ଭଦ୍ରକ, ୧୭/୯ : ଚକ୍ ଖଡ଼ିରେ ସୂକ୍ଷ୍ମ କାରୁକାର୍ଯ୍ୟ। ତିଆରି ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଖୁଣ ପ୍ରତିମୂର୍ତ୍ତି। ଦେଖିଲେ ଲାଖି ଯାଉଛି ଆଖି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଚୁଡ଼କୁଟି ଅଞ୍ଚଳର ମିନିଏଚର ଶିଳ୍ପୀ ଗୋପାଳ ଚରଣ ସାମଲ ଚକ୍ ଖଡ଼ିରେ ପିଏମ୍ ମୋଦିଙ୍କ ପ୍ରତିମୂର୍ତ୍ତି ତିଆରି କରି ପ୍ରଶଂସିତ ହୋଇଛନ୍ତି।ଗୋପାଳ ୩ରୁ ୪ ଘଣ୍ଟା ପରିଶ୍ରମ କରି ମାତ୍ର ୪ ସେଣ୍ଟିମିଟର ଉଚ୍ଚତାର ମୂର୍ତ୍ତି ତିଆରି କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ୭୫ତମ ଜନ୍ମଦିନ। ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ସୁଅ ଛୁଟୁଛି। ଧାମନଗର ବ୍ଲକ ଚୁଡ଼କୁଟି ଅଞ୍ଚଳର ମିନିଏଚର ଶିଳ୍ପୀ ଗୋପାଳ ଚରଣ ସାମଲ ମଧ୍ୟ ଚକ୍ ଖଡ଼ିରେ ମୋଦିଙ୍କ ଏକ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ଚକ୍ ଖଡ଼ିରେ ଖୋଦେଇ ପରେ ୱାଟର କଲର ଦେଇ ପୃଥିବୀ ଉପରେ ଗଛର ମୂର୍ତ୍ତି ତିଆରି କରିବା ସହ ପ୍ରଧାନମନ୍ତ୍ରୀଙ୍କ ଅବିକଳ ମୂର୍ତ୍ତି ଆଙ୍କିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମୁହଁର ଉଚ୍ଚତା ୧ ସେଣ୍ଟିମିଟର ହୋଇଥିବା ବେଳେ ଏହା ସହ ଏକ୍ ପେଡ୍ ମା' କେ ନାମ୍ ମଧ୍ୟ ଲେଖା ହୋଇଛି । ଏତେ ଛୋଟ ଚକ ଖଡ଼ିରେ ଖୋଦେଇ କରି ଅଭିନବ ଭାବେ ଗୋପାଳ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଛା ଜଣାଇଛନ୍ତି । ସେପଟେ ମୋଦିଙ୍କ ଜନ୍ମଦିନ ଅବସରରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏକ୍ ପେଡ୍ ମା' କେ ନାମ୍ କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷରୋପଣ ହେଉଛି।