ନୂଆଦିଲ୍ଲୀ,୦୨/୦୬: କାହାକୁ ଗାଳି କରିବା ଅର୍ଥ ଆତ୍ମହତ୍ୟା ପାଇଁ ଉସୁକାଯାଇଛି ବୋଲି କୁହାଯାଇ ପାରିବ ନାହିଁ । ସୁପ୍ରିମକୋର୍ଟ  ଏହି ଟିପ୍ପଣୀ ଦେବା ସହ ମାଡ୍ରାସ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିଦେଇଛନ୍ତି । ହାଇକୋର୍ଟ  ନିଜ ରାୟରେ ତାମିଲନାଡୁ ସ୍କୁଲ୍‌ର ଜଣେ  ହଷ୍ଟେଲ ୱାର୍ଡେନଙ୍କୁ ଆଇପିସି ଧାରା  ୩୦୬ ଅନୁସାରେ ଛାତ୍ରଙ୍କୁ ଆତ୍ମହତ୍ୟା  ପାଇଁ ଉସୁକାଇବା ନେଇ ଦୋଷୀ ସାବ୍ୟସ୍ତ  କରିଥିଲେ । ତେବେ ସୁପ୍ରିମକୋର୍ଟଙ୍କ ରାୟ ଦ୍ୱାରା ସେ ଦୋଷମୁକ୍ତ ହୋଇଛନ୍ତି । ସୁ

ପ୍ରିମକୋର୍ଟରେ ଶୁଣାଣି ବେଳେ ଜଷ୍ଟିସ୍‌  ଅହସାନୁଦ୍ଦିନ ଅମାନୁଲ୍ଲାହ ଓ ପ୍ରଶାନ୍ତ କୁମାର  ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି, ଗାଳିଦେବା ଦ୍ୱାରା ଏଭଳି ଘଟଣା ଘଟିବା ନେଇ କେହି  ଚିନ୍ତା କରିପାରିବ ନାହିଁ । ହଷ୍ଟେଲ ୱାର୍ଡେନ ଜଣକ ଅନ୍ୟ ଜଣେ ଛାତ୍ରଙ୍କ ଅଭିଯୋଗ ପରେ ପୀଡ଼ିତ ଛାତ୍ରଙ୍କୁ ଗାଳି କରିଥିଲେ । ଏହାପରେ ସେ ନିଜ ରୁମ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ୱାର୍ଡେନଙ୍କ ଯୁକ୍ତି ଥିଲା ଯେ  ସେ ଅଭିଭାବକ ଦୃଷ୍ଟିରୁ ଗାଳି କରିଥିଲେ । ଯାହା ଦ୍ୱାରା ସେ  ପୁନର୍ବାର ଭୁଲ କରିବେ ନାହିଁ । କିନ୍ତୁ ସେ ଏଭଳି ଚରମ ପଦକ୍ଷେପ ନେବେ ବୋଲି  ୱାର୍ଡେନ ଭାବି ନ ଥିଲେ । 

ହଷ୍ଟେଲ ୱାର୍ଡେନଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ଛାତ୍ର ଜଣକୁ ପାଟି କରାଯିବା ପରେ ସେ ନିଜ ରୁମ୍‌କୁ ଚାଲିଯାଇଥିଲେ । ପରିସ୍ଥିତି ଶାନ୍ତ ପଡ଼ିଥିଲା । କିନ୍ତୁ ପରେ ଛାତ୍ର ଜଣକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କ ମୁତାବକ ସ୍କୁଲ ଓ ହଷ୍ଟେଲ ଚଳାଉଥିବା ଲୋକଙ୍କର ଦାୟିତ୍ୱ ରହିଛି । ପିଲାମାନଙ୍କୁ କିଭଳି ଅଭିଭାବକ ସାଜି ଠିକ୍‌ ବାଟରେ ଯିବା ପାଇଁ କୁହାଯିବ, ତାହା  ୱାର୍ଡେନଙ୍କ ଦାୟିତ୍ୱ । ପିଲାମାନେ ନିଜ ପିତାମାତାଙ୍କୁ ଛାଡ଼ି ହଷ୍ଟେଲରେ ରହୁଛନ୍ତି । ସେମାନେ ଯେମିତି  ଭୁଲ ନ କରନ୍ତି, ସେଥିପାଇଁ  ସେମାନଙ୍କୁ ତାଗିଦ୍‌ କରାଯାଏ ।  ତା’ଛଡ଼ା ହଷ୍ଟେଲ ୱାର୍ଡେନ୍‌ ଓ ସମ୍ପୃକ୍ତ ଛାତ୍ରଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ ବିବାଦ ନ ଥିଲା । 

ତାମିଲନାଡୁ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ମଧ୍ୟ ସମାନ କଥା ଦର୍ଶାଇଥିଲେ । ହଷ୍ଟେଲ ୱାର୍ଡେନଙ୍କୁ ଦୋଷାରୋପ କରାଯିବା ନେଇ କୌଣସି  ବୈଧ କାରଣ ନ ଥିବା ସେ କହିଥିଲେ । ଶୁଣାଣି ବେଳେ ଅଭିଯୋଗକାରୀ ତଥା ମୃତ  ଛାତ୍ରଙ୍କ ପିତା ହାଜର ହୋଇ ନ ଥିଲେ । ଶେଷରେ ସୁପ୍ରିମକୋର୍ଟ ଖଣ୍ଡପୀଠ ହଷ୍ଟେଲ  ୱାର୍ଡେନଙ୍କୁ ଦୋଷମୁକ୍ତ ଘୋଷଣା କରିଥିଲେ ।  ତାଙ୍କ ବିରୋଧରେ ଲାଗିଥିବା ଧାରା ୩୦୬କୁ  ହଟାଇବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।  ରାଜ୍ୟ ପୁଲିସ ତରଫରୁ ଏହି ମାମଲା ରୁଜୁ  ହୋଇଥିଲା । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ  ୨୦୨୪ ଡିସେମ୍ବରରେ ମଧ୍ୟ ସର୍ବୋଚ୍ଚ ଅଦାଲତ ଏକ ମାମଲାରେ ସମାନ ଟିପ୍ପଣୀ ଦେଇଥିଲେ ।