ଭୁବନେଶ୍ବର,୦୬/୧୨:  'ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା' ଅପରୂପ ସୌନ୍ଦର୍ଯ୍ୟରେ ଭରା ଚିଲିକା । ପ୍ରକୃତିର ଅପୂର୍ବ ଶୋଭାରାଜି ସହ ରଙ୍ଗବେରଙ୍ଗ ବିଦେଶୀ ପକ୍ଷୀଙ୍କ ସମାଗମ ଚିଲିକାକୁ ଆହୁରି ସୁନ୍ଦର କରୁଛି । କିଚିରି ମିଚିରି କଳରବରେ ମୁଖରିତ ହୋଇ ଉଠିଛି ଚିଲିକା । ତେବେ ଏମାନଙ୍କ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି । ଚିଲିକା ଭ୍ରମଣ ସହ ବିଦେଶାଗତ ପକ୍ଷୀଙ୍କୁ ଦେଖିବା ନିମନ୍ତେ ଦେଶ ବିଦେଶରୁ ଦୈନିକ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ପର୍ଯ୍ୟଟକମାନେ ମେସିନ୍‌ ଚାଳିତ ଡଙ୍ଗା ଓ ସ୍ପିଡ୍‌ ବୋଟ୍‌ ସାହାଯ୍ୟରେ ସାତପଡ଼ା, ବାଲୁଗାଁ, ବଡ଼କୁଳ ରମ୍ଭା, କୃଷ୍ଣପ୍ରସାଦ ଓ ଚନ୍ଦ୍ରାପୁଟ ଦେଇ ଚିଲିକା ଭ୍ରମଣରେ ଆସୁଥିବା ଦେଖିବାକୁ ମିଳିଛି । ପୂର୍ବ ବର୍ଷ ଅପେକ୍ଷା ଏଥର ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବ ବୋଲି ବନ ବିଭାଗ ଆକଳନ କରୁଛି । ଶୀତ ଋତୁର ଆଗମନରେ ବରଫପ୍ଳାବିତ ଆଫଗାନିସ୍ଥାନ, କାଜାକିସ୍ଥାନ, ହିମାଳୟ, ମାଲେସିଆ, ସାଇବେରିଆ, ମଙ୍ଗୋଲିଆ, ଲଦାଖ, ଇରାନ୍‌, ଇରାକ, ରୁଷ ଆଦି ଅଞ୍ଚଳରୁ ପକ୍ଷୀମାନେ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଅଧୀନ ଚିଲିକାକୁ ଆସିଥାନ୍ତି । ପକ୍ଷୀମାନେ ମାଇଲ୍‌ ମାଇଲ୍‌ ଦୂର ଅତିକ୍ରମ କରି ଚିଲିକାରେ ପହଞ୍ଚିବା ପରେ କ୍ଳାନ୍ତ ହୋଇ ଗାଁ ଗହଳିରେ ଥିବା ଧାନ ବିଲରେ ଲୁକ୍କାୟିତ ଅବସ୍ଥାରେ ରହି ଆହାର ସଂଗ୍ରହ କରନ୍ତି ।

ଏହି ସମୟରେ ଶିକାରୀମାନେ ସକ୍ରିୟ ହୋଇଥାନ୍ତି । ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ବନ ବିଭାଗ ତରଫରୁ ୨୪ ଘଣ୍ଟିଆ ପହରା ଦିଆଯାଉଛି । ନଳବଣ ଚତୁଃପାଶ୍ୱର୍କୁ ସୁରକ୍ଷାକର୍ମୀମାନେ ଜଗି ରହିଛନ୍ତି । ବିଦେଶାଗତ ପକ୍ଷୀମାନେ ବାଲୁଗାଁ, ରମ୍ଭା ଚିଲିକା ନୂଆପଡ଼ା ଓ ସାତପଡ଼ା ରେଞ୍ଜ ଅଧୀନ ଚିଲିକାରେ ବିଚରଣ କରିଥାନ୍ତି । ସେମାନେ ମେଳିବାନ୍ଧି ସନ୍ଧ୍ୟା ସମୟରେ ଭି ଓ ୟୁ ଉପତ୍ୟକାରେ ଆକାଶମାର୍ଗରେ ଘୂରି ବୁଲୁଥିବାରୁ ପକ୍ଷୀଙ୍କ ଗତିବିଧି ଅନୁସରଣ କରି ପର୍ଯ୍ୟଟକମାନେ ଉତ୍ସାହିତ ହୋଇଥାନ୍ତି । ଚଳିତ ବର୍ଷ ନଳବଣକୁ ୮୨ ପ୍ରଜାତିର ୨ ଲକ୍ଷ ୧୯ ହଜାର ୩୦୦ ପକ୍ଷୀ ଆସିଛନ୍ତି । ଏମାନେ ଗୋଡ଼ାବାଟ, ଗାହାଣେଶ୍ୱର, ମଏଁସାକୁଦ ଓ ଚତରା, ପାଦ, ମଧୁବନ, ତେଣ୍ଟାଧୁଆ, ମାଉଳି, କାଠପେଣ୍ଠ ଯମଲ, ଗୋଠପଡ଼ିଆ, ସୋଲାକୁଦି, ପାହାନାକୁଦା ଆଦି ଚିଲିକାକୂଳ ଗାଁରେ ଖାଦ୍ୟ ଅନ୍ୱେଷଣରେ ବିଚରଣ କରୁଥିବା ବନବିଭାଗ ଠାରୁ ସୂଚନା ମିଳିଛି । ପକ୍ଷୀ ସୁରକ୍ଷା ଓ ଗତିବିଧି ଅନୁକରଣ ନିମନ୍ତେ ବାଲୁଗାଁ ବନାଞ୍ଚଳ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଳାନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ କାଶୀନାଥ ହେମ୍ବ୍ରମ, ରଶ୍ମିତା ଜେନା, ଶରତ କୁମାର ଜାନିଙ୍କ ନେତୃତ୍ୱରେ ଚିଲିକାରେ ଡ୍ରୋନ୍‌ କ୍ୟାମେରାକୁ ନିୟୋଜିତ କରାଯାଇଛି । ଗ୍ରାମବାସୀଙ୍କୁ ପକ୍ଷୀ ସୁରକ୍ଷା ସଚେତନତା ବାର୍ତ୍ତା ଦିଆଯାଉଛି । ନଳବଣର ପକ୍ଷୀ ସଂଖ୍ୟାକୁ ଦୈନିକ ଡ୍ରୋନ୍‌ ଓ ବାଇନାକୁଲାର ମାଧ୍ୟମରେ ଆକଳନ କରାଯାଉଥିବା ସହକାରୀ ବନ ସଂରକ୍ଷକ ଶତାବ୍ଦୀ ମିଶ୍ର ଓ ପ୍ରମୋଦ କୁମାର ସେଠୀ ସୂଚନା ଦେଇଛନ୍ତି । 

ଚିଲିକାରେ କମନ ଟିଲ, ନର୍ଦ୍ଦମ ପିଣ୍ଟେଲ, ପିଣ୍ଟେଡ ଷ୍ଟୋକ, ରେଡ ସାଙ୍କ, ଉଡ଼ସାଣ୍ଡ ପିପର, ଗ୍ଲାସି ଆଇବିଶି, ଯୁରାସିଆନ କାର୍ଲ୍ୟୁ, ହୁଇମ ବ୍ରେଲ, ଫିଜାଣ୍ଟଟେଲ ଜାକାନା, ବ୍ରୋଞ୍ଚ ଉଇଣ୍ଡ ଜାକାନା, ଇଣ୍ଡିଆନ ରିଭର ଟର୍ନ, ହୁଇସ୍କ ଟର୍ନ, ବ୍ଲାକ ହେଡେଡ୍‌ ଆଇବିଶି, ଗ୍ରେ ହେରେନ (ରଞ୍ଜନା ବଗ), କ୍ୟାଟେଲ ଇଗ୍ରେଟ, ଲିଟିଲ ଇଗ୍ରେଟ, ମିଡିୟମ ଲାର୍ଜ ଇଗ୍ରେଟ ଆଦି ପ୍ରଜାତିର ପକ୍ଷୀ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ଗ୍ରେଟର ଫ୍ଲେମିଙ୍ଗୋ(ଏରା)ପକ୍ଷୀ ପର୍ଯ୍ୟଟକଙ୍କ ମନ ମୋହୁଛି । ବିଦେଶାଗତ ପକ୍ଷୀଙ୍କ କାକକଳେରବରେ ସୌନ୍ଦର୍ଯ୍ୟମୟୀ ଚିଲିକା ଉତ୍ସବମୁଖର ହୋଇଉଠୁଛି । ଚିଲିକା ମଧ୍ୟସ୍ଥ ପାହାଡ଼ ଉପରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା' କାଳିଜାଇଙ୍କ ଦର୍ଶନ ଓ ଆଶୀର୍ବାଦ ନିମନ୍ତେ ପର୍ଯ୍ୟଟକ ଓ ଭକ୍ତଙ୍କ ଭିଡ଼ ଜମୁଛି । ବନପାଳ ରଶ୍ମୀରଞ୍ଜନ ନାୟକ, ବିଶ୍ୱନାଥ ଟୁଡୁ, ଜିତେନ୍ଦ୍ର ଜେନା, ଅର୍ଜୁନ ପ୍ରଧାନ, ପ୍ରଣବ ଜୟସିଂ, ବନରକ୍ଷୀ ଲକ୍ଷ୍ମଣ ବେହେରା, ତ୍ରିଲୋଚନ ମହାରଣା, ସତ୍ୟରଞ୍ଜନ ରଥ, ଆଲୋକ ବେହେରା, ଅରୁନ୍ଧତୀ ପୋଟା ପ୍ରମୁଖ ବିଭିନ୍ନ ଗ୍ରାମ ପରିଭ୍ରମଣ କରି ପକ୍ଷୀ ବିଚରଣ କରୁଥିବା ସ୍ଥାନ ଅନୁଧ୍ୟାନ କରିବା ସହ ସୁରକ୍ଷାକର୍ମୀଙ୍କୁ ନେଇ ଚିଲିକାରେ ରାତ୍ରକାଳୀନ କଡ଼ା ପାଟ୍ରୋଲିଂ କରୁଛନ୍ତି ।