ନୂଆଦିଲ୍ଲୀ: ଜମ୍ମୁର ତ୍ରିକୁଟା ପାହାଡ ଉପରେ ଅବସ୍ଥିତ ମାତା ବୈଷ୍ଣୋଦେବୀ ମନ୍ଦିର ପାଇଁ ତୀର୍ଥଯାତ୍ରା ଆଜି (ବୁଧବାର) ଠାରୁ ୯ ଦିନ ପର୍ଯ୍ୟନ୍ତ ସ୍ଥଗିତ ରହିଛି। କାରଣ ମନ୍ଦିର ଯାଉଥିବା ଟ୍ରାକ୍ ଉପରେ ପୁଣି ଭୂସ୍ଖଳନ ହୋଇଛି।ତେବେ ଏହି ସମୟରେ ତୀର୍ଥଯାତ୍ରୀ ସେଠାରେ ଉପସ୍ଥିତ ନଥିଲେ। ଏଥିପାଇଁ କୌଣସି ପ୍ରାଣହାନୀ ଘଟିନାହିଁ କିମ୍ବା କୌଣସି ଆହତର ସୂଚନା ନାହିଁ।    

ରିୟାସୀ ଜିଲ୍ଲାରେ ଅବସ୍ଥିତ ମାତା ବୈଷ୍ଣୋଦେବୀ ମନ୍ଦିର ମାର୍ଗରେ ହୋଇଥିବା ଭୂସ୍ଖଳନ ଏବଂ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନିୟୋଜିତ ଅଧିକାରୀ ମାନେ ଯାତ୍ରୀ ରହଣୀସ୍ଥଳକୁ ମଧ୍ୟ ଖାଲି କରିଦେଇଛନ୍ତି । ବୈଷ୍ଣୋଦେବୀ ମନ୍ଦିର ଯାତ୍ରା ସ୍ଥଗିତ ରହିବା ଯୋଗୁଁ,ଭକ୍ତଙ୍କ ଅନୁପସ୍ଥିତିରେ କଟରା ବେସ୍ କ୍ୟାମ୍ପ ସମ୍ପୂର୍ଣ୍ଣ ଜନଶୂନ୍ୟ ଦେଖାଯାଉଛି।

ପାଣିପାଗ ବିଭାଗ ବୁଧବାର କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ବୈଷ୍ଣୋଦେବୀ ମନ୍ଦିରର ବେସ୍ କ୍ୟାମ୍ପରେ ୨୦୦ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି, ଯାହା ଜମ୍ମୁ ଅଞ୍ଚଳରେ ସର୍ବାଧିକ।

ଅଗଷ୍ଟ ୨୬ ରେ ବୈଷ୍ଣୋଦେବୀଙ୍କ ଯାତ୍ରା ବନ୍ଦ କରାଯାଇଥିଲା। ତଥାପି, ମନ୍ଦିର ଖୋଲା ଅଛି ଏବଂ ଏହାର ପୁରୋହିତ ମାନେ ପ୍ରତିଦିନ ପ୍ରାର୍ଥନା ଏବଂ ପୂଜାର୍ଚ୍ଚନା କରୁଛନ୍ତି। ଅଗଷ୍ଟ ୨୬ ରେ, ଅର୍ଦ୍ଧକୁମାରୀ ନିକଟରେ ପୁରୁଣା ରାସ୍ତାରେ ବର୍ଷା ଯୋଗୁଁ ଏକ ବଡ଼ ଭୂସ୍ଖଳନ ହୋଇଥିଲା। ଏହି ଦୁର୍ଘଟଣାରେ ୩୪ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦ ଜଣ ଆହତ ହୋଇଥିଲେ।

କୋଭିଡ୍-୧୯ କଟକଣା ପରେ ଏହା ସବୁଠାରୁ ଲମ୍ବା ସମୟ ଯେ, ଯାତ୍ରା ସ୍ଥଗିତ ରଖାଯାଇଛି। ୨୦୨୪ ମସିହାରେ, ପ୍ରାୟ ୯୫ ଲକ୍ଷ ଭକ୍ତ ମାତା ବୈଷ୍ଣୋ ଦେବୀଙ୍କ ପୂଜା କରିଥିଲେ। ଅର୍ଥାତ୍ ପ୍ରତିଦିନ ହାରାହାରି ୨୬୦୨୭। ଆର୍ଥିକ ବର୍ଷ ୨୦୨୪-୨୫ରେ ଭକ୍ତମାନେ ୧୭୨ କୋଟି ଟଙ୍କା ଦାନ କରିଥିଲେ।