ଭୁବନେଶ୍ୱର,୨୦/୧୧ : ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସହିତ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ବୈଠକରେ ଯୋଗଦେଇଥିଲେ । ବିଶ୍ୱ ବ୍ୟାଙ୍କର ଦକ୍ଷିଣ ଏସିଆ ଆଂଚଳିକ ଉପସଭାପତି ଜୋହାନେସ୍ ଜୁଟ୍ ଏବଂ ଆଂଚଳିକ ନିର୍ଦ୍ଦେଶକ ଇମାଦ୍ ଫାକୁରୀଙ୍କ ସମେତ ବିଶ୍ୱ ବ୍ୟାଙ୍କର ଅନ୍ୟ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ, ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ଓଡ଼ିଶାର ଅଭିବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟର ଆଗାମୀ ଲକ୍ଷ୍ୟ, ଆର୍ଥିକ ବ୍ୟବସ୍ଥା, ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ବିଶ୍ୱବ୍ୟାଙ୍କ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟରେ କୃଷି ଭିତ୍ତିକ ଅର୍ଥନୀତି, ଶିଳ୍ପ ବିକାଶ, ଦକ୍ଷତା ବିକାଶ, ବନ୍ଦର ଭିତ୍ତିକ ବିକାଶ ଆଦି ସଂପର୍କରେ ଆଲୋଚନା କରିବା ସହ ଓଡ଼ିଶାକୁ ବିପୁଳ ସମ୍ଭାବନାର ରାଜ୍ୟ ଭାବେ ଉପସ୍ଥାପିତ କରିଥିଲେ ।
ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ରାଜ୍ୟର ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ଲକ୍ଷ୍ୟ ସଂପର୍କରେ ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରିଥିଲେ । ରାଜ୍ୟର ଭୌଗଳିକ, ଜନସଂଖ୍ୟା, ଅଭିବୃଦ୍ଧିର କ୍ରମ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଆଦିର ସାଂପ୍ରତିକ ସ୍ଥିତି ସଂପର୍କରେ ସେ ଉପସ୍ଥାପନ କରିବା ସହ ରାଜ୍ୟର ପ୍ରାକୃତିକ ସଂପଦ, ଖଣିଜ ସଂପଦ, ସୁଦୀର୍ଘ ସାମୁଦ୍ରିକ ବେଳାଭୂମି, ଜଳ ସଂପଦ, ଯୁବ ଶକ୍ତି ସଂବଳ, ଅର୍ଥନୈତିକ ଓ ବିତ୍ତୀୟ ସ୍ଥିରତା ଯୋଗୁଁ ରାଜ୍ୟର ଆଗାମୀ ବିକାଶର ଉଜ୍ୱଳ ସମ୍ଭାବନା ଉପରେ ସେ ଆଲୋଚନା କରିଥିଲେ । ବିଭିନ୍ନ ସମୟରେ ଓଡ଼ିଶା ସମ୍ମୁଖୀନ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ, ଦାରିଦ୍ର୍ୟ ଦୂରୀକରଣ, ଦକ୍ଷତା ବିକାଶ, ଜନଜାତିଙ୍କ ସଶକ୍ତିକରଣ, ଭିତ୍ତିଭୂମି ବିକାଶ, ନିରନ୍ତରତା ଭିତ୍ତିରେ ସହରାଂଚଳ ବିକାଶ, ଶିକ୍ଷାସ୍ୱାସ୍ଥ୍ୟରେ ଗୁଣାତ୍ମକ ଉନ୍ନତି ଏବଂ ଅତ୍ୟାବଶ୍ୟକ ମୌଳିକ ସେବା ପ୍ରଦାନ କ୍ଷେତ୍ରରେ ରାଜ୍ୟର ଆହ୍ୱାନ ଓ ସେ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସେ ଉପସ୍ଥାପନ କରିଥିଲେ । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପାଢୀ ରାଜ୍ୟରେ କୃଷିଭିତ୍ତିକ ଯୋଜନା ଓ କାର୍ଯ୍ୟକ୍ରମ, କୃଷିରେ ଉତ୍ପାଦନ ବୃଦ୍ଧି, କୃଷି ବିବିଧିକରଣକୁ ଗୁରୁତ୍ୱ, ରୋଗପୋକ ନିୟନ୍ତ୍ରଣରେ ସଫଳତା ସଂପର୍କରେ ଆଲୋଚନା କରିବା ସହ ପ୍ରାକୃତିକ ବିପର୍ୟ୍ୟୟ କୃଷି ପରିଚାଳନା ପାଇଁ ଆହ୍ୱାନ ରହିଥିବା ସଂପର୍କରେ କହିଥିଲେ । ଇପିକଲର ପରିଚାଳନା ନିର୍ଦ୍ଦେଶକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ ରାଜ୍ୟରେ ଶିଳ୍ପ ଇକୋସିଷ୍ଟମ ଓ ରାଜ୍ୟର ବିଭିନ୍ନ ଅଂଚଳରେ ଶିଳ୍ପ ଓ ଆନୁଷଙ୍ଗିକ ଶିଳ୍ପର ବିକାଶ ଓ ପୁଞ୍ଜି ନିବେଶ ସଂପର୍କରେ ଆଲୋକପାତ କରିଥିଲେ ।