ମୁମ୍ୱାଇ,୦୬/୦୨ : ମନୋଜ ବାଜପେୟୀଙ୍କ ଫିଲ୍ମ "ଘୁସଖୋର୍ ପଣ୍ଡତ"କୁ ନେଇ ବିବାଦ ସୃଷ୍ଟି ହୋଇଛି। ଲକ୍ଷ୍ନୌରେ ଏହି ଫିଲ୍ମର ନାମକୁ ନେଇ ପ୍ରବଳ ବିରୋଧ କରାଯାଉଛି । ସାମାଜିକ ଶାନ୍ତିକୁ ବିଭ୍ରାନ୍ତ କରିବାର ପ୍ରୟାସ ଅଭିଯୋଗରେ ଉତ୍ତରପ୍ରଦେଶର ହଜରତଗଞ୍ଜ ପୁଲିସ ଷ୍ଟେସନରେ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଫିଲ୍ମ ମେକର୍ସ କମ୍ବାଇନ୍ ସଂସ୍ଥା ନେଟଫ୍ଲିକ୍ସ ଏବଂ ନିର୍ଦ୍ଦେଶକଙ୍କୁ ମଧ୍ୟ ନୋଟିସ୍ ଜାରି କରିଛି । ବର୍ତ୍ତମାନ ଫିଲ୍ମର ନିର୍ଦ୍ଦେଶକ ନୀରଜ ପାଣ୍ଡେ ଏହି ପ୍ରସଙ୍ଗରେ ମୁହଁ ଖୋଲିବା ସହ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଜାରି କରି ପ୍ରତିକ୍ରିୟା ରଖିଛନ୍ତି ।
ଆହୁରି ପଢନ୍ତୁ-ଏପଷ୍ଟିନ୍ ଫାଇଲ୍ସରେ ବଡ଼ ଖୁଲାସା: ଲିଷ୍ଟରେ ବଲିଉଡ୍ର ନାମୀଦାମୀ ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ମୀରା ନାୟରଙ୍କ ନାଁ
ସେ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, "ଆମର ଫିଲ୍ମ ଏକ କାଳ୍ପନିକ ପୁଲିସ ଡ୍ରାମା । 'ପଣ୍ଡିତ' ଶବ୍ଦଟି ଏକ କାଳ୍ପନିକ ନାମ ଭାବରେ ବ୍ୟବହୃତ ହୁଏ, ଯାହା ସାଧାରଣ କଥାବାର୍ତ୍ତାରେ ବହୁତ ସାଧାରଣ ।ଜଣେ ଫିଲ୍ମ ନିର୍ମାତା ଭାବରେ, ମୁଁ ମୋର କାମକୁ ଅତ୍ୟନ୍ତ ଦାୟିତ୍ୱ ସହିତ ଗ୍ରହଣ କରେ । ମୁଁ କେବଳ ସେହି କାହାଣୀଗୁଡ଼ିକୁ ଉପସ୍ଥାପନ କରେ ଯାହା ଚିନ୍ତାଶୀଳ ଏବଂ ସମ୍ମାନଜନକ । ମୋର ପୂର୍ବ କାମ ପରି ଏହି ଫିଲ୍ମଟି କେବଳ ଦର୍ଶକଙ୍କ ମନୋରଞ୍ଜନ ପାଇଁ ତିଆରି କରାଯାଇଛି । ଆମେ ବୁଝିପାରୁଛୁ ଯେ କିଛି ଲୋକଙ୍କୁ ଏହାର ଶୀର୍ଷକ ଆପତ୍ତିଜନକ ଲାଗିପାରେ ।'' ପ୍ରକାଶ ଥାଉକି, 'ଘୁଷଖୋର ପଣ୍ଡିତ' ନୀରଜ ପାଣ୍ଡେ ଏବଂ ରିତେଶ ଶାହଙ୍କ ସହ-ନିର୍ମାଣ ଏକ ଅପରାଧ ଥ୍ରୀଲର । ଏଥିରେ ମନୋଜ ବାଜପେୟୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ପଣ୍ଡିତ ନାମକ ଜଣେ ଦୁର୍ନୀତିଗ୍ରସ୍ତ ପୁଲିସ ଅଧିକାରୀଙ୍କ କାହାଣୀ ବିଷଯରେ ବର୍ଣ୍ଣନା କରାଯାଇଛି। ନିକଟରେ ଫିଲ୍ମର ଟିଜର ରିଲିଜ୍ ହୋଇଥିଲା, କିନ୍ତୁ ଏବେ ଏହାକୁ ହଟାଇ ଦିଆଯାଇଛି । ଫିଲ୍ମର ମୁକ୍ତିଲାଭ ଉପରେ ସ୍ଥଗିତାଦେଶ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାୟର କରାଯାଇଛି ।