ଜଗତପୁର,୦୫/୦୬: ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା ଧମକ ଦେବା ଘଟଣାରେ ଦୀର୍ଘ ୮ବର୍ଷ ଧରି ଫେରାର ଥିବା ଜଣେ ଅଭିଯୁକ୍ତକୁ ଜଗତପୁର ଥାନା ପୁଲିସ ଝାଡଖଣ୍ଡରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ଜଗତପୁର ଥାନା ପଦ୍ମପୁର ମୁତାରିଫା ଗ୍ରାମର ସେକ୍ ନଜିମୁଲ ଅରଫିନ୍ ଓରଫ ମୁନା ଓରଫ ହାପିଜ୍ (୪୫) ।

ପୁଲିସ ସୂଚନା ମତାବକ, ମୁତାରିଫା ଗ୍ରାମର ସଂପୃକ୍ତ ପୀଡ଼ିତାଙ୍କ ସ୍ୱାମୀ ସବୁବେଳେ ମଦ ପିଇ ନିଶାସକ୍ତ ଅବସ୍ଥାରେ ରହିନ୍ତି । ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ସବୁବେଳେ କଳିତକରାଳ ହୁଏ । ହାପିଜ୍ ମଦ ଛାଡ଼ିବା ଔଷଧ ଦେଉଥିବାରୁ ପୀଡ଼ିତା ତାଙ୍କୁ ସ୍ୱାମୀଙ୍କ ମଦ୍ୟପାନ ଅଭ୍ୟାସ ଛଡ଼ାଇବା ପାଇଁ ଭେଟିଥିଲେ । ୯ ମାସ ଔଷଧ ଖାଇଲେ ସ୍ୱାମୀ ମଦ ଛାଡିଦେବେ ବୋଲି ହାପିଜ ପ୍ରତିଶ୍ରୁତି ଦେଇଥିଲା । ତେଣୁ ପୀଡ଼ିତା ୨୦୧୮ ମସିହା ଜୁଲାଇ ୨୭ ତାରିଖରେ ଔଷଧ ପାଇଁ ତା’ ଘରକୁ ଯାଇଥିଲେ । ସେଠାରେ ଏକୁଟିଆ ପାଇ ହାପିଜ୍ ତାଙ୍କୁ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ମାତ୍ର ପୀଡ଼ିତା ଧମକକୁ ନଡରି ଜଗତପୁର ଥାନାରେ ଅଭିଯୋଗ କରିଥିଲେ । ଫଳରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଦୀର୍ଘ ୮ବର୍ଷ ପରେ ହାପିଜ୍ ଝାଡଖଣ୍ଡ ରହୁଥିବା ସମ୍ପର୍କରେ ଖବର ପାଇ ପୁଲିସ ସେଠାକୁ ଯାଇ ତାକୁ ଗିରଫ କରିଛି । ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଆଇଆଇସି ପ୍ରଶାନ୍ତ କୁମାର ସାସମଲ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ :-  Vigilance Raid: ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜୁନିୟର ଆସିଷ୍ଟାଣ୍ଟ, ଘର ଓ ଅଫିସ ଭିଜିଲାନ୍ସ ରେଡ୍