ବାଲେଶ୍ୱର,୦୫/୦୬: ‘ମଶାଣି ମଣିଷ’ ମୋନା ମାଝୀ ସମ୍ପୂର୍ଣ୍ଣ ମାନସିକ ଭାରସାମ୍ୟ ହରାଇନାହାନ୍ତି । କଥା ବୁଝିପାରୁଛନ୍ତି । ଅନେକ କିଛି କହିବାକୁ ଚେଷ୍ଟା କରୁଛନ୍ତି । ହେଲେ ଲୋକଙ୍କ ବ୍ୟବହାର ଏବଂ ମନରେ ଥିବା ଭୟ ବାରି ହୋଇପଡୁଛି। ଗଭୀର ଆଘାତ ପାଇବା ପରେ ସେ ମାନସିକ ସ୍ଥିରତା ହରାଇଛନ୍ତି । କାହା ସହ ସହଜରେ ମିଶି ପାରୁନାହାନ୍ତି। ମଶାଣିରୁ ପଦାକୁ ବାହାରିବା ପରେ ଗୁରୁବାର ହୋଇଥିବା ପ୍ରଥମ ପର୍ଯ୍ୟାୟ କାଉନ୍ସେଲିଂରୁ ମୋନାଙ୍କ ବିଷୟରେ ଏଭଳି ତଥ୍ୟ ଦେଇଛି କାଉନ୍ସେଲିଂ ଟିମ୍ । ମୋନା କମ୍ କଥା ହେଉଛନ୍ତି । ପୁଣି ମଣାଣିକୁ ଫେରିଯିବାକୁ କହୁଛନ୍ତି । ଗୋଟିଏ ଦୁଇଟି ବ୍ୟକ୍ତିଗତ ତଥ୍ୟ ଦେଇଛନ୍ତି । ଘର ମୟୂରଭଞ୍ଜ ଜିଲ୍ଲା ଏବଂ ତାଙ୍କର ୪ ପୁଅ ଓ ୪ ଝିଅ ଥିବା କହିଛନ୍ତି । କିନ୍ତୁ ପ୍ରଥମ ପର୍ଯ୍ୟାୟ କାଉନ୍ସେଲିଂରୁ ମୋନାଙ୍କ ଅତୀତ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡ଼ିନାହିଁ । ବାଲେଶ୍ୱର ମ୍ୟୁନିସିପାଲିଟି ୨୪ନଂ. ୱାର୍ଡ ଅଧୀନ ବାଲିଘାଟ ଶ୍ମଶାନରୁ ମୋନାଙ୍କୁ ଗତ ବୁଧବାର ସମାଜସେବୀ, ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା ।
ଗତ ୨୨ ତାରିଖରୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାପାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ତଦନ୍ତ ପାଇଁ ଚିଠି ହୋଇଥିଲା । କିନ୍ତୁ ୧୫ ଦିନ ପର୍ଯ୍ୟନ୍ତ ସରକାରୀସ୍ତରରେ ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଇ ନ ଥିଲା । କେବଳ ପୌରପାଳିକା ପକ୍ଷରୁ ଗତ ମଙ୍ଗଳବାର ଘଟଣାର ଯାଞ୍ଚ କରାଯାଇଥିଲା । ଏହାପରେ ଅଧିକାରୀମାନେ ଚୁପ୍ ବସିଛନ୍ତି । ମୋନାଙ୍କୁ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବିଭାଗ ମଧ୍ୟରୁ ଅନେକ ଘଟଣା ସମ୍ପର୍କରେ ଅବଗତ ନ ଥିବା ଜଣାପଡ଼ିଛି । ଉଦ୍ଧାର ପରେ ପୌରପାଳିକା ଅଧିକାରୀଙ୍କୁ ମୋନାଙ୍କ ଥଇଥାନ ସମ୍ପର୍କରେ ପଚରାଯାଇଥିବାବେଳେ ତାଙ୍କୁ ଡାକ୍ତରଖାନରେ ରଖିବା କଥା ନିର୍ବାହୀ ଅଧିକାରୀ କହିଥିଲେ । ଡିଏସ୍ଡବ୍ଲୁ ଅଧିକାରୀଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲା ନାରୀ ସଦନରେ ତାଙ୍କୁ ଥଇଥାନ କରାଯାଇଛି ।
ଗୁରୁବାର ମୋନାଙ୍କ କାଉନ୍ସେଲିଂ କରାଯିବା ପରେ ରେମୁଣାସ୍ଥିତ ଫକୀର ମୋହନ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ମୋନାଙ୍କୁ ଭତ୍ତି ର୍ କରାଯିବ ବୋଲି ଡିଏସ୍ଡବ୍ଲୁ ଅଧିକାରୀ କହିଥିଲେ । ଗୁରୁବାର ମୁଖ୍ୟ ଚିକିତ୍ସାଳୟର ସଖୀ ଗୃହ ଏବଂ ଡିଏସ୍ଡବ୍ଲୁ ପକ୍ଷରୁ ତଦନ୍ତକାରୀ ଟିମ୍ ଆସି ମୋନାଙ୍କୁ ପଚରାଉଚରା କରିଛନ୍ତି । ମୋନା ନାରୀ ସଦନରେ ନରହି ମଶାଣିରେ ରହିବାକୁ ଚାହୁଁଛନ୍ତି । ଅଳ୍ପ କଥା କହୁଛନ୍ତି । ଗୋଟିଏ ଥର କାଉନ୍ସେଲିଂରେ ସମସ୍ତ ତଥ୍ୟ ସହଜରେ ଜଣାପଡ଼ିବନି । ଏଥିପାଇଁ ସମୟ ଲାଗିବ । ଧୀରେ ଧୀରେ ମୋନା ସ୍ୱାଭାବିକ ହେବେ ଏବଂ ନିଜ ବିଷୟରେ କହିବେ ବୋଲି କାଉନ୍ସେଲିଂ ଟିମ ସଦସ୍ୟ ବିନୋଦକୃଷ୍ଣ ପାତ୍ର, ସଞ୍ଜିତା ଖାତୁନ୍, ରାଜେଶ୍ ଦାସ୍ ପ୍ରମୁଖ କହିଛନ୍ତି ।
ନାରୀ ସଦନ ସଭାନେତ୍ରୀ ଗୋପାମୁଦ୍ରା ମହାପାତ୍ର କହିଛନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଖୀ ଘରେ ଚିକିତ୍ସା, କାଉନ୍ସେଲିଂ, ଯତ୍ନ ପାଇଁ ବ୍ୟବସ୍ଥା ରହିଛି । ନାରୀ ସଦନରେ ସେହିଭଳି ବ୍ୟବସ୍ଥା ନାହିଁ । ତଥାପି ଗୁରୁବାର ମୋନାଙ୍କୁ ଗାଧୋଇବା ସହ ତାଙ୍କୁ ସଫା କରାଯାଇ ଚିକିତ୍ସା ଚାଲିଛି । ଅନ୍ୟପକ୍ଷରେ ମୁଖ୍ୟ ଚିକିତ୍ସାଳୟକୁ ଏ ସମ୍ପର୍କରେ ଚିଠି ହୋଇଥିଲା । ସିଡିଏମ୍ଓ ଡା. ଅମୂଲ୍ୟ ଦାସଙ୍କୁ ଯୋଗାଯୋଗ କରାଯିବାରୁ ସେ ଏଡିଏମ୍ଓ ଡା. ଗିରିଜାଶଙ୍କର ଦାସ୍ଙ୍କ ପଚାରିବାକୁ କହିଥିଲେ । ଏଡିଏମ୍ଓ ଡା. ଦାସ୍ ଘଟଣା ସମ୍ପର୍କରେ ଅବଗତ ନ ଥିବା ଓ ଚିଠି ମିଳି ନ ଥିବା କହିବା ସହ ମ୍ୟାନେଜରଙ୍କୁ ପଚାରିବାକୁ କହିଥିଲେ । ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଥିଲେ ବି ସମ୍ଭବ ହୋଇନାହିଁ ।
ଅଧିକ ପଢ଼ନ୍ତୁ :- ‘Mashani Manisha’ : ମୋନାଙ୍କୁ ଉଦ୍ଧାରରେ ବିଫଳ ପୌରପାଳିକା, ନାରୀସଂଘରେ ରଖିବାକୁ ସାମାଜିକ ସୁରକ୍ଷା ବିଭାଗର ନିର୍ଦ୍ଦେଶ