ନୂଆଦିଲ୍ଲୀ ୦୬/୦୮: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରିଟେନ ଗସ୍ତର ଏକ  ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ମୋଦିଙ୍କ ସହ ତାଙ୍କ ସୁରକ୍ଷାରେ କଳା ୟୁନିଫର୍ମ ପିନ୍ଧିଥିବା ଜଣେ ମହିଳା ଅଧିକାରୀଙ୍କୁ ଦେଖିବାକୁ ମିଳିଥିଲା । ସେ ଥିଲେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ପ୍ରଥମ ମହିଳା ଏସ୍‌ପିଜି ଅଦାସୋ କପେସା । 

ଅଦାସୋ ଏବେ ଏସ୍‌ପିଜିରେ ଡେପ୍ୟୁଟେସନ୍‌ରେ ସେବା ପ୍ରଦାନ କରୁଛନ୍ତି । ଏହା ପୂର୍ବରୁ ସେ ସଶସ୍ତ୍ର ସୀମା ବଳ ଅର୍ଥାତ୍‌ ଏସ୍‌ଏସ୍‌ବି, ଉତ୍ତରାଖଣ୍ଡରେ ମୁତୟନ ଥିଲେ । ଏସ୍‌ପିଜି ଅର୍ଥାତ୍‌ ସ୍ପେସାଲ ପ୍ରୋଟେକ୍ସନ୍‌ ଗ୍ରୁପ୍‌ । ଭାରତର ପ୍ରଧାନମନ୍ତ୍ରୀ ଏବଂ କିଛି ସ୍ୱତନ୍ତ୍ର  ପରିସ୍ଥିତିରେ ପୂର୍ବ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା  ପାଇଁ ଏହା ମୁତୟନ ହୋଇଥାଏ । ଏହା ଏକ ଉଚ୍ଚ ଯୋଗ୍ୟତାସମ୍ପନ୍ନ  ଓ ତାଲିମପ୍ରାପ୍ତ ୟୁନିଟ୍‌ । ଏସ୍‌ପିଜିର ଅଧିକାରୀମାନଙ୍କୁ ଅତ୍ୟନ୍ତ କଠୋର ଶାରୀରିକ ଓ  ମାନସିକ ପ୍ରଶିକ୍ଷଣ ମଧ୍ୟଦେଇ ଗତି କରିବାକୁ ପଡ଼େ । ଅଦ୍ୟାବଧି ଏସ୍‌ପିଜି ସମ୍ପୂର୍ଣ୍ଣ ରୂପେ ପୁରୁଷ-କୈନ୍ଦ୍ରିକ ୟୁନିଟ୍‌ ଥିଲା । ତେଣୁ  ଏହି ସ୍ୱତନ୍ତ୍ର ବାହିନୀରେ ଅଦାସୋ କପେସାଙ୍କ ଏଣ୍ଟ୍ରି ମହିଳାଙ୍କ ପାଇଁ  ନୂଆ ମାର୍ଗ ଖୋଲିଛି ।  

ମଣିପୁରର ସେନାପତି ଜିଲ୍ଲାର କ୍ୟାବି ଗାଁରେ ଜନ୍ମିତ ଅଦାସୋ  ସ୍ଥାନୀୟ ସ୍କୁଲରେ ଅଧ୍ୟୟନ କରିଥିଲେ । ଗୃହ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର  ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି)ରେ ସେ  କ୍ୟାରିଅର୍‌ ଆରମ୍ଭ କରିଥିଲେ । ବର୍ତ୍ତମାନ  ସେ ଉତ୍ତରାଖଣ୍ଡ, ପିଥୋରାଗଡ଼ରେ  ୫୫ତମ ବାଟାଲିଅନ୍‌ରେ ମୁତୟନ  ଅଛନ୍ତି । ଏସ୍‌ପିଜିରେ ପ୍ରବେଶ  ସହିତ ଦେଶର ସୁରକ୍ଷା ବାହିନୀରେ ରହିଥିବା ଅନ୍ୟତମ ସବୁଠୁ ବଡ଼  ବାଧକ ଲିଙ୍ଗଗତ ପ୍ରାଚୀରକୁ ସେ  ଭାଙ୍ଗିଛନ୍ତି ।  

ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଗସ୍ତରେ  ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତାଙ୍କୁ ମୁତୟନ  କରାଯିବା କେବଳ ପ୍ରତୀକାତ୍ମକ ନୁହେଁ,  ଉଭୟ ରଣନୀତିକ ଓ ଐତିହାସିକ ପଦକ୍ଷେପ  ଥିଲା । ଇଣ୍ଟର୍‌ନେଟ୍‌ରେ ଅଦାସୋଙ୍କ ଫଟୋ  ଭାଇରାଲ ହେବା ପରେ ସୋସିଆଲ ମିଡିଆ  ୟୁଜର୍‌ ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି । ତାଙ୍କୁ  ଶକ୍ତିର ପ୍ରତୀକ ଓ ଶକ୍ତିଶାଳୀ ପ୍ରେରଣା ଭାବେ  ସମ୍ବୋଧନ କରୁଛନ୍ତି । ଖାସ୍‌କରି ମହିଳାଙ୍କ ପାଇଁ  ସେ ରୋଲ୍‌ ମଡେଲ ପାଲଟିଛନ୍ତି ।  ତାଙ୍କ ଉପଲବ୍ଧି ଏକ  ଶକ୍ତିଶାଳୀ ସଙ୍କେତ  ଦେଇଛି- ‘ମହିଳା  ସବୁଠି ବିଦ୍ୟମାନ,  ଏପରିକି  ନିଜ ପହଞ୍ଚଠୁ  ବାହାରେ ବୋଲି  କୁହାଯାଉଥିବା ସ୍ଥାନରେ ମଧ୍ୟ ସେ  ପହଞ୍ଚିଛି ।’