ନୂଆଦିଲ୍ଲୀ, ୦୯/୦୩ : ପଶ୍ଚିମ ଏସିଆରେ ବଢୁଛି ଯୁଦ୍ଧ । ଏହା ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଏବେ ଉପରମୁହାଁ । ଯଦି ଉପଭୋକ୍ତାଙ୍କ ଉପରେ ତୈଳ କମ୍ପାନିଗୁଡ଼ିକ ବୋଝ ପକାନ୍ତି ତେବେ ଘରୋଇ ବଜାରରେ ଇନ୍ଧନ ଦର ବଢ଼ିବ । ଫଳସ୍ୱରୂପ ୨୦୨୬-୨୭ରେ ମୁଦ୍ରାସ୍ଫୀତିରେ ୧୦ରୁ ୨୦ ବେସିସ୍ ପଏଣ୍ଟ ବୃଦ୍ଧି ଘଟିପାରେ ବୋଲି ଅନୁମାନ କରିଛନ୍ତି ଅର୍ଥନୀତିଜ୍ଞ । ଏହା ସହିତ ଜିଡିପି ଅଭିବୃଦ୍ଧି ମଧ୍ୟ ପ୍ରଭାବିତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।
ଯୁଦ୍ଧ ସ୍ଥିତିରେ ଇରାନ ହୋମୁର୍ଜ ଜଳପଥ ବନ୍ଦ କରିଦେଇଛି । ଫଳରେ ଏହି ବାଟ ଦେଇ ପେଟ୍ରୋଲିୟମ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୦୦ ଡଲାର ଛୁଇଁଛି। ଏଚ୍ଡିଏଫ୍ସି ବ୍ୟାଙ୍କ ଅନୁମାନ କରିଛି ଯେ, ଯଦି ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ହାରାହାରି ୬୫ ଡଲାର ରୁହେ ତେବେ ୨୦୨୬-୨୭ରେ ମୁଦ୍ରାସ୍ଫୀତି ୪.୩% ରହିପାରେ । ଅନ୍ୟପକ୍ଷରେ, ଯଦି ଏହା ୭୫ ଡଲାରକୁ ବୃଦ୍ଧି ପାଏ, ତେବେ ମୁଦ୍ରାସ୍ଫୀତି ଆଉ ୨୦ ବେସିସ୍ ପଏଣ୍ଟ ବଢ଼ିପାରେ । ଯଦି ସ୍ଥିତି ଅଧିକ ଗମ୍ଭୀର ରୁହେ ଏବଂ ସରକାର ଉତ୍ପାଦ ଶୁଳ୍କ ହ୍ରାସ ନ କରନ୍ତି ତେବେ ଉପଭୋକ୍ତାଙ୍କ ଉପରେ ବୋଝ ପଡ଼ିବ । ଏଭଳି ସ୍ଥିତିରେ ମୁଦ୍ରାସ୍ଫୀତି ୫୦ ବେସିସ୍ ପଏଣ୍ଟ ବଢ଼ିପାରେ ବୋଲି କୁହନ୍ତି ଏଚ୍ଡିଏଫ୍ସି ବ୍ୟାଙ୍କ୍ର ମୁଖ୍ୟ ଅର୍ଥନୀତିଜ୍ଞ ସାକ୍ଷୀ ଗୁପ୍ତା । କେୟାର୍ଏଜ୍ ରେଟିଙ୍ଗ୍ସର ମୁଖ୍ୟ ଅର୍ଥନୀତିଜ୍ଞ ରଜନୀ ସିହ୍ନା କୁହନ୍ତି, ଯଦି ଅଶୋଧିତ ତୈଳ ଦର ଅଧିକ ସମୟ ଧରି ୮୦ ଡଲାର ଉପରେ ରୁହେ, କେବଳ ପରୋକ୍ଷ ପ୍ରଭାବ ଦ୍ୱାରା ୨୦୨୬- ୨୭ରେ ମୁଦ୍ରାସ୍ଫୀତି ପାଖାପାଖି ୧୦ ବେସିସ୍ ପଏଣ୍ଟ ବଢ଼ିପାରେ ।
ଡିବିଏସ୍ ବ୍ୟାଙ୍କ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ବରିଷ୍ଠ ଅର୍ଥନୀତିଜ୍ଞ ରାଧିକା ରାଓ କହିଛନ୍ତି ଯେ,ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ହାରାହାରି ୭୦ ବ୍ୟାରେଲ ରହିଲେ ମୁଦ୍ରାସ୍ଫୀତି ଉପରେ ଅପ୍ସାଇଡ୍ ରିସ୍କ ରହିଛି । ଭାରତ ଏହାର ତୈଳ ଆବଶ୍ୟକତାର ୮୫%ରୁ ଅଧିକ ଆମଦାନି ଜରିଆରେ ପୂରଣ କରିଥାଏ । ଏଥିମଧ୍ୟରୁ ଅଧା ହୋର୍ମୁଜ ଜଳମାର୍ଗ ଦେଇ ଆସିଥାଏ । ପାଖାପାଖି ୪୭% ସାଉଦି ଆରବ, ୟୁଏଇ, କୁଏତ୍ ଏବଂ ଇରାକ ଭଳି ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରୁ ଆସିଥାଏ । ଏହାସତ୍ତ୍ଵେ ବିଶେଷଜ୍ଞଙ୍କ ମତରେ ଇନ୍ଧନର ଖୁଚୁରା ଦର ଉପରେ ସେଭଳି ବିଶେଷ ପ୍ରଭାବ ପଡ଼ିବ ନାହିଁ । ଖର୍ଚ୍ଚର କିଛି ଭାଗ ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ ସହ୍ୟ କରିପାରନ୍ତି ।
ଏହି ଖବରଟିକୁ ପଢନ୍ତୁ- ଇରାନ ବିରୋଧରେ ସ୍ଥଳସେନା ଅଭିଯାନ ମୁଡ୍ରେ ଟ୍ରମ୍ପ , ପରମାଣୁ ଘାଟି କବଜା କରିବାକୁ ପ୍ରସ୍ତୁତି ଜୋରଦାର ?