ନୂଆଦିଲ୍ଲୀ, ୦୫/୦୩ : ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲାହ ଅଲି ଖାମନେଇଙ୍କ ମୃତ୍ୟୁ ପରେ ତେହରାନ ଉପରେ ଆକ୍ରମଣକୁ କାଶ୍ମୀରରେ ଦୃଢ ନିନ୍ଦା। ଭାରତ ସରକାରଙ୍କ ନୀରବତାକୁ ନେଇ ବର୍ଷିଲେ ପିଡିପି ମୁଖ୍ୟ। ସମର୍ଥକଙ୍କ ସହ ଶ୍ରୀନଗରରେ ବିରୋଧ ପ୍ରଦର୍ଶନ କଲେ ମେହବୁବା ମୁପ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ସମାଲୋଚନା କରି ପୋଷ୍ଟର ଜାଳିଲେ ପିଡିପି ମୁଖ୍ୟ। ସେ କହିଛନ୍ତି ଯେ, କାଶ୍ମୀରର ଲୋକ ହୃଦୟରୁ ଇରାନ ସହ ଠିଆ ହୋଇଛନ୍ତି। ସେ ସମସ୍ତ ମୃତକଙ୍କୁ ଶହୀଦ କହିଛନ୍ତି।

ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲ୍ ର ମିଳିତ ଆକ୍ରମଣକୁ ମେହବୁବା ମୁପ୍ତି ଦୃଢ ନିନ୍ଦା କରିଛନ୍ତି। ଇରାନ ପ୍ରତି ସହାନୁଭୂତି ପ୍ରକଟ କରିଛନ୍ତି। ସେ ଭାରତ-ଇରାନ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ମନେ ପକାଇ କହିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗରେ ଅନ୍ୟ ମୁସଲିମ ଦେଶମାନେ ପାକିସ୍ତାନକୁ ସମର୍ଥନ କରୁଥିବା ବେଳେ ଇରାନ ସର୍ବଦା ଭାରତକୁ ସମର୍ଥନ କରିଛି। ଯେଉଁ ସମୟରେ ଭାରତ ଉପରେ ପ୍ରତିବନ୍ଧକ ଲାଗିଥିଲା, ସେତେବେଳେ ଇରାନ ଭାରତକୁ ତୈଳ ଯୋଗାଇଥିଲା। ଏଭଳି ଜଣେ ବିଶ୍ଵସ୍ତ ବନ୍ଧୁର ଅସମୟରେ ଆମ ନେତା ଚୁପ୍ ରହିବା ଦୁଃଖର ବିଷୟ।

ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲ୍ଲାଙ୍କ ଚୁପ୍ କୁ ନେଇ ମଧ୍ୟ ମେହବୁବା ମୁପ୍ତି ପ୍ରଶ୍ନ ଉଠାଇଛନ୍ତି। ଶ୍ରୀନଗରର ସାଂସଦ ଆଗା ଋହୁଲ୍ଲାହ ମେହଦି ଏବଂ ପୂର୍ବତନ ମେୟର ଜୁନୈଦ ଅଜିମ ମଟ୍ଟୟଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆର ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ଗଣତନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କର ବିରୋଧ କରିବାର ଅଧିକାର ଅଛି ବୋଲି ମୁପ୍ତି କହିଛନ୍ତି। ତେବେ ଘାଟୀରେ ଏବେ ପର୍ଯ୍ୟଟନ କ୍ଷେତ୍ରରେ ସାମାନ୍ୟ ସୁଧାର ଆସିଥିବାରୁ ଶାନ୍ତିପୂର୍ଣ୍ଣ ଉପାୟରେ ବିରୋଧ ପ୍ରଦର୍ଶନ କରିବାକୁ ବିକ୍ଷୋଭକାରୀଙ୍କୁ ମେହବୁବା ଅପିଲ କରିଛନ୍ତି।

ଏହି ଖବରଟିକୁ ପଢନ୍ତୁ- ଖାମେନେଇଙ୍କ ଅନ୍ତିମ ଯାତ୍ରା: ଇରାନର ଏହି ପବିତ୍ର ସହରରେ ଦିଆଯିବ ସମାଧି