ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ସରକାରୀ ପ୍ରେସ୍‌ରେ ମନମୁଖି କାରବାର : ନୂଆ କ୍ୱାର୍ଟର୍ସ ପାଇଁ ୧୩ କୋଟି, ବ୍ୟୟ ଅଟକଳ ଦେଖିଲେ ଝାଇଁ ମାରିଦେଉଛି ମୁଣ୍ଡ

Published By : Rasmita Pradhan | July 3, 2025 11:30 AM

କଟକ, ୦୩/୦୭ : ଖପୁରିଆସ୍ଥିତ ଓଡ଼ିଶା ସରକାରୀ ଛାପାଖାନା ବା ଗଭର୍ଣ୍ଣମେଣ୍ଟ୍‌ ପ୍ରେସ୍‌ର ପ୍ରାୟ ଅଢ଼େଇ ହଜାର ବର୍ଗଫୁଟ୍‌ର କ୍ୟାଣ୍ଟିନ୍‌ । ଛାତରୁ ପାଣି ଗଳୁଥିଲା, କବାଟ ଝରକା ଭାଙ୍ଗି ଦଦରା ହେଇଯାଇଥିଲା । ମରାମତି ପାଇଁ ଯୋଜନା କଲେ କର୍ତ୍ତୃପକ୍ଷ । କିନ୍ତୁ ବ୍ୟୟ ଅଟକଳ ଦେଖିଲେ ମୁଣ୍ଡ ଝାଇଁ ମାରିଦେଉଛି । ଦୁଇ ପର୍ଯ୍ୟାୟରେ ପ୍ରାୟ କୋଟିଏ ଟଙ୍କା ବ୍ୟୟ ପାଇଁ ପ୍ରସ୍ତାବ । ଯଦି ଅଢ଼େଇ ହଜାର ବର୍ଗଫୁଟ୍‌ର ନୂଆ କ୍ୟାଣ୍ଟିନ୍‌ ତିଆରି କରାଯାଏ ତାହେଲେ ବି କୋଟିଏ ଟଙ୍କା ଖର୍ଚ୍ଚ ହେବ ନାହିଁ । ଯଥେଷ୍ଟ କମ୍‌ ଖର୍ଚ୍ଚରେ ଅତ୍ୟାଧୁନିକ ସୁବିଧାସୁଯୋଗ ସମ୍ପନ୍ନ କ୍ୟାଣ୍ଟିନ୍‌ କରାଯାଇପାରେ । କିନ୍ତୁ ମରାମତି ପାଇଁ କୋଟିଏ ଟଙ୍କାର ପ୍ରସ୍ତାବ କେଉଁଭଳି ଭାବେ ସରକାରଙ୍କୁ ଦିଆଗଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । 

ଓଡ଼ିଶା ସରକାରୀ ଛାପାଖାନାରେ ଥିବା କ୍ୟାଣ୍ଟିନ୍‌ ପ୍ରାୟ ୨୦ ବର୍ଷରୁ ଅଧିକ ସମୟ ଧରି ମରାମତି ହୋଇନାହିଁ । ଛାତରୁ ପାଣି ଗଳୁଥିବା ବେଳେ କର୍ମଚାରୀମାନେ ଖାଦ୍ୟପେୟକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ବବାଦରେ ପ୍ରେସ୍‌ କର୍ତ୍ତୃପକ୍ଷ ଅବଗତ ହେବା ପରେ ଏହାର ମରାମତି ପାଇଁ ଯୋଜନା କରିଥିଲେ । ଓଡ଼ିଶା ପୁଲିସ୍‌ ହାଉସିଂ ଆଣ୍ଡ୍‌ ୱେଲ୍‌ଫେୟାର୍‌ କର୍ପୋରେସନ୍‌କୁ ମରାମତି ଦାୟିତ୍ୱ ଦିଆଯାଇଥିଲା । ୨୦୨୪ ଡିସେମ୍ବର ୨୭ ତାରିଖରେ ପୁଲିସ୍‌ ହାଉସିଂ କର୍ପୋରେସନ୍‌ ୩୩ ଲକ୍ଷ ୮୫ହଜାର ଟଙ୍କାର ପ୍ଲାନ୍‌ ଓ ଏଷ୍ଟିମେଟ୍‌ ସରକାରୀ ଛାପାଖାନା ନିର୍ଦ୍ଦେଶକକୁ ଦେଇଥିଲେ । ୨୦୨୫ ଜାନୁଆରୀ ୧୬ତାରିଖରେ ଏ ବାବଦରେ ପାଣ୍ଠି ରିଲିଜ୍‌ କରାଯାଇଥିଲା । ପରେ କାମ ବି ଜାରି ରହିଛି । କିନ୍ତୁ ଗତ ମେ’ ୩୦ତାରିଖରେ ପୁଣି ଥରେ ପୁଲିସ୍‌ ହାଉସିଂ କର୍ପୋରେସନ୍‌ ତରଫରୁ ୬୫ଲକ୍ଷ ୪୬ହଜାର ଟଙ୍କା ପାଇଁ ସରକାରୀ ଛାପାଖାନା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି । ତେବେ ଦ୍ୱିତୀୟ ଚିଠିରେ ପ୍ରଥମ ଚିଠି ବାବଦରେ ଧାଡ଼ିଟିଏ ବି ଲେଖାନାହିଁ । କେବଳ କ୍ୟାଣ୍ଟିନ୍‌ ମରାମତି ବାବଦରେ ଖର୍ଚ୍ଚ ବୋଲି ଉଲ୍ଲେଖ କରାଯାଇଛି । 

ନିୟମ ଅନୁସାରେ କୌଣସି ନିର୍ମାଣାଧୀନ ପ୍ରକଳ୍ପ ପାଇଁ ଆଉ ବ୍ୟୟବରାଦର ପ୍ରସ୍ତାବ ଦେବା ବେଳେ ସେ ସଂପର୍କିତ ପୂର୍ବ ଚିଠିର ଉଲ୍ଲେଖ କରାଯିବା ଜରୁରୀ । ଗୁରୁତ୍ୱପୂର୍ଣ୍ଣ ହେଲା, ପ୍ରଥମ ଦଫା ଟଙ୍କାରେ ଏବେ ସୁଦ୍ଧା କ୍ୟାଣ୍ଟିନ୍‌ର ଅଳ୍ପ କିଛି କାମ ହୋଇ ବନ୍ଦ ରହିଛି । ଅଭିଯୋଗ ଅନୁସାରେ କ୍ୟାଣ୍ଟିନ୍‌ ମରାମତି ବାବଦରେ ଏତେ ଟଙ୍କା ଖର୍ଚ୍ଚ ହେବାର କୌଣସି ଯୁକ୍ତିସଂଗତ କାରଣ ନାହିଁ । ଦୁଇ ପର୍ଯ୍ୟାୟରେ ପ୍ରାୟ କୋଟିଏ ଟଙ୍କା କେଉଁ ସ୍ୱାର୍ଥରେ ପ୍ରସ୍ତାବ ଦିଆଯାଉଛି ତାକୁ ନେଇ କର୍ମଚାରୀମାନେ ପ୍ରଶ୍ନ ଉଠାଇଛନ୍ତି । ଏ ସମ୍ପର୍କରେ ସରକାରୀ ପ୍ରେସ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରେ କୌଣସି ଉତ୍ତର ମିଳିନି । ଦିନକ ତଳେ ଦାୟିତ୍ୱ ନେଇଥିବା ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିବା ବେଳେ ଏ ବାବଦରେ ତୁରନ୍ତ ଅଡିଟ୍‌ କରାଯିବାର ଆବଶ୍ୟକତା ରହିଥିବା କର୍ମଚାରୀମାନେ ମତ ଦେଇଛନ୍ତି । 

ଅନ୍ୟପକ୍ଷରେ ସରକାରୀ ପ୍ରେସ୍‌ ଏବେ କର୍ମଚାରୀଙ୍କ ଲାଗି ନୂଆ କ୍ୱାର୍ଟର୍ସ କରିବାକୁ ଯୋଜନା କରୁଛି । ରାଜପଥ ପାର୍ଶ୍ୱରେ ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ପାର୍ଶ୍ୱରେ ରହିଥିବା ଖାଲି ଜମିରେ ଏହି କ୍ୱାର୍ଟର୍ସ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସରକାରୀ ଛାପାଖାନାର ପୂର୍ବରୁ ନୂଆପଡାରେ କଲୋନୀ ରହିଛି । ଏଠାରେ ପ୍ରାୟ ୨ଶହରୁ ଅଧିକ କ୍ୱାର୍ଟର୍ସ ରହିଛି । ତେବେ ଏଥିରୁ ପ୍ରାୟ ଶହେରୁ ଅଧିକ କ୍ୱାର୍ଟର୍ସ ଜବରଦଖଲରେ ରହିଛି । ଶହେରୁ ଅଧିକ କ୍ୱାର୍ଟର୍ସରୁ ଜବରଦଖଲ ନହଟାଇ ଏବେ କର୍ତ୍ତୃପକ୍ଷ ନୂଆ କ୍ୱାର୍ଟର୍ସ ଯୋଜନା କରିବା ନେଇ ବି ବିବାଦ ଦେଖା ଦେଇଛି । କେବଳ ସେତିକି ନୁହେଁ ପ୍ରେସ୍‌ କଲୋନୀ ପାର୍ଶ୍ୱରେ ପ୍ରାୟ ୨୦ ଏକର ଜମି ଫାଙ୍କା ପଡିଛି । ସରକାରୀ ପ୍ରେସ୍‌ କଲୋନୀକୁ ସମ୍ପ୍ରସାରଣ କରିବାର ସୁଯୋଗ ବି ରହିଛି । କିନ୍ତୁ ତାହା ନକରି ପ୍ରେସ୍‌ ଛକ ରାଜପଥ ପାଶ୍ୱର୍ରେ ରହିଥିବା ଜମିରେ ନୂଆ କ୍ୱାର୍ଟର୍ସ କରାଯାଉଛି । କର୍ମଚାରୀ ସଂଘ ତରଫରୁ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ ଦାବି ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.