କର୍ଣ୍ଣାଟକ ୧୫/୦୬: ଗାଡ଼ିକୁ ଘର ବାହାରେ କିମ୍ବା ଗ୍ୟାରେଜ୍‌ ରଖାଯାଏ । କିନ୍ତୁ କର୍ଣ୍ଣାଟକର ଜଣେ ମେକାନିକ୍‌ଙ୍କ ଗାଡ଼ି ଛାତ ଉପରେ ରହୁଛି । ମେକାନିକ୍‌ ସୂରଜ ନିଜର ପୁରୁଣା ମାରୁତି ୮୦୦ କାର୍‌କୁ ୩ ମହଲା ଘରର ଛାତ ଉପରେ ରଖିଛନ୍ତି । ସେତିକି ନୁହେଁ, ସେ ଓ ତାଙ୍କ ପରିବାର କାର୍‌କୁ ଭଗବାନ ମାନି ପ୍ରତି ଅମାବାସ୍ୟା, ପୂର୍ଣ୍ଣିମା ଓ ଦଶହରାରେ ପୂଜା କରୁଛନ୍ତି ।

ସୂରଜ କହନ୍ତି, ସେ ଗରିବ ପରିବାରରେ ଜନ୍ମ ହୋଇଥିଲେ । ବଡ଼ ହେବା ପରେ ଅର୍ଥ ଉପାର୍ଜନ ଲାଗି କାର୍‌ ମେକାନିକ୍‌ ଚାକିରି କରିବା ଆରମ୍ଭ କଲେ । ଅନେକ ବର୍ଷ ତଳେ ସେ ୨୦ ହଜାର ଟଙ୍କାରେ ମାରୁତି ୮୦୦ କାର୍‌ କିଣିଥିଲେ । ଏଥିରେ ସେ ଲୋକଙ୍କୁ ଡ୍ରାଇଭିଂ ଟ୍ରେନିଂ ଦେବା ଆରମ୍ଭ କରିଥିଲେ । ଏଥିରୁ ଯାହା ଟଙ୍କା ମିଳୁଥିଲା, ସେଥିରେ ଧୀରେ ଧୀରେ ଜାଗା କିଣିଲେ । ତାଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେଲା । ସେ ନିଜର ଘର ନିର୍ମାଣ କଲେ । ଦୋକାନ ବି ଖୋଲିଲେ । କିନ୍ତୁ ମାରୁତି ୮୦୦ କାର୍‌ ପାଖରେ ସେ ସର୍ବଦା ଋଣୀ ରହିଲେ । ସେଇ କାର୍‌ ପାଇଁ ତାଙ୍କର ସ୍ଥିତି ବଦଳିଥିବାରୁ ସେ କାର୍‌କୁ ଭଗବାନ ବୋଲି ମାନିଲେ ଏବଂ ତାକୁ ପୂଜା କଲେ । କାର୍‌ ପୁରୁଣା ହେବା ପରେ ତାକୁ ନିଜ ଛାତ ଉପରେ ରଖିଲେ ଏବଂ ପୂଜା କରିବାକୁ ଲାଗିଲେ ।