ଭୁବନେଶ୍ୱର,୩୧/୦୮: ଫେଡେକ୍ସ କୋରିଅରରେ ଡ୍ରଗ୍ସ ଥିବା ଦର୍ଶାଇ ଜଣେ ଇଞ୍ଜିନିୟରଙ୍କୁ ଡିଜିଟାଲ ଆରେଷ୍ଟରେ ଫସାଇଥିଲେ । ବ୍ୟାଙ୍କ ଆକାଉଣ୍ଟରରେ ଟଙ୍କା ନଥିବାରୁ ଡରାଇ ଧମକାଇ ୭ ଲକ୍ଷ ଟଙ୍କାର ଋଣ ଉଠାଇ ନେଇଥିଲେ । ଏଭଳି ଠକେଇ ଅଭିଯୋଗରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ଜଣେ ଦଶମ ଫେଲ୍ ସାଇବର ଠକକୁ ଗିରଫ କରିଛି । ସେ ହେଲା, ବିଶାଲ ରମେଶ ଭାଇ ମଖବଣ (୨୭) । ପୁଲିସ ତାକୁ ଗୁଜରାଟ ରାଜକୋଟ ଜିଲ୍ଲା ଅଜିଦେବ ଥାନା ଅଧୀନ କୋଠାରିଆରୁ ବାନ୍ଧି ଟ୍ରାନଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣିଛି ।
ଡିସିପି ଜଗମୋହନ ମୀନାଙ୍କ କହିବା ମୁତାବକ, ନୂଆପଲ୍ଲୀ ଆଇଆରସି ଭିଜେଲରେ ରହୁଥିବା ଦୀପକ କୁମାର ପତି ଘରୋଇ ସଂସ୍ଥାରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ । ଅଗଷ୍ଟ ପହିଲାରେ ତାଙ୍କୁ ଜଣେ ଫୋନ୍ କରି ମୁମ୍ବାଇ ପୁଲିସର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇଥିଲା । ଆଉ କହିଥିଲା, ମୁମ୍ବାଇରୁ ଇରାନକୁ ପଠାଯାଉଥିବା ଏକ କୋରିଅରରେ ମାରାତ୍ମକ ଡ୍ରଗ୍ସ ଅଛି । କୋରିଅରଟି ତମ ନାଁରେ ଅଛି । ମୁମ୍ବାଇ ପୁଲିସ ଏହାର ତଦନ୍ତ କରୁଛି । ଦେଶ ବାହାରକୁ ଡ୍ରଗ୍ସ ଚାଲାଣ ମାମଲାରେ ୧୦ ବର୍ଷ ଜେଲ ହୋଇପାରେ ବୋଲି ତାଙ୍କୁ ଧମକାଇଥିଲା ।
ଏହା ଶୁଣି ଦୀପକ ଡରିଯାଇଥିଲେ । ଗିରଫ ଭୟରେ ସାଇବର ଠକକୁ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଦେଇଥିଲେ । କିନ୍ତୁ ତାଙ୍କର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥିଲା । ଏହା ଜାଣି ସାଇବର ଠକଜଣକ ପୁଣି ତାଙ୍କୁ ଫୋନ୍ କରି ଉକ୍ତ ବ୍ୟାଙ୍କରୁ ଅନ୍ଲାଇନ୍ ୠଣ କରିବା ପାଇଁ ବାଧ୍ୟ କରିଥିଲା । ଦୀପକଙ୍କ ଠାରୁ ଗୋପନୀୟ ତଥ୍ୟ ନେଇ ୭ ଲକ୍ଷ ଟଙ୍କାର ଋଣ ଉଠାଇ ନେଇଥିଲା ।
ଅଗଷ୍ଟ ୪ ତାରିଖରେ ଥାନାରେ ଅଭିଯୋଗକ୍ରମେ ସବ୍ଇନ୍ସପେକ୍ଟର ମାନସ ରଞ୍ଜନ ତ୍ରିପାଠୀ ମାମଲାର ତଦନ୍ତଭାର ନେଇଥିଲେ । ଅନ୍ଲାଇନ୍ ଋଣ ଉଠାଇବା ପରେ ଯେଉଁ ଆକାଉଣ୍ଟଗୁଡିକୁ ଟଙ୍କା ପଠାଯାଇଥିଲା, ସେସବୁର ତଦନ୍ତ କରି ସେ ଗୁଜରାଟ ଯାଇଥିଲେ । ସେଠାରୁ ବିଶାଲକୁ ନିଜ ହେପାଜତକୁ ନେଇଥିଲେ ।
ତନାଘନାରୁ ଜଣାପଡ଼ିଥିଲା, ବିଶାଲର ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ୍ । ସେ ଜଣେ ଦିନ ମଜୁରିଆ । ଉକ୍ତ ସାଇବର ଠକ ଗ୍ୟାଙ୍ଗର ସକ୍ରିୟ ସଦସ୍ୟ । ସେ ଶ୍ରମିକ ଶ୍ରେଣୀୟ ଲୋକଙ୍କଠାରୁ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯୋଗାଡ଼ କରୁଥିଲା । ଦୀପକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତା’ର ୨ଟି ଆକାଉଣ୍ଟରେ ୨ ଲକ୍ଷ ୯୮ ହଜାର ଟଙ୍କା ଡିପୋଜିଟ୍ ହୋଇଥିଲା । ଡିସିପି ଶ୍ରୀ ମିନା ଏହି ସଫଳତା ପାଇଁ ମାନସଙ୍କୁ ସମ୍ମାନିତ କରିଛନ୍ତି ।