ଭୌତିକ ବିକାଶ ପରେ ସମାଜ ବୌଦ୍ଧିକତା ମାର୍ଗକୁ ଉତରିତ ହୁଏ । କିନ୍ତୁ ବୌଦ୍ଧିକତା ସ୍ଥୂଳଜଗତର ସ୍ୱାର୍ଥକୈନ୍ଦ୍ରିକତା ଓ ଜୀବନର ସଫଳତାରେ ବୁଡ଼ିରୁହେ, ଜୀବନ ବ୍ୟର୍ଥ ହୋଇଯାଏ । କାରଣ ସଫଳତାର ମାପକାଠି କେବଳ ପ୍ରାଚୁର୍ଯ୍ୟତା କିମ୍ବା କିଛି ପ୍ରାପ୍ତି ଶୀର୍ଷତ୍ୱର ଅବଧାରଣା ସୃଷ୍ଟି କରୁଛି । ଜ୍ଞାନବିଜ୍ଞାନର ଯୁକ୍ତିଯୁକ୍ତତା ଅଲୌକିକତା ବା ଅନ୍ଧବିଶ୍ୱାସକୁ ଖଣ୍ଡନ କରେ । କିନ୍ତୁ ବୌଦ୍ଧିକତା ବିବେକାନୁମୋଦିତ ନହଲେ ଭସ୍ମାସୁର ସାଜେ । ଜ୍ଞାନବିଜ୍ଞାନର ଦିଗ ଜ୍ଞାନର ଗଭୀରତାଠାରୁ ଗୁରୁତ୍ୱପୂର୍ଣ୍ଣ । ସମଗ୍ର ବିଶ୍ୱ ସମାଜ ଜ୍ଞାନବିଜ୍ଞାନର ପୁଞ୍ଜିକୁ ଉପଯୁକ୍ତ ବ୍ୟବହାର ନକରିବା ଦ୍ୱାରା ଆଜି ସମଗ୍ର ବିଶ୍ୱ ପଥଭ୍ରଷ୍ଟ । ସବୁ ଦେଶରେ ସ୍ୱାଧୀନତା ପରେ ଜାତୀୟତାବୋଧ ବୃଦ୍ଧିପାଇଛି । ସ୍ୱଦେଶପ୍ରେମ ବଢ଼ିବା ସହ ଅନ୍ୟ ଦେଶ ପ୍ରତି ଘୃଣାଭାବ ବଢ଼ିବା ହେଉଛି ବଡ଼ ବିଡ଼ମ୍ବନା ।

ପରିତାପର ବିଷୟ, ଏତେ ଆଧୁନିକତା ସତ୍ତେ୍ୱ ଅପରାଧ, ହତ୍ୟା- ଆତ୍ମହତ୍ୟା ପ୍ରବଣତା, ଆତଙ୍କବାଦୀ କାର୍ଯ୍ୟକଳାପ ସାଙ୍ଗେ ଯୁଦ୍ଧପ୍ରବଣତା ପୃଥିବୀସାରା ବୃଦ୍ଧିପାଉଛି । ଏବେ ବିଶ୍ୱର ସବୁ କୋଣରେ ଯୁଦ୍ଧ ଲାଗିରହିଛି । ସେଥିପାଇଁ ମଣିଷ ଆଜି ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କାରେ ଆତଙ୍କିତ । ବିକଶିତ ଦେଶର ବୈଜ୍ଞାନିକମାନେ ଯୁଦ୍ଧାସ୍ତ୍ର ତିଆରି କରିବାରେ ବ୍ୟସ୍ତ । ପରମାଣୁ ବୋମାର ଉଦ୍ଭାବନ ଦ୍ୱାରା ଗୋଟିଏ ବଟନ ଦବାଇଲେ ସାରା ପୃଥିବୀ ଧ୍ୱଂସ ହେଇଯିବ । ଆଜି ଶକ୍ତିଶାଳୀ ଦେଶମାନଙ୍କ ହାତରେ ସମଗ୍ର ବିଶ୍ୱର ଭବିଷ୍ୟତ । ରାଜାରାଜୁଡ଼ା ସମୟର ଯୁଦ୍ଧ ଭୟାବହତା ତୁଳନାରେ ପରମାଣୁ ଶକ୍ତି ଅଧିକ ମାରାତ୍ମକ । ଏହାର ମୁଖ୍ୟ କାରଣ ହେଉଛି ମଣିଷର ଅହଂକାର ମଣିଷପଣିଆ ମାର୍ଗରୁ ବିଚ୍ୟୁତି । ବିଶ୍ୱୀକରଣ ଦ୍ୱାରା ବିଶ୍ୱଚେତନା ସଂଚରିତ ହେବା ପରିବର୍ତ୍ତେ ଆସିଛି ତୀବ୍ର ଭୋଗବାଦ ।

ବିଶ୍ୱୀକରଣ ପରିବର୍ତ୍ତେ ଆସିଛି ଭୋଗବାଦର ଆମେରିକୀକରଣ । ଜାତୀୟତା ଓ ଦେଶପ୍ରେମ ସହ ଧର୍ମୀୟ ଭାବନାର ଅହେତୁକ ବୃଦ୍ଧି ଘଟିଛି । ବସ୍ତୁବାଦୀ ଦୁନିଆରେ ସମସ୍ତେ ଭୋଗବାଦରେ ଲିପ୍ତ । ଯୋଗ୍ୟତା ବା ପ୍ରବୃତ୍ତି ଥାଉ ନଥାଉ, ନୀତି ଥାଉ କି ଅନୀତି ହେଉ ସମସ୍ତେ ନିଜ ନିଜ ସ୍ତରରେ କିଛି ଝାମ୍ପିନେଇ ଧନ ସମ୍ପତ୍ତି ଠୁଳ କରିବାରେ ବ୍ୟସ୍ତ । ଆଜି ଶିକ୍ଷିତବର୍ଗ ଧନ ଅର୍ଜନ କରି ଅୟସ କରିବା ପ୍ରବଣତା ସହ ସମାଜରେ ସଫଳତା ହାସଲ କରିବା ମାନସିକତା ପୋଷଣ କରନ୍ତି । ଶିକ୍ଷିତ ଯୁବକଙ୍କର ଗୋଟିଏ ଲକ୍ଷ୍ୟ, ସୌଖିନ ବା ଅୟସପୂର୍ଣ୍ଣ ଜୀବନ ଗଢ଼ିବା । ସଫଳତା ସାଜିଛି ବ୍ୟକ୍ତିକୈନ୍ଦ୍ରିକ ଜୀବନ ଓ ସ୍ୱାର୍ଥକୈନ୍ଦ୍ରିକ ସମ୍ପର୍କ । ମଣିଷର ଅହଙ୍କାର, ଛଳନା, କୃତ୍ରିମତା, ସ୍ୱାର୍ଥପରତା ଓ ସମସ୍ତ ପ୍ରକାର ଅପରାଧ ପ୍ରବଣତା ଭରି ରହିଛି । ସମସ୍ତଙ୍କ ଭିତରେ ତୀବ୍ର ଉପଭୋକ୍ତାବାଦ, ଆଳସ୍ୟଖୋର, ଅୟସଖୋର ଓ ପ୍ରାକୃତିକ ସମ୍ପଦ ଲୁଣ୍ଠନ, ଜିନିଷପତ୍ର ନଷ୍ଟ କରିବା ମନୋବୃତ୍ତି । ସ୍ୱାର୍ଥକୈନ୍ଦ୍ରିକତା ଅମୃତମୟ ଜୀବନକୁ ସଂକୁଚିତ କରିଦେଉଛି । ବ୍ୟକ୍ତି ଧୀରେ ଧୀରେ ଅସାମାଜିକ ପ୍ରାଣୀରେ ପରିଣତ ହେଉଛି । ଅହଂକାର ଓ ଆଶଙ୍କା ମଣିଷର ବୁଦ୍ଧି ବିବେକକୁ ନିଷ୍କ୍ରିୟ କରିଦେଉଛି । ବାସ୍ତବରେ ବ୍ୟକ୍ତିଜୀବନ ସାଜିଛି ଅଶାନ୍ତିର ଆଗ୍ନେୟଗିରି । ବଡ଼ଲୋକ ହେବାର ପ୍ରବଣତା ଭଲଲୋକ ହେବାର ପ୍ରବଣତାକୁ ଦବାଇ ଦେଉଛି ।

ବିଜ୍ଞାନ ମାନବ ସମାଜକୈନ୍ଦ୍ରିକ ହେବା ପରିବର୍ତ୍ତେ ବଜାରକୈନ୍ଦ୍ରିକ ହେଇଛି । ଶିକ୍ଷାବ୍ୟବସ୍ଥା ଜୀବନକୈନ୍ଦ୍ରିକ ହେବା ପରିବର୍ତ୍ତେ ଜୀବିକାକୈନ୍ଦ୍ରିକ ହେଇଛି । ଶିକ୍ଷା କେବଳ ବ୍ୟକ୍ତିଗତ ସ୍ତରରେ କିଛି ହାସଲ କରିବାର ମାନସିକତା ସୃଷ୍ଟି କରୁଛି । ଜ୍ଞାନ ଅର୍ଜନ ବୁଦ୍ଧି-ବିବେକ ଆଧାରିତ ହେବା ପରିବର୍ତ୍ତେ ସ୍ଥୂଳ ଜୀବନରେ ସଫଳତା ଓ ବିଫଳତାର ପାର୍ଥକ୍ୟ ବୃଦ୍ଧି କରୁଛି । ଧନୀ-ଗରିବର ପ୍ରଭେଦ ତୀବ୍ରରୂପ ଧାରଣ କରୁଛି । ଜୀବନରେ ହାରିଯିବାର ମାନସିକତା ସାଙ୍ଗକୁ ହତାଶବୋଧ ଫଳରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧିପାଉଛି । ସୁନ୍ଦର କୋଠା ଭିତରେ ସମ୍ପର୍କର ସଂକଟ । ପରିବାର ଭିତରେ ଆତ୍ମୀୟତା ଅଭାବ । ସୁନ୍ଦର ଧାର୍ମିକ ପରିବେଶ ଥାଇ ମଧ୍ୟ ମାନବିକତାର ଅଭାବ ଦେଖାଯାଉଛି ।

ସମଗ୍ର ବିଶ୍ୱରେ ଗଣତନ୍ତ୍ର ଆଜି ସମ୍ପୂର୍ଣ୍ଣ ବିପନ୍ନ । ରାଜନୈତିକ ସ୍ୱାଧୀନତା ହାସଲ ହେଲାପରେ ମଧ୍ୟ ସଂକୀର୍ଣ୍ଣତା ବା ଶୋଷଣ ମନୋବୃତ୍ତି ହଟିଲା ନାହିଁ । ଅୟସଖୋର ବା ଆଳସ୍ୟଖୋର ମଣିଷ ଭୋଗଗ୍ରସ୍ତ ସମାଜ ଗଢୁଛି । ଦେଶ-ମଣିଷ ଭିତରେ ଓ ଦେଶ-ଦେଶ ଭିତରେ ଏକଥା ସତ୍ୟ । ବ୍ୟକ୍ତିକୈନ୍ଦ୍ରିକତା ସାଙ୍ଗକୁ ଦେଶ ଭିତରେ ଜାତୀୟତାବୋଧ ତୀବ୍ରଭାବରେ ବୃଦ୍ଧିପାଇଛି । ଧାର୍ମିକ ଭାବନା, ମନ୍ଦିର, ମସ୍ଜିଦ, ଗୀର୍ଜାମାନଙ୍କରେ ଭିଡ଼ ମଧ୍ୟ ଖୁବ୍ ବଢ଼ିଛି । ଅନ୍ୟପକ୍ଷରେ ସାମ୍ପ୍ରଦାୟିକତା ଭୟଙ୍କର ଭାବେ ବଢୁଛି । ବ୍ୟକ୍ତି ଭିତରେ ଓ ସମାଜରେ, ହିଂସା, ଅହଂକାର, ରାବଣତ୍ୱ, କଂସତ୍ୱ ଶତ୍ରୁତା ବଢ଼ି ବଢ଼ି ଚାଲିଛି । ବଡ଼ ବିଡ଼ମ୍ବନା ହେଉଛି, ସାରାବିଶ୍ୱରେ ମାନବିକତାର ସଂକଟ । ବିଶ୍ୱଭ୍ରାତୃତ୍ୱବୋଧ କମିକମି ଯାଉଛି । ଉଗ୍ରଭୋଗବାଦଯୁକ୍ତ ଜାତୀୟ ଚେତନା ପରିବେଶକୁ ଯେତିକି ଲୁଣ୍ଠନ କରୁଛି ସେତିକି ଯୁଦ୍ଧପ୍ରବଣତା ସହିତ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧିପାଉଛି । ତେଣୁ ବିକାଶ ପ୍ରକ୍ରିୟା ଖୁବ୍ ବାଧାପ୍ରାପ୍ତ । ଯେଉଁ ଦେଶ ବାହ୍ୟସୁରକ୍ଷା ପାଇଁ ଯେତେ ଚିନ୍ତିତ ସେ ଦେଶ ସେତେ ପଛୁଆ ଓ ସେତେ ଗରିବ । ଯୁଦ୍ଧାସ୍ତ୍ର ଉତ୍ପାଦନ କରୁଥିବା ଦେଶ ଯୁଦ୍ଧପ୍ରବଣତାକୁ ପ୍ରୋତ୍ସାହିତ କରୁଛନ୍ତି । ବିକାଶ ଦୃଷ୍ଟିରୁ ସବୁ ଦେଶର ବିକାଶଧାରା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ।

ଜୀବନ ଦୃଷ୍ଟିକୋଣରୁ ସମସ୍ତ ବ୍ୟକ୍ତିଗତ ସଫଳତା/ପ୍ରାଚୁର୍ଯ୍ୟତା ସମ୍ପୂର୍ଣ୍ଣ ନିରର୍ଥକ । ସମଗ୍ର ପୃଥିବୀ ଜଳବାୟୂ ପରିବର୍ତ୍ତନ ସହ ପ୍ରାକୃତିକ ପରିବେଶ ସନ୍ତୁଳନ ହରାଉଛି । ପରିବେଶକୁ ଅଧିକରୁ ଅଧିକ ବିଷାକ୍ତ କେବଳ ମଣିଷ ହିଁ କରୁଛି । ଯେଉଁ ପ୍ରକୃତିକୁ ମଣିଷ ପୂଜା କରୁଛି ସେଇ ପ୍ରକୃତିକୁ କେବଳ ମଣିଷ ହିଁ ନଷ୍ଟ/ଲୁଣ୍ଠନ କରୁଛି । ମହାପଣ୍ଡିତ ହୋଇ କାଳିଦାସ ଯେଉଁ ଡାଳରେ ବସିଥାନ୍ତି ସେଇ ଡାଳକୁ ହାଣନ୍ତି । ପ୍ରାକୃତିକ ବିପର୍ଯ୍ୟୟର ଅତି ନିଗୂଢ଼ତମ କାରଣ ହେଉଛି ମଣିଷର ବସ୍ତୁବାଦୀ ଚିନ୍ତା ଓ ଭୋଗବାଦୀ ଲକ୍ଷ୍ୟ । ଏ ପ୍ରକାର କ୍ଷିପ୍ର ଓ ଊଦ୍ଧ୍ୱର୍ଗାମୀ ଅଭିବୃଦ୍ଧିର ସୁଫଳ ଖୁବ୍ ମୁଷ୍ଟିମେୟ ଦେଶ ଓ କୁଫଳ ସାରା ପୃଥିବୀ ଭୋଗୁଛି । ସୁଫଳ ଉପଭୋଗ କରୁଥିବା ଗୋଷ୍ଠୀ ଖୁବ୍ ଆଶାବାଦୀ । କିନ୍ତୁ କୁଫଳ ଭୋଗୁଥିବା ଅଧିକାଂଶ ଖୁବ୍ ନୈରାଶ୍ୟବାଦୀ ।

ସାରାବିଶ୍ୱରେ "ରୋଗ ବୋଝ’ ବିଶେଷକରି ଭାରତ ଭଳି ବିକାଶଶୀଳ ଦେଶମାନଙ୍କରେ ତୀବ୍ର ବୃଦ୍ଧିପାଉଛି । କାରଣ ଆମ ଆଧୁନିକତା ଭିତରେ କୃତ୍ରିମତା ଓ ଅନୁକରଣତା ଭରିଯାଉଛି । କ୍ଷଣିକ ସୁଖ ପାଇଁ ଦୀର୍ଘକାଳୀନ ବିକାଶ/ଆନନ୍ଦ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି । ମଣିଷର ଗର୍ବ ଓ ଅଦୂରଦର୍ଶୀ କାର୍ଯ୍ୟକଳାପ ସବୁବେଳେ ମଣିଷ ସମାଜର ଦୁଃଖର କାରଣ । ମୁକ୍ତ ବଜାର ଓ ମୁକ୍ତ ବୈଦେଶିକ ବାଣିଜ୍ୟ ବିସ୍ତାର ବାସ୍ତବରେ ସାଜିଛି "ମୁକ୍ତ ଘୋଡ଼ାଚଢ଼ା’ ନୀତି । ଏହି କଥାର ଊଦ୍ଧ୍ୱର୍ରେ ଆଉ ଏକ ସତ୍ୟକୁ ଆଦୌ ମାନିବାକୁ ମଣିଷ ସମ୍ପୂର୍ଣ୍ଣ ଅନ୍ଧ ଓ କାତର ସାଜିଛି । ତାହା ହେଲା "ଆମର ଜୟର ପରିଣାମ ହିଁ ଆମର ପରାଜୟ’ । ଜୟ ଭିତରେ ପରାଜୟ ଲୁଚିକି ଅଛି । ଅହଂକାରଯୁକ୍ତ ଜୀବନଶୈଳୀ ଓ ସ୍ୱାର୍ଥକୈନ୍ଦ୍ରିକତା ମଣିଷକୁ ଅନ୍ଧ କରିଦେଉଛି । ଅଦୂରଦର୍ଶୀ ରାଜନୈତିକ ବିଚାର ମାନବୀୟତାକୁ ନିଷ୍କ୍ରିୟ ବା ଅପ୍ରାସଙ୍ଗିକ କରିଦେଉଛି ।

ଉଭୟ ବିକଶିତ ଦେଶ ଓ ବିକାଶଶୀଳ ଦେଶ ମଣିଷ ଜାତିର "ମୃତ୍ୟୁଘଣ୍ଟି’ ବଜାଉଛନ୍ତି । କ୍ଷଣସ୍ଥାୟୀ କ୍ଷିପ୍ରତା ଓ ଆକର୍ଷଣୀୟତା ଦୀର୍ଘକାଳୀନ ସ୍ଥିରତାର ପରିପନ୍ଥୀ ସାଜିଛି । ଏଥିପାଇଁ ଜୀବନର ଗୁଣାତ୍ମକ ଦିଗ ବୃଦ୍ଧି ସାଙ୍ଗେ ସୁଖୀ ପରିବାରଟିଏ ଗଢ଼ିବା ପ୍ରଥମ ଆବଶ୍ୟକତା । କ୍ଷିପ୍ର ସହରୀକରଣ, ସନ୍ତୁଷ୍ଟିକରଣ ନୀତି କିମ୍ବା ଉପଭୋକ୍ତାବାଦ କିମ୍ବା ମହକିଲିକରଣ ପ୍ରକୃତ ବିକାଶ ନୁହେଁ । ବସ୍ତୁବାଦୀ ସଭ୍ୟତାର ଉନ୍ନତି କିମ୍ବା ବ୍ୟକ୍ତିକୈନ୍ଦ୍ରିକ ସ୍ଥୂଳ ଜୀବନରେ ସଫଳତା, ମାନବ ଜାତି ବିରୋଧି । ତେଣୁ ଆମର ବିକାଶ ପଥ ଓ ପନ୍ଥା ବଦଳାଇବା ଉଚିତ । ବଜାର ଦ୍ୱାରା କୌଣସି ସାମାଜିକ, ଅର୍ଥନୈତିକ, ପରିବେଶ ପ୍ରଦୂଷଣ, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଯୁଦ୍ଧ ସମସ୍ୟା ସମାଧାନ ହୋଇପାରିବ ନାହିଁ । ମୂଳ ବିନା ଡାଳ ଅସମ୍ଭବ । ମାନବ ସମ୍ବଳ ବିକାଶ ଯଥେଷ୍ଟ ନୁହେଁ । ଶିକ୍ଷାବ୍ୟବସ୍ଥା କିମ୍ବା ଦକ୍ଷତା ବିକାଶ ସାଙ୍ଗେ ମାନବିକତା ଆଉ ମାନବିକ ମୂଲ୍ୟବୋଧର ବିକାଶ ଅପରିହାର୍ଯ୍ୟ । ପ୍ରକୃତ ବିକାଶର ପ୍ରକୃତ ଆଧାର ହେଉଛି ସାମାଜିକ ବିକାଶ । ସାମାଜିକ ପ୍ରାଥମିକତା ଓ ବଜାର ପ୍ରାଥମିକତା ସମ୍ପୂର୍ଣ୍ଣ ପୃଥକ । ସୁସ୍ଥ ସମାଜଟିଏ ଗଢ଼ିବା ଆମର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ । ଏହାଦ୍ୱାରା ଦେଶର ପ୍ରକୃତ ସମୃଦ୍ଧି ସଙ୍ଗଠିତ ହୋଇପାରିବ ।

ସମାଜରେ ସାମାଜିକ ମୂଲ୍ୟବୋଧ ଓ ମାନବିକ ବିଚାରଧାରା, ମାନବିକ ସମ୍ବେଦନଶୀଳ, ଲୋକସମ୍ପର୍କ, ଦୟା, କ୍ଷମା, ସହନଶୀଳତା, ତ୍ୟାଗ ମନୋବୃତ୍ତି ବୃଦ୍ଧିପାଇବା ଉଚିତ । ହିଂସା, ବାଦ, ହତ୍ୟା, ଆତ୍ମହତ୍ୟା, ଚୋରି, ଡକାୟତି, ଧର୍ଷଣ ଇତ୍ୟାଦି ନିରନ୍ତର କମିଯିବା ଉଚିତ । ପରିବାର ଭିତରେ ଓ ବାହାରେ "ସମ୍ପର୍କର ସଙ୍କଟ’ ଦୂରହେବା ଉଚିତ । ଏହି ଧାରାରେ ଚାଲିଲେ ସମଗ୍ର ମାନବ ଜାତି ସୁରକ୍ଷିତ ରହିପାରିବ । ବୌଦ୍ଧିକତା ପରେ ମାନବିକ ମୂଲ୍ୟବୋଧ ବିକଶିତ ହେବା ଆବଶ୍ୟକ । ଧର୍ମ ହେଉଛି ଭୌତିକତାର ଅନୁମୋଦକ, କିନ୍ତୁ ଆଧ୍ୟାତ୍ମିକତା ହେଉଛି ବୌଦ୍ଧିକତାର ଉତ୍ତରଣ । ଧର୍ମର ଏକ ନିର୍ଦ୍ଦିଷ୍ଟ ସୀମା ରହିଛି, ମାତ୍ର ଆଧ୍ୟାତ୍ମିକତାର କୌଣସି ସୀମା ନଥାଏ । ଯେଉଁ ଧର୍ମ ମାନବକୁ ଅମୃତର ସନ୍ଧାନ ଦେବା କଥା ସେହି ଧର୍ମ ତାକୁ ଅହଂସର୍ବସ୍ୱ ରାକ୍ଷସରେ ପରିଣତ କରିଛି ।

ବୌଦ୍ଧିକତା ଭିତରେ ଅହଂକାର ଓ ଆଧୁନିକତା ଭିତରେ କୃତ୍ରିମତା ବ୍ୟାପକ ଭାବେ କାୟାବିସ୍ତାର କରୁଛି । ଆଧ୍ୟାତ୍ମିକତା ହେଉଛି ଈଶ୍ୱରବିହୀନ ଧର୍ମ । ଏକ ବିଶ୍ୱଚେତନାର ଆନନ୍ଦମୟ ମାର୍ଗ କିନ୍ତୁ ଧର୍ମ ଏକ ବିଶ୍ୱାସର ପୁଞ୍ଜି । ଏହା ସୁନ୍ଦର ଓ ଶାଶ୍ୱତ ରାସ୍ତା । ଏହା ମଧ୍ୟ ଏକ ହୃଦୟବାନ୍ ବ୍ୟକ୍ତିର ଚେତନା ଓ ଏକ ବିବେକବାନ ମଣିଷର ଅଭିବ୍ୟକ୍ତି । ଧର୍ମ ବ୍ୟକ୍ତି ଓ ବ୍ୟଷ୍ଟିକୈନ୍ଦ୍ରିକ, ଦେଶପ୍ରେମ ମଧ୍ୟ ଏକ ଭୂଖଣ୍ଡରେ ସୀମିତ, କିନ୍ତୁ ଆଧ୍ୟାତ୍ମିକତା ବିଶ୍ୱ ବା ମାନବକୈନ୍ଦ୍ରିକ । ଆଜି ଧାର୍ମିକ ବ୍ୟକ୍ତି ନିଜ ସ୍ୱାର୍ଥକୁ ତ୍ୟାଗ କରିପାରୁନାହିଁ । ଅହଂକାର, ହିଂସା ଭିତରେ ରହି ବାହାରେ ଦୟାଳୁ ବ୍ୟକ୍ତି ଭାବେ ପରିଚିତ ହେଉଛି । ବାହାରେ ଶ୍ରଦ୍ଧାଳୁ, କିନ୍ତୁ ଭିତରେ ନିଷ୍ଠୁର । ବିଭିନ୍ନ ଛଳନା ଓ ମିଛର ଆଶ୍ରୟ ନେଇ ନିଜକୁ ଧାର୍ମିକ ବୋଲି ପ୍ରଚାର କରୁଛି । ନିଷ୍ଠୁରତା ହେଉଛି ଶ୍ରେଷ୍ଠ ନିର୍ବୋଧତା ।

ଗୀତା, କୋରାନ, ବାଇବେଲର ତତ୍ତ୍ୱାର୍ଥ ନିର୍ଯ୍ୟାସର ଊଦ୍ଧ୍ୱର୍ରେ ଆଧ୍ୟାତ୍ମିକତା । ମାନସିକ ସନ୍ତୁଳନ ହରାଉଥିବା ଲୋକ, ଜଞ୍ଜାଳରେ ଉବୁଟୁବୁ ହେଉଥିବା ମଣିଷ ପାଇଁ ଏହା ହେଉଛି ପରମ ମାର୍ଗ । ସମୟର ଭୌତିକ ବେଗରେ ମନକୁ ଅନ୍ତର୍ମୁଖୀ କରି ଆତ୍ମବିଶ୍ୱାସ ବୃଦ୍ଧି କରିବାର ପଥ । ଆଧ୍ୟାତ୍ମିକତା ମାର୍ଗରେ ଅଗ୍ରସର ହେଲେ ବ୍ୟକ୍ତି ନିଜ ଜୀବନକୁ ବନ୍ଧନମୁକ୍ତ, ଭୟମୁକ୍ତ ଏବଂ ଶାନ୍ତିମୟ ଜୀବନ ଗଢ଼ିପାରିବ । ଆଧ୍ୟାତ୍ମିକତା ହିଁ ନବ୍ୟ-ମାନବବାଦ । ଭାରତ ଅନ୍ୟ ଦେଶଠାରୁ ନିଆରା, କାରଣ ଏହା ଆଧ୍ୟାତ୍ମିକତାର ପୀଠ । ଧର୍ମ ଓ ଜାତୀୟତା ମଣିଷକୁ ବିଭିନ୍ନ ନୀତି ନିୟମର ଜାଲରେ ବାନ୍ଧିଦିଏ । କିନ୍ତୁ ଆଧ୍ୟାତ୍ମିକତା ଜୀବନକୁ ମୁକୁଳାଇ ଦିଏ, ସବୁ ବନ୍ଧନକୁ ସେ ଖୋଲିଦିଏ । ଆଧ୍ୟାତ୍ମିକତା ଆକାଶ ପରି ଉନ୍ମୁକ୍ତ ଓ ପ୍ରଶସ୍ତ । ଧାର୍ମିକତା କିମ୍ବା ଜାତୀୟତା ଭିତରେ ବିଭିନ୍ନ ସଂକୀର୍ଣ୍ଣତାର ଫାଟକ ଥାଏ । ବୌଦ୍ଧିକତା (ବିଜ୍ଞାନ-ପ୍ରଯୁକ୍ତି) ମଧ୍ୟ ସେ ସଂକୀର୍ଣ୍ଣତାକୁ ବିଲୋପ କରିପାରୁନାହିଁ । ଆଧ୍ୟାତ୍ମିକତା ହେଉଛି ବନ୍ଧନମୁକ୍ତ ମାର୍ଗ ।

ଆଧ୍ୟାତ୍ମିକ ମଣିଷ ମନରେ ସ୍ତ୍ରୀ-ପୁରୁଷ, ଜାତି-ଅଜାତି, ଧନୀ-ଗରିବ ଏପରିକି ପାପ-ପୁଣ୍ୟର ଫରକ ନଥାଏ । ସେ ବିନ୍ଦୁ ଭିତରେ ମହାସିନ୍ଧୁର ସାନ୍ନିଧ୍ୟ ପାଇଥାଏ । ମାନବିକ ଚେତନା ଜାଗ୍ରତ ହେଲାପରେ ବ୍ୟକ୍ତି ଭିତରେ ସବୁ ଅହଙ୍କାର, ହିଂସା, କ୍ରୋଧର ଅବସାନ ଘଟେ । ତାହା ଏକ ସୁସ୍ଥ ବିଶ୍ୱ ପରିବାର ଗଠନରେ ସାହାଯ୍ୟ କରେ । ଭୋଗବାଦର ମାର୍ଗ ପରିହାର କଲେ ଶାନ୍ତିର ମାର୍ଗ ପରିଷ୍କାର ହେବ । ସୁସ୍ଥ ସମାଜ ହେଉଛି ଦୁର୍ନୀତିମୁକ୍ତ, ଶୋଷଣମୁକ୍ତ ଓ ବୈଷମ୍ୟମୁକ୍ତ ସଂଯୁକ୍ତବୋଧ ସମାଜ, ଯେଉଁଠି ସମୂହ ମଙ୍ଗଳରେ ବ୍ୟକ୍ତିମଙ୍ଗଳ ନିହିତ। ତେଣୁ ସମଗ୍ର ବିଶ୍ୱ ଭାରତୀୟ ଦର୍ଶନର "ସର୍ବେ ଭବନ୍ତୁ ସୁଖିନଃ’ର ମାର୍ମିକତା ବୁଝିବା ଜରୁରି । ଆସନ୍ନ ବିଶ୍ୱଯୁଦ୍ଧ ପରିପ୍ରେକ୍ଷୀରେ ଏ ଉକ୍ତିର ପ୍ରାସଙ୍ଗିକତା ହୃଦୟଙ୍ଗମ କରିବା ଉଚିତ । କେବଳ "ବସୁଧୈବ କୁଟୁମ୍ବକମ’ ଦ୍ୱାରା ଅଭିମନ୍ତ୍ରିତ ହେଲେ ସମଗ୍ର ମାନବ ଜାତି ବିଶ୍ୱଯୁଦ୍ଧକୁ ଏଡ଼ାଇ ପାରିବ । ମାନବବାଦ ଦ୍ୱାରା ଦେଶ-ଦେଶ ଭିତରେ ଥିବା ଯୁଦ୍ଧପ୍ରବଣତା ହ୍ରାସ ଘଟିବ ।