ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (BSP) ମୁଖ୍ୟ ମାୟାବତୀ ପୁତୁରା ଆକାଶ ଆନନ୍ଦଙ୍କ ସାର୍ବଜନୀନ କ୍ଷମା ପ୍ରାର୍ଥନାର ଜବାବ ଦେଇ ତାଙ୍କୁ ଦଳକୁ ଫେରାଇ ଆଣିଛନ୍ତି। ଏହା ସହ ମୟାବତୀ ସ୍ପଷ୍ଟ କରିଛନ୍ତି ଯେ, ସେ କୌଣସି ଉତ୍ତରାଧିକାରୀ ଘୋଷଣା କରିବେ ନାହିଁ ଏବଂ ତାଙ୍କର ପୂର୍ବ ନିଷ୍ପତ୍ତିରେ ଦୃଢ଼ ଭାବରେ ଅଟଳ ଅଛନ୍ତି । ଏହା ପୂର୍ବରୁ ରବିବାର ପୂର୍ବତନ ବିଏସପି ନେତା ଆକାଶ ଆନନ୍ଦ ଦଳର ସୁପ୍ରିମୋଙ୍କୁ କ୍ଷମା ମାଗିଥିଲେ ଏବଂ ତାଙ୍କୁ ଦଳକୁ ଫେରାଇ ନେବାକୁ ଅନୁରୋଧ କରିଥିଲେ ।




ଏକ୍ସରେ ଏକାଧିକ  ପୋଷ୍ଟ ଜରିଆରେ ଆନନ୍ଦ କହିଥିଲେ ଯେ, ମାୟାବତୀ ତାଙ୍କର ଏକମାତ୍ର ଆଦର୍ଶ ଏବଂ ଗୁରୁ। ସେ ତାଙ୍କର ସମ୍ପର୍କ, ବିଶେଷ କରି ତାଙ୍କ ଶ୍ୱଶୁର ଘର ଲୋକଙ୍କ ସହିତ ସମ୍ପର୍କକୁ ଦଳର ସ୍ୱାର୍ଥରେ ବାଧା ସୃଷ୍ଟି କରିବାକୁ ଦେବେ ନାହିଁ । ପୂର୍ବ ଭୁଲ ଏବଂ ଟ୍ୱିଟ୍ ପାଇଁ ସେ କ୍ଷମା ମାଗିଛନ୍ତି। ଖବର ଅନୁଯାୟୀ, ଆନନ୍ଦ ଦଳ ବିରୋଧରେ ଟ୍ୱିଟ୍ କରିଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।

ସେପଟେ ମୟାବାତୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ‘ଶ୍ରୀ ଆକାଶ ଆନନ୍ଦ ଆଜି ଏକ୍ସରେ ଚାରୋଟି ପୋଷ୍ଟରେ ସାର୍ବଜନୀନ ଭାବରେ ତାଙ୍କର ଭୁଲ ସ୍ୱୀକାର କରିଛନ୍ତି । ବରିଷ୍ଠମାନଙ୍କୁ ପୂର୍ଣ୍ଣ ସମ୍ମାନ ଦେବା ସହ ତାଙ୍କ ଶ୍ୱଶୁରଙ୍କ କଥାରେ ନପଡ଼ିବ ଏବଂ BSP ଦଳ ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିବାକୁ ପ୍ରତିଶ୍ରୁତି ଦେବା ହେତୁ ତାଙ୍କୁ ଆଉ ଏକ ସୁଯୋଗ ଦେବାର ନିଷ୍ପତ୍ତି ନିଆଯାଇଛି।’




ସେ ଆହୁରି ମଧ୍ୟ କହିଛନ୍ତି, ‘ହଁ, ମୁଁ ଏବେ ସୁସ୍ଥ ଅଛି ଏବଂ ଯେପର୍ଯ୍ୟନ୍ତ ମୁଁ ସୁସ୍ଥ ଅଛି, ମାନନୀୟ ଶ୍ରୀ କାଂଶୀରାମ ଜୀଙ୍କ ପରି ମୁଁ ସମ୍ପୂର୍ଣ୍ଣ ସମର୍ପଣ ଏବଂ ପ୍ରତିବଦ୍ଧତାର ସହିତ ଦଳ ଓ ଆନ୍ଦୋଳନ ପାଇଁ କାମ କରିବି । ଏପରି ପରିସ୍ଥିତିରେ, କାହାକୁ ମୋର ଉତ୍ତରାଧିକାରୀ ଭାବରେ ନିଯୁକ୍ତ କରିବାର କୌଣସି ପ୍ରଶ୍ନ ଉଠୁ ନାହିଁ। ମୁଁ ମୋର ନିଷ୍ପତ୍ତିରେ ଦୃଢ଼ ରହିବି।’

ଆକାଶଙ୍କୁ ଦଳରୁ ବହିଷ୍କାର କରିବା ପୂର୍ବରୁ, ବିଏସପି ମୁଖ୍ୟ ତାଙ୍କୁ ସମସ୍ତ ଦଳୀୟ ପଦବୀରୁ ହଟାଇ ତାଙ୍କ ସ୍ଥାନରେ ତାଙ୍କ ପିତା ଆନନ୍ଦ କୁମାରଙ୍କୁ ଜାତୀୟ ସଂଯୋଜକ ନିଯୁକ୍ତ କରିଥିଲେ।  ୨୦୨୫ ମାର୍ଚ୍ଚ ୩ରେ ମାୟାବତୀ ଆକାଶଙ୍କୁ ଦଳରୁ ବହିଷ୍କାର କରିଥିଲେ । ଆଜି (ଏପ୍ରିଲ ୧୩)ରେ ଆକାଶ ଆନନ୍ଦ ୟୁ-ଟର୍ଣ୍ଣ ନେବା ସହ ଦଳକୁ ଫେରିବାକୁ ଅନୁରୋଧ କରିଥିଲେ ।