ନୂଆଦିଲ୍ଲୀ,୨୮/୦୩: ଆଜିକୁ ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ୍‌ ଓ ମେଲାନିଆ ଟ୍ରମ୍ପ୍‌ଙ୍କର ବିଳାସପୂର୍ଣ୍ଣ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିବାହରେ ମେଲାନିଆ ପିନ୍ଧିଥିବା ଡାୟର ଗାଉନ୍‌ ଏବେ ଇବେ ସାଇଟ୍‌ରେ ଦେଖିବାକୁ ମିଳିଛି । ବିକ୍ରେତା ଏହାକୁ ‘ଡାୟର୍‌ ପାଇଁ ଜନ୍‌ ଗାଲିଆନୋ ଡିଜାଇନ୍‌ କରିଥିବା ମେଲାନିଆ ଟ୍ରମ୍ପ୍‌ଙ୍କ ବିବାହ ପୋଷାକ’ ଭାବେ ତାଲିକାଭୁକ୍ତ କରିଛନ୍ତି । ଗାଉନ୍‌ର ନିଲାମ ପାଇଁ ବୋଲି ୪୫ ହଜାର ଡଲାର ଅର୍ଥାତ୍‌ ହାରାହାରି ୩୮ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । କିନ୍ତୁ ତାଲିକାରେ ଏହି ପୋଷାକର ସତ୍ୟତା ସମ୍ପର୍କିତ କୌଣସି ପ୍ରମାଣ ନାହିଁ । ଡବ୍ଲ୍ୟୁଡବ୍ଲ୍ୟୁଡି ଅନୁସାରେ, ଡାୟର୍‌ ପାଇଁ ଜନ୍‌ ଗାଲିଆନୋଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ମେଲାନିଆଙ୍କ ମୂଳ ବିବାହ ଗାଉନ୍‌ ମାର୍‌-ଏ-ଲାଗୋରେ ରହିଛି । ଏହା ସତ୍ତେ୍ୱ ଇବେ ବିବାହ ଦିନର ମେଲାନିଆଙ୍କ ଫଟୋ ଶେୟାର କରିଛି । ଏଥିରେ ସେ ଏକ ସୁନ୍ଦର ଷ୍ଟ୍ରାପ୍‌ଲେସ୍‌ ସାଟିନ୍‌ ଗାଉନ୍‌ରେ ନଜର ଆସିଛନ୍ତି । ବିକ୍ରେତା ଏହି ପୋଷାକ ବିଷୟରେ ବର୍ଣ୍ଣନା କରିଛନ୍ତି ।

ସେ ଦର୍ଶାଇଛନ୍ତି ଯେ ପୋଷାକରେ ହାତରେ ସ୍ଫଟିକ ଲଗାଇବା ପାଇଁ ୫୦୦ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ୧୩ ଫୁଟ ଲମ୍ବା ଟ୍ରେନ୍‌ ଜରିଆରେ ସ୍ୱାରୋଭସ୍କି ସ୍ଫଟିକ ଲାଗିଥିଲା । ଫେବ୍ରୁଆରୀ ୨୦୦୫ରେ ଭୋଗ୍‌ ପତ୍ରିକାର ପ୍ରଚ୍ଛଦରେ ବିବାହ ଗାଉନ୍‌ ପିନ୍ଧିଥିବା ମେଲାନିଆଙ୍କ ସ୍କ୍ରିନ୍‌ଶଟ୍‌ ମଧ୍ୟ ତାଲିକାରେ ରହିଛି । ବିକ୍ରେତା ଗାଉନ୍‌ରେ କିଛି ପରିବର୍ତ୍ତନ କରିଥିବା ସ୍ୱୀକାର କରିଛନ୍ତି । ମେଲାନିଆଙ୍କ ସାଇଜ୍‌ ୦-୨ ଥିଲା । ତେଣୁ ସେ ଏହାକୁ ଟିକିଏ ବଡ଼ କରିଛନ୍ତି । ଗାଉନ୍‌ ତଳେ ସେ ଅତିରିକ୍ତ ପରସ୍ତ ସାଟିନ୍‌ କପଡ଼ା ଯୋଡ଼ିଛନ୍ତି । ଉପରେ ଅଧିକ ଏମ୍ବ୍ରୋଡୋରୀ କରିଛନ୍ତି ଏବଂ ପଛ ଓ ଷ୍ଟ୍ରାପ୍‌ରେ ଅତିରିକ୍ତ କପଡ଼ା ଲଗାଇଛନ୍ତି । 

ବର୍ତ୍ତମାନ ଡ୍ରେସ୍‌ର ସାଇଜ୍‌ ୪-୬ ଅଛି । କିନ୍ତୁ ପଛ ପରସ୍ତକୁ ହଟାଇ ଦେଲେ ତାହା ପୁଣି ୦-୨ ସାଇଜ୍‌ର ହୋଇଯିବ । ତେବେ ଡ୍ରେସ୍‌କୁ ସଫା ଓ ଆଇରନ୍‌ କରିବାର ଆବଶ୍ୟକତା ରହିଥିବା ବିକ୍ରେତା କହିଛନ୍ତି । ସେ ଆହୁରି କହିଛନ୍ତି, ଏହି ପୋଷାକକୁ ଦୁଇଥର ପିନ୍ଧାଯାଇଛି । ୨୦୦୫ରେ ମେଲାନିଆ ନିଜ ବିବାହରେ ଏବଂ ତା’ପରେ ୨୦୧୧ରେ ବିକ୍ରେତା ନିଜ ବିବାହରେ ଏହାକୁ ପିନ୍ଧିଥିଲେ । ମେଲାନିଆ ଏହି ଡାୟର୍‌ ଗାଉନ୍‌କୁ ପ୍ୟାରିସ୍‌ରେ ଚୟନ କରିଥିଲେ । ଏହାର ଡିଜାଇନ୍‌ରେ ୩୦୦ ଫୁଟର କପଡ଼ା ଲାଗିଥିଲା ଏବଂ ସଜାଇବାକୁ ୫୫୦ ଘଣ୍ଟା ସମୟ ଲାଗିଥିଲା । ଗାଉନ୍‌କୁ ପ୍ରସ୍ତୁତ କରିବାକୁ ମୋଟ୍‌ ୧୦୦୦ ଘଣ୍ଟା ସମୟ ଲାଗିଥିଲା । ଏହାର ମୂଲ୍ୟ ୧୬ କୋଟି ଥିଲା ।