭିତରେ କୋରାପୁଟରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୨୪୫% ଅଧିକ ବର୍ଷା ଅଜାଡ଼ିଛି । ମୟୂରଭଞ୍ଜରେ  ୨୧୩%, ବାଲେଶ୍ୱରରେ ୨୦୧%, ବୌଦ୍ଧରେ ୧୭୨%, ସୋନପୁରରେ  ୧୪୫%, ମାଲକାନଗିରିରେ ୧୩୭%, ନବରଙ୍ଗପୁରରେ ୧୨୭%,  ଜଗତସିଂହପୁରରେ ୧୩୭%, ସୁନ୍ଦରଗଡ଼ରେ ୧୦୧%, କଟକରେ  ୧୧୭%, ଅନୁଗୁଳରେ ୧୦୬%, କେନ୍ଦୁଝରରେ ୧୦୮%, ଭଦ୍ରକରେ  ୧୦୭% ମିମି ଅଧିକ ବର୍ଷା ଢାଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.