ନୂଆଦିଲ୍ଲୀ ୦୬/୦୮: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରିଟେନ ଗସ୍ତର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ମୋଦିଙ୍କ ସହ ତାଙ୍କ ସୁରକ୍ଷାରେ କଳା ୟୁନିଫର୍ମ ପିନ୍ଧିଥିବା ଜଣେ ମହିଳା ଅଧିକାରୀଙ୍କୁ ଦେଖିବାକୁ ମିଳିଥିଲା । ସେ ଥିଲେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ପ୍ରଥମ ମହିଳା ଏସ୍ପିଜି ଅଦାସୋ କପେସା ।
ଅଦାସୋ ଏବେ ଏସ୍ପିଜିରେ ଡେପ୍ୟୁଟେସନ୍ରେ ସେବା ପ୍ରଦାନ କରୁଛନ୍ତି । ଏହା ପୂର୍ବରୁ ସେ ସଶସ୍ତ୍ର ସୀମା ବଳ ଅର୍ଥାତ୍ ଏସ୍ଏସ୍ବି, ଉତ୍ତରାଖଣ୍ଡରେ ମୁତୟନ ଥିଲେ । ଏସ୍ପିଜି ଅର୍ଥାତ୍ ସ୍ପେସାଲ ପ୍ରୋଟେକ୍ସନ୍ ଗ୍ରୁପ୍ । ଭାରତର ପ୍ରଧାନମନ୍ତ୍ରୀ ଏବଂ କିଛି ସ୍ୱତନ୍ତ୍ର ପରିସ୍ଥିତିରେ ପୂର୍ବ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ପାଇଁ ଏହା ମୁତୟନ ହୋଇଥାଏ । ଏହା ଏକ ଉଚ୍ଚ ଯୋଗ୍ୟତାସମ୍ପନ୍ନ ଓ ତାଲିମପ୍ରାପ୍ତ ୟୁନିଟ୍ । ଏସ୍ପିଜିର ଅଧିକାରୀମାନଙ୍କୁ ଅତ୍ୟନ୍ତ କଠୋର ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ମଧ୍ୟଦେଇ ଗତି କରିବାକୁ ପଡ଼େ । ଅଦ୍ୟାବଧି ଏସ୍ପିଜି ସମ୍ପୂର୍ଣ୍ଣ ରୂପେ ପୁରୁଷ-କୈନ୍ଦ୍ରିକ ୟୁନିଟ୍ ଥିଲା । ତେଣୁ ଏହି ସ୍ୱତନ୍ତ୍ର ବାହିନୀରେ ଅଦାସୋ କପେସାଙ୍କ ଏଣ୍ଟ୍ରି ମହିଳାଙ୍କ ପାଇଁ ନୂଆ ମାର୍ଗ ଖୋଲିଛି ।
ମଣିପୁରର ସେନାପତି ଜିଲ୍ଲାର କ୍ୟାବି ଗାଁରେ ଜନ୍ମିତ ଅଦାସୋ ସ୍ଥାନୀୟ ସ୍କୁଲରେ ଅଧ୍ୟୟନ କରିଥିଲେ । ଗୃହ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି)ରେ ସେ କ୍ୟାରିଅର୍ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ଉତ୍ତରାଖଣ୍ଡ, ପିଥୋରାଗଡ଼ରେ ୫୫ତମ ବାଟାଲିଅନ୍ରେ ମୁତୟନ ଅଛନ୍ତି । ଏସ୍ପିଜିରେ ପ୍ରବେଶ ସହିତ ଦେଶର ସୁରକ୍ଷା ବାହିନୀରେ ରହିଥିବା ଅନ୍ୟତମ ସବୁଠୁ ବଡ଼ ବାଧକ ଲିଙ୍ଗଗତ ପ୍ରାଚୀରକୁ ସେ ଭାଙ୍ଗିଛନ୍ତି ।
ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତାଙ୍କୁ ମୁତୟନ କରାଯିବା କେବଳ ପ୍ରତୀକାତ୍ମକ ନୁହେଁ, ଉଭୟ ରଣନୀତିକ ଓ ଐତିହାସିକ ପଦକ୍ଷେପ ଥିଲା । ଇଣ୍ଟର୍ନେଟ୍ରେ ଅଦାସୋଙ୍କ ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆ ୟୁଜର୍ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି । ତାଙ୍କୁ ଶକ୍ତିର ପ୍ରତୀକ ଓ ଶକ୍ତିଶାଳୀ ପ୍ରେରଣା ଭାବେ ସମ୍ବୋଧନ କରୁଛନ୍ତି । ଖାସ୍କରି ମହିଳାଙ୍କ ପାଇଁ ସେ ରୋଲ୍ ମଡେଲ ପାଲଟିଛନ୍ତି । ତାଙ୍କ ଉପଲବ୍ଧି ଏକ ଶକ୍ତିଶାଳୀ ସଙ୍କେତ ଦେଇଛି- ‘ମହିଳା ସବୁଠି ବିଦ୍ୟମାନ, ଏପରିକି ନିଜ ପହଞ୍ଚଠୁ ବାହାରେ ବୋଲି କୁହାଯାଉଥିବା ସ୍ଥାନରେ ମଧ୍ୟ ସେ ପହଞ୍ଚିଛି ।’