ନୂଆଦିଲ୍ଲୀ, ୨୧/୦୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ବନ୍ଧୁତ୍ୱକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥାଏ । କିନ୍ତୁ ଏଥର ଉଭୟଙ୍କ ବନ୍ଧୁତ୍ୱର ପ୍ରଭାବ ସିଧାସଳଖ ଭାରତୀୟ ବଜାରରେ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଇଟାଲି ଗ୍ରସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ପାର୍ଲେ ‘ମେଲୋଡି’ ଟଫିର ଏକ ପ୍ୟାକେଟ୍ ଉପହାର ଦେଇଛନ୍ତି । ବାସ୍ ଏହାପରେ ଦେଶରେ ଆରମ୍ଭ ହୋଇଗଲା ‘ମେଲୋଡି’ ଲୁଟ୍ ଅଭିଯାନ । ଇଣ୍ଟର୍ନେଟ୍ରେ ଭିଡିଓ ଭାଇରାଲ ହେବା ମାତ୍ରେ ଭାରତରେ ଏହି ଟଫିକୁ କିଣିବାକୁ ଭିଡ଼ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପରିସ୍ଥିତି ଏଭଳି ହୋଇଗଲା ଯେ, ଶେଷରେ କେତେକ ସହରରେ ବ୍ଲିଙ୍କିଟ୍, ଜେପ୍ଟୋ ଏବଂ ଇନ୍ଷ୍ଟାମାର୍ଟ ଭଳି କ୍ୱିକ୍ କମର୍ସ ପ୍ଲାଟ୍ଫର୍ମରେ କିଛି ଘଣ୍ଟା ମଧ୍ୟରେ ମେଲୋଡି ଟଫି ସମ୍ପୂର୍ଣ୍ଣ ଆଉଟ୍ ଅଫ୍ ଷ୍ଟକ୍ ହୋଇଯାଇଛି । ଟଙ୍କିକିଆ ଏହି ଟଫି ଇଣ୍ଟର୍ନେଟ୍ରେ ଏଭଳି କ୍ରେଜ୍ ଦେଖାଇଛି, ଯାହା ବଡ଼ ବଡ଼ ବିଜ୍ଞାପନ ବି କରିପାରିନାହାନ୍ତି ।
ପ୍ରକାଶଯୋଗ୍ୟ, ଇଟାଲିର ପ୍ରଧାନମନ୍ତ୍ରୀ ମେଲୋନି ବୁଧବାର ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ‘ମେଲୋଡି’ ଟଫି ଉପହାର ଦେଉଛନ୍ତି । ଭିଡିଓ ସହିତ ସେ ଲେଖିଛନ୍ତି ଯେ, ‘ଥ୍ୟାଙ୍କ୍ ୟୁ ଫର୍ ଦ ଗିଫ୍ଟ’ । ଉଭୟ ନେତାଙ୍କ ମଧ୍ୟରେ ଏହି ଭାବ ଲୋକଙ୍କୁ ବେଶ୍ ପସନ୍ଦ ଆସିଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ଲେଖିଥିଲେ ଯେ, ଭାରତ ଏବଂ ଇଟାଲି ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବାଠାରୁ ଆରମ୍ଭ କରି ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।
ତେବେ ମୋଦିଙ୍କ ମେଲୋଡି ଉପହାର ପରେ ପାର୍ଲେ ଇଣ୍ଡଷ୍ଟ୍ରିଜ୍ର ସେୟାର ମୂଲ୍ୟ ମଙ୍ଗଳବାର ୫% ବଢ଼ିଯାଇଥିଲା । ନିବେଶକଙ୍କ ସକାରାତ୍ମକ ପ୍ରତିକ୍ରିୟା ମଧ୍ୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ)ରେ କାରବାର ମଝିରେ ଏହା ୫% ବଢ଼ି ୫.୨୫ ଟଙ୍କାରେ ପହଞ୍ଚିଯାଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି, ମେଲୋଡି କ୍ୟାଣ୍ଡି ବ୍ରାଣ୍ଡ୍ ସହିତ ପାର୍ଲେ ଇଣ୍ଡଷ୍ଟ୍ରିଜ୍ର କୌଣସି ସମ୍ପର୍କ ନାହିଁ । ‘ମେଲୋଡି’କୁ ପ୍ରସ୍ତୁତ କରୁଛି ପାର୍ଲେ ପ୍ରଡକ୍ଟ୍ସ, ଯେଉଁ କମ୍ପାନି ପାର୍ଲେ-ଜି ବିସ୍କିଟ୍ ପାଇଁ ଜଣା । ପାର୍ଲେ ଇଣ୍ଡଷ୍ଟ୍ରିଜ୍ ଭିତ୍ତିଭୂମି, ରିୟଲ ଇଷ୍ଟେଟ୍ ଏବଂ ପେପର ୱେଷ୍ଟ ରିସାଇକ୍ଲିଂ ଆଦି ବ୍ୟବସାୟରେ ଜଡ଼ିତ । କେବଳ ପାର୍ଲେ ନାଁ ରହିଥିବାରୁ ଏକ ପ୍ରକାର ଭ୍ରମ ମଧ୍ୟରେ କମ୍ପାନିକୁ ମିଳିଗଲା ପରିସ୍ଥିତିର ଫାଇଦା ।
ଏହି ଖବରଟିକୁ ପଢନ୍ତୁ- ମେଲୋନିଙ୍କୁ 'ମେଲୋଡି ଚକୋଲେଟ୍' ଦେଲେ ମୋଦି; ଧନ୍ୟବାଦ ଜଣାଇଲେ ଇଟାଲୀ ପ୍ରଧାନମନ୍ତ୍ରୀ