ଜଟଣୀ,୩୧/୦୫: ଖୋର୍ଦ୍ଧାରୋଡ ରେଲୱେ ସ୍ପୋଟ୍‌ର୍ସ ଆସୋସିଏସନ ପକ୍ଷରୁ ଜୁନ୍‌  ପହିଲାରେ ହେବାକୁ ଯାଉଥିବା ହାଫ୍‌ ମାରାଥନର ଟି-ସାର୍ଟ ଶୁକ୍ରବାର ଉନ୍ମୋଚିତ ହୋଇଛି ।  ଡିଭିଜନ ପ୍ରବନ୍ଧକ ଏଚ୍‌ଏସ୍‌ ବାଜୱା ଏହାକୁ ଉନ୍ମୋଚନ କରିଥିଲେ । ଅତିରିକ୍ତ ପ୍ରବନ୍ଧକ  ତଥା ସ୍ପୋଟ୍‌ର୍ସ ଆସୋସିଏସନ ଉପାଧ୍ୟକ୍ଷ ପିକେ ବେହେରା, ଶୁଭ୍ରଜ୍ୟୋତି ମଣ୍ଡଳ, ବରିଷ୍ଠ  ବିତ୍ତ ପ୍ରବନ୍ଧକ ତଥା କ୍ରୀଡା ଅଧିକାରୀ ହିମାଦ୍ରୀ ଭୂଷଣ ବିଶ୍ୱାଳ ଉପସ୍ଥିତ ରହିଥିଲେ ।  ଆଇଆଇଟିର ମିଳିତ ସହଯୋଗରେ ପ୍ରଥମ ଥର ପାଇଁ ଜଟଣୀରେ ଆୟୋଜନ ହେବାକୁ  ଯାଉଥିବା ମେଗା ମାରାଥନରେ ୮ବର୍ଷ ଓ ତା’ଠାରୁ ଊଦ୍ଧ୍ୱର୍ ବୟସର ମହିଳା ପୁରୁଷ  ଭାଗନବେ । ଭାଗନେବା ପାଇଁ ଓଡ଼ିଶା ସମେତ ପଶ୍ଚିମ ବଙ୍ଗ, ଉତ୍ତରପ୍ରଦେଶ, ତେଲେଙ୍ଗାନା,  ଝାରଖଣ୍ଡ ରାଜ୍ୟରୁ ୧୨ଶହରୁ ଅଧିକ ପଞ୍ଜିକରଣ କରିଛନ୍ତି । ଏଥିରେ ଏନ୍‌ଡିଆରଏଫ୍‌,  ସିଆଇଏସଏଫ୍‌, ଆଇଓସିଏଲ, ନାଇଜର, ଆଇଆଇଟି, ସ୍କାଉଟ ଗାଇଡ୍‌ସ, ସିଭିଲ  ଡିଫେନ୍‌ସ, ଆରପିଏଫ୍‌ ଯବାନ ଅଂଶଗ୍ରହଣ କରିବେ । 

ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ  କରିବା ପାଇଁ ଅର୍ଜୁନ ପୁରସ୍କାର ପ୍ରାପ୍ତ ଆଥଲେଟ୍‌ ତଥା ଧାବିକା ଦୁତୀ ଚାନ୍ଦ ମାରାଥନରେ  ସାମିଲ ହେବେ । ମାରାଥନରେ ସବୁ ବର୍ଗର ବ୍ୟକ୍ତିବିଶେଷ ଭାଗନେବେ । ୨୧.୧ କିମି,  ୧୦କିମି, ୫କିମି, ୨କିମି ଚାରିଭାଗରେ ସକାଳ ସାଢ଼େ ୪ଟାରେ ସ୍ଥାନୀୟ ରେଲୱେ  ଷ୍ଟାଡିୟମରୁ ମାରାଥନ ଆରମ୍ଭ ହେବ । ଏହା ଆଇଆଇଟି କ୍ୟାମ୍ପସ ପର୍ଯ୍ୟନ୍ତ ଯାଇ ପୁନଃ  ରେଲୱେ ଷ୍ଟାଡିୟମରେ ପହଞ୍ଚିବ । ଏଥିପାଇଁ ମୋଟ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି  ରଖାଯାଇଛି । ଅଂଶଗ୍ରହଣକାରୀଙ୍କୁ ଟି-ସାର୍ଟି,ସାର୍ଟିଫିକେଟ, ପଦକ ଆଦି ପ୍ରଦାନ କରାଯିବ।