ନୂଆଦିଲ୍ଲୀ : ଭାରତର ମିନି ଇସ୍ରାଏଲ୍। ଏଠାରେ ଭାରତୀୟ କମ୍, ବିଦେଶୀ ଅଧିକ। ଏଠାକୁ ଥରେ ଯିଏ ଆସିଛି ସେ ଫେରିବାର ବାଟ ଭୁଲିଛି। ପୃଥିବୀ ନୁହେଁ ତ ୱଣ୍ଡର ଲ୍ୟାଣ୍ଡ। ବିମୋହିତ କରିଦେବ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ। ଶୀତରେ ମିଳିବ ସ୍ଵର୍ଗୀୟ ଅନୁଭବ। ପ୍ରକୃତି ଓ ବୈଶ୍ଵିକ ସଂସ୍କୃତିର ସଙ୍ଗମ ସ୍ଥଳ। ବିଦେଶୀ ପ୍ରଭାବ, ତିବ୍ବତୀ ପରମ୍ପରା ଏବଂ ହିମାଳୟର ସୁନ୍ଦରତା ଏହି ସ୍ଥାନକୁ ଆହୁରି ଅନନ୍ୟ କରୁଛି। ଏଠାକୁ ବିଦେଶୀ ବୁଲିବାକୁ ଆସନ୍ତି କିନ୍ତୁ ଫେରିବାକୁ ମନ କରନ୍ତିନି। ମାସ ମାସ ଧରି ଘର ଭଡ଼ା ନେଇ ରୁହନ୍ତି। ଯଦି ଆପଣ ଏକ ଆଧ୍ୟାତ୍ମିକ, ପ୍ରାକୃତିକ ଓ ଶାନ୍ତ ପରିବେଶ ଚାହୁଁଛନ୍ତି କିମ୍ଵା ଗୋଟିଏ ସ୍ଥାନରେ ଭିନ୍ନ ଭିନ୍ନ ସଂସ୍କୃତିର ମଜା ନେବାକୁ ଚାହୁଁଛନ୍ତି ତାହେଲେ ଥରେ ଧର୍ମକୋଟ ବୁଲି ଆସନ୍ତୁ। ଏହା ଆପଣଙ୍କୁ ସବୁର ଅନୁଭବ ଦେବ।

ଆରମ୍ଭ ହୋଇଗଲାଣି ଭ୍ରମଣ ଋତୁ। ଶୀତର ପହିଲି ପୁଲକର ମଜା ନେଇ ବିଭିନ୍ନ ସ୍ଥାନ ବୁଲିବେ ପର୍ଯ୍ୟଟକ। ତେବେ ହିମାଚଳ ପ୍ରଦେଶରେ ଏଭଳି ଏକ ଗାଁ ରହିଛି। ଯେଉଁଠି ଆପଣଙ୍କୁ ବିଦେଶୀ ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ଏହି ଗାଁର ନାମ ଧର୍ମକୋଟ। ଏହାକୁ ମିନି ଇସ୍ରାଏଲ୍ ମଧ୍ୟ କୁହାଯାଏ। ମ୍ୟାକ୍ଲୋଡଗଞ୍ଜ ଠାରୁ ମାତ୍ର ୨ କିଲୋମିଟର ଦୂରରେ ଏହି ଗାଁ ଅବସ୍ଥିତ। ବିଶେଷ କରି ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ। ଏଠାକାର ଦୋକାନ, ଘର, ରେଷ୍ଟୁରାଣ୍ଟ, କ୍ୟାଫେ ସବୁକିଛି ଇସ୍ରାଏଲ୍ ଷ୍ଟାଇଲ୍‌ରେ ନିର୍ମାଣ କରାଯାଇଛି। 

ସହରର ଭିଡ଼ ଭାଡ଼ ଠୁ ବହୁ ଦୂରରେ ଧର୍ମକୋଟ। ଏଠାକାର ସୁଉଚ୍ଚ ପର୍ବତମାଳା, ଘନ ଦେବଦାରୁ ଜଙ୍ଗଲ ଏକ ଥଣ୍ଡା ଓ ଶାନ୍ତ ପରିବେଶ ଦେବ। ବିଶେଷ କରି ଗ୍ରୀଷ୍ମ ଋତୁରେ ଥଣ୍ଡା ପରିବେଶ ମିଳିବ। ଶୀତ ଋତୁରେ ଧଳା ବରଫ ଚାଦର ତଳେ ଢାଙ୍କି ହୋଇଥିବା ଧର୍ମକୋଟ ସ୍ଵର୍ଗପୁରୀ ଭଳି ଲାଗିବ। ବିଶେଷ କରି ତୁଷାରପାତ ସମୟରେ ଏହା ୱଣ୍ଡରଲ୍ୟାଣ୍ଡର ଅନୁଭବ ଦେବ। ଫଟୋଗ୍ରାଫି ଓ ପ୍ରକୃତିପ୍ରେମୀଙ୍କ ପାଇଁ ଏହା ସଠିକ୍ ସ୍ଥାନ। 

ପ୍ରାକୃତିକ ସୌନ୍ଦର୍ଯ୍ୟ ବ୍ୟତୀତ ଧର୍ମକୋଟ ଶାନ୍ତ ବାତାବରଣ ପାଇଁ ଲୋକପ୍ରିୟ। ଏଠାରେ ପର୍ଯ୍ୟଟକମାନେ ଧ୍ୟାନ, ଯୋଗ କରୁଥିବା ନଜର ଆସନ୍ତି। ଏହି ଗାଁ ମୁଖ୍ୟତଃ ସୁସ୍ଥ, ଆଧ୍ୟାତ୍ମିକ, ଓ ଅନ୍ତରାଷ୍ଟ୍ରୀୟ ସଂସ୍କୃତିର କେନ୍ଦ୍ରସ୍ଥଳୀ ରୂପରେ ପରିଚୟ ହାସଲ କରିଛି।