ଭୁବନେଶ୍ୱର, ୧୯।୫: ରାଜଧାନୀ ଭୁବନେଶ୍ୱରର ଭିଏସଏସ୍ ନଗର ଛକ ନିକଟରେ ଗୁରୁବାର ଏକ ବଡ଼ଧରଣର ଅଘଟଣ ଘଟିଛି । ସ୍ଥାନୀୟ ଅଞ୍ଚଳରେ ଥିବା ଜଣାଶୁଣା ହୋଟେଲ 'ରୁଚି'ରେ ରୋଷେଇ ଚାଲିଥିବା ସମୟରେ ହଠାତ୍ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ହେବା ଫଳରେ ସେଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ରତ୍ୟକ୍ଷଦର୍ଶୀ ଏବଂ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହୋଟେଲ ରୁଚି ମଧ୍ୟରେ କୋଇଲା ଚୁଲା ଏବଂ ଗ୍ୟାସ୍ ଚୁଲା ଉଭୟ ବ୍ୟବହାର କରାଯାଉଥିଲା । ରୋଷେଇ ହେଉଥିବା ସମୟରେ କୋଇଲା ଚୁଲାରୁ ହଠାତ୍ ନିଆଁର ଏକ ସ୍ପାର୍କ ଯାଇ ନିକଟରେ ଥିବା ଏଲପିଜି ଗ୍ୟାସ୍ ସିଲିଣ୍ଡର ସଂସ୍ପର୍ଶରେ ଆସିଥିଲା । ଗ୍ୟାସ୍ ଲିକ୍ ଯୋଗୁଁ ହେଉ କିମ୍ବା ଅତ୍ୟଧିକ ଗରମ ଯୋଗୁଁ, ସିଲିଣ୍ଡରଟି ହଠାତ୍ ଫାଟିଯାଇଥିଲା । ବିସ୍ଫୋରଣ ପରେ ପରେ ନିଆଁ କ୍ଷିପ୍ର ଗତିରେ ସାରା ହୋଟେଲକୁ ବ୍ୟାପି ଯାଇଥିଲା ।

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସହିଦ ନଗର ଥାନା ପୁଲିସ ଏବଂ ପିସିଆର୍ ଭ୍ୟାନ୍ ଆଦିତ୍ୟ ସେଠାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ ହାତକୁ ନେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଭିଡ଼କୁ ନିୟନ୍ତ୍ରଣ କରାଯାଇଥିଲା । ଏହା ସହିତ ମଞ୍ଚେଶ୍ୱର ଅଗ୍ନିଶମ ବାହିନୀ କେନ୍ଦ୍ରରୁ ଦୁଇଟି ପ୍ରମୁଖ ଟିମ୍ ଅଗ୍ନିଶମ ଗାଡ଼ି ସହ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ହୋଟେଲ ଭିତରେ ବର୍ତ୍ତମାନ ସୁଦ୍ଧା ଆଉ ଗୋଟିଏ ସିଲିଣ୍ଡର ରହିଛି । ଅଗ୍ନିଶମ ବାହିନୀର କର୍ମଚାରୀମାନେ ଅତ୍ୟନ୍ତ ସତର୍କତା ଏବଂ ସାବଧାନତାର ସହ ନିଆଁ ଲିଭାଇବା ସହ ସେହି ସିଲିଣ୍ଡରକୁ ସୁରକ୍ଷିତ ଭାବେ ବାହାରକୁ ଆଣିବାକୁ ଚେଷ୍ଟା କରୁଛନ୍ତି ।

ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ହୋଟେଲ ଭିତରେ ସବୁକିଛି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ତେବେ ସୌଭାଗ୍ୟବଶତଃ ଏପର୍ଯ୍ୟନ୍ତ କୌଣସି ଜୀବନହାନି କିମ୍ବା ଗୁରୁତର ଆହତ ହେବାର ଖବର ହସ୍ତଗତ ହୋଇନାହିଁ । ସମୟ ଥାଉ ଥାଉ ହୋଟେଲର କର୍ମଚାରୀ ଏବଂ ଗ୍ରାହକମାନେ ବାହାରକୁ ଚାଲି ଆସିବାରେ ସଫଳ ହୋଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛନ୍ତି । ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ ହିଁ ଅଘଟଣର ପ୍ରକୃତ କାରଣ ଏବଂ ସଠିକ୍ କ୍ଷୟକ୍ଷତିର ପରିମାଣ ସ୍ପଷ୍ଟ ହେବ ।

ଆହୁରି ପଢ଼ନ୍ତୁ... Zonal Agriculture: କୃଷି ବିଭାଗ ଉପରେ ତୈଳ ସଙ୍କଟ ପ୍ରଭାବ, ପ୍ରାକୃତିକ ପ୍ରଣାଳୀରେ ଚାଷ କରିବାକୁ ଆହ୍ବାନ