ଲହୁଣୀପଡ଼ା,୦୭/୦୪: ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ନିକଟରେ ହୁତୁ ହୁତୁ ହୋଇ ଜଳିଲା ରେଲୱେ ଗ୍ରୀଡ୍। ଗତକାଲି ରାତିରେ ବଡ ବ୍ଲାଷ୍ଟ ପରେ ଗ୍ରିଡରେ ନିଆଁ ଲାଗିଯାଇଥିବା ସୂଚନା। ଚାନ୍ଦିପୋଷ ଥାନା ପଛପଟେ ଥିବା ରେଲୱେ ଗ୍ରୀଡ଼ରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ହଠାତ ବ୍ଲାଷ୍ଟ ହୋଇଥିଲା। ପରେ ଚାନ୍ଦିପୋଷ ପୁଲିସ କର୍ମଚାରୀମାନେ ଭୟରେ ଥାନାରୁ ବାହାରକୁ ବାହାରି ଆସିଥଲେ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।
ଆହୁରି ପଢନ୍ତୁ-ଆଜିଠୁ ଗାଁକୁ ଯିବେ ବିଜେପି ନେତା, ଘରକୁ ଘର ବୁଲି ସଫଳତା ବଖାଣିବେ
ନିଆଁ ଲାଗିଥିବା ଦେଖି ତୁରନ୍ତ ଚାନ୍ଦିପୋଷ ପୁଲିସ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ପ୍ରଥମେ ଲହୁଣୀପଡା ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିପାରି ନଥିବାରୁ ପରେ ରାଉରକେଲା, ବଣାଇରୁ ଆସି ଦୀର୍ଘ ୪ ଘଣ୍ଟା ନାକେଦମ ହେବା ପରେ ନିଆଁ ଆୟତ୍ତ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାରେ ବ୍ୟାପକ କ୍ଷତି ଘଟିଥିବା ସମ୍ଭାବନା ରହିଥିବାବେଳେ, ସଠିକ୍ କ୍ଷତିର ଆକଳନ ଏପର୍ଯ୍ୟନ୍ତ ହୋଇନାହିଁ।ଏହି ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଆତଙ୍କର ପରିବେଶ ଦେଖାଦେଇଛି।