ଭୁବନେଶ୍ବର: ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ଔଷଧ ଦୋକାନ। ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ଦିନିକିଆ ଔଷଧ ଦୋକାନ ବନ୍ଦ ଡାକରା ଦେଇଛି । କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ମୁଖ୍ୟତଃ ୩ଟି ଦାବି ସରକାରଙ୍କ ପାଖରେ ରଖିଥିଲା । ସରକାର ଦାବି ଗୁଡ଼ିକ ସମ୍ପର୍କରେ ନିଷ୍ପତ୍ତି ନେଇନାହାନ୍ତି କିମ୍ବା ଆସୋସିଏସନକୁ ଡାକି କୌଣସି ଆଲୋଚନା କରୁନାହାନ୍ତି । ଯେଉଁ କାରଣରୁ ମେଡିସିନ ଦୋକାନ ବନ୍ଦ ରହିବାକୁ ଘୋଷଣା କରାଯାଇଛି । ତେବେ ପ୍ରସ୍ତୁତ ରହିବାକୁ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଲୋକଙ୍କୁ ମେଡିସିନ ମିଳିବା ନେଇ ୭ ସୂଚୀ ପରାମର୍ଶ ଦିଆଯାଇଛି । ତେବେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି । ଏହାସହ ଆବଶ୍ୟକୀୟ ଔଷଧ ଯୋଗାଣ ଉପରେ ନଜର ରଖିବାକୁ କୁହାଯାଇଛି । ଆବଶ୍ୟକସ୍ଥଳେ ପୁଲିସର ସହାୟତା ମଧ୍ୟ ନିଅ, ହୋଲସେଲର ଏବଂ ବିତରକଙ୍କ ମଧ୍ୟରେ ସମନ୍ବୟ ରଖିବାକୁ ନିର୍ଦ୍ଦେଶ ରହିଛି ।
ଦୋକାନ ବନ୍ଦ ପଛର ୩ଟି ପ୍ରମୁଖ ଦାବି ହେଲା, ଅନଲାଇନରେ ଔଷଧ ବିକ୍ରି ଉପରେ କଟକଣା । କର୍ପୋରେଟ ସଂସ୍ଥା ଦେଉଥିବା ଅତ୍ୟଧିକ ରିହାତିକୁ ନିୟନ୍ତ୍ରଣ କରିବା ଓ ଅନଲାଇନରେ ଶସ୍ତାରେ ବିକ୍ରି ହେଉଥିବା ଔଷଧ ଗୁଡିକର ମାନ ଯାଞ୍ଚ କରିବା । ଔଷଧ ଏଭଳି ବିକ୍ରି ହେବା ଦ୍ବାରା ରିଟେଲର୍ ମାନେ ଉନ୍ନତ ମାନର ଔଷଧ କାରବାର କରୁଥିଲେ ମଧ୍ୟ ବ୍ୟବସାୟ ପ୍ରଭାବିତ ହେଉଛି । ଏପରିକି ଅନଲାଇନରେ ଅନେକ ନିଷିଦ୍ଧ ଔଷଧ ବିକ୍ରି ହେବା ସହ ବିନା ପ୍ରେସକ୍ରିପସନରେ ମଧ୍ୟ ଔଷଧ ବିକ୍ରି କରାଯାଉଛି। ଏଭଳି କାରବାର ରାଜ୍ୟର ପ୍ରାୟ ୩୫ହଜାର ରିଟେଲ ବ୍ୟବସାୟୀଙ୍କୁ ପ୍ରଭାବିତ କରିଛି ବୋଲି କହିଛି ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ।
ଏହାସହ ପଢ଼ନ୍ତୁ : ଆସନ୍ତାକାଲି ବନ୍ଦ ରହିବ ମେଡିସିନ ଷ୍ଟୋର୍, ଜାଣନ୍ତୁ ଏହି ସମୟରେ କେମିତି ଓ କେଉଁଠୁ ପାଇବେ ଔଷଧ...