ଭୁବନେଶ୍ୱର,୨୬/୦୭: ବର୍ଷକ ମଧ୍ୟରେ  କେତେ ଦକ୍ଷତାର ସହ କାମ କରିଛ ? ନିଜ ବିଭାଗର  ସଫଳତାର ହାର କେତେ ପ୍ରତିଶତ । କେତେ ଜିଲ୍ଲାକୁ ଗସ୍ତରେ ଯାଇ ଲୋକଙ୍କ ସମସ୍ୟାର ସମାଧାନ ପାଇଁ  ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରିଛ । ସୋସିଆଲ  ମିଡିଆ-ଫେସବୁକ,ଏକ୍ସ, ଇନ୍‌ଷ୍ଟାଗ୍ରାମରେ ମନ୍ତ୍ରୀମାନେ  କେତେ ସକ୍ରିୟ ଅଛନ୍ତି? ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ କେତେ ସେୟାର  କରିଛ ? ନିଜ ସହଯୋଗୀ ମନ୍ତ୍ରୀମାନଙ୍କୁ ଏମିତି  ରିପୋର୍ଟ ତଲବ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ । ନିର୍ଦ୍ଧାରିତ ଫର୍ମାଟରେ ମନ୍ତ୍ରୀମାନେ ନିଜ କାର୍ଯ୍ୟଦକ୍ଷତା (ପରଫରମାନ୍ସ) ରିପୋର୍ଟ ଦେବେ । ବିଭାଗଗୁଡ଼ିକ ଏ ସଂପର୍କିତ ବିବରଣୀ  ପ୍ରସ୍ତୁତ କରିବେ । ବିଭାଗୀୟ ମନ୍ତ୍ରୀ ଏହି ରିପୋର୍ଟ  କାର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖିବେ ।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ ମନ୍ତ୍ରିମଣ୍ଡଳ  ଅଦଳ ବଦଳର ପୂର୍ବ ସୂଚନା ବୋଲି ପାୱାର  କରିଡରରେ ଚର୍ଚ୍ଚା ହେଉଛି । ଏପରିକି କିଛି ଅପାରଗ  ମନ୍ତ୍ରୀ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ବାଦ୍‌ ପଡ଼ିବା  ନିଶ୍ଚିତ ବୋଲି ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ  ଜୁଲାଇ ଦ୍ୱିତୀୟ ସପ୍ତାହରେ ନୂଆଦିଲ୍ଲୀ ଗସ୍ତରୁ  ଫେରିବା ପରେ ମୁଖ୍ୟ ଶାସନ ସଚିବ ବିଭାଗଗୁଡ଼ିକୁ  ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ସୂଚନା ଅନୁସାରେ, ମନ୍ତ୍ରିମଣ୍ଡଳ ଅଦଳ ବଦଳ  ପୂର୍ବରୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ କାର୍ଯ୍ୟକଳାପ ଓ ପ୍ରଦର୍ଶନ  ସଂପର୍କରେ ସ୍ପଷ୍ଟ ଅବଗତ ହେବାକୁ ଏହି ବାଟ ଆପଣାଇଛନ୍ତି । ସମସ୍ତ ବିଭାଗ ୨୦୨୪- ୨୫ ଆର୍ଥିକ ବର୍ଷ ସହ ୨୦୨୫-୨୬ ଆର୍ଥିକବର୍ଷର  ପ୍ରଥମ ଦୁଇ ମାସ (ଏପ୍ରିଲ-ମେ)ରେ ନିଜର  ସଫଳତା, ଚ୍ୟାଲେଞ୍ଜ, ଭବିଷ୍ୟତ ଯୋଜନା ସଂପର୍କିତ  ପୂର୍ଣ୍ଣାଙ୍ଗ ବିବରଣୀ ଦେବେ । ମନ୍ତ୍ରୀଙ୍କ ବିଭାଗରେ  ବଜେଟ୍‌ ପାଣ୍ଠି କେତେ ଖର୍ଚ୍ଚ ହୋଇଛି । ବିଭାଗୀୟ  ନିଷ୍ପତ୍ତିର ତଦାରଖ ସହ ଯୋଜନାର କାର୍ଯ୍ୟକାରିତାକୁ  ମଧ୍ୟ ବିଭାଗଗୁଡ଼ିକ ସ୍ପଷ୍ଟ ଭାବେ ଦର୍ଶାଇବେ।

୨୦୨୫ ମେ' ଯାଏଁ ମନ୍ତ୍ରୀମାନେ କେଉଁ ସ୍ଥାନକୁ ଯାଇ  କେଉଁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ତଦାରଖ କରିଛନ୍ତି  ତା'ର ସ୍ଥାନ, ତାରିଖ ଓ ନିର୍ଯ୍ୟାସର ହିସାବ ଦେବେ ।  ଲୋକଙ୍କ ଅଭିଯୋଗ ଶୁଣାଣିର ସମାଧାନ ଦିଗରେ  ମନ୍ତ୍ରୀ କେତେ ଆନ୍ତରିକତା ଦେଖାଇଛନ୍ତି ତାହା ମଧ୍ୟ  ପରଖିବେ ମୋହନ । ବିଭାଗକୁ କେତେ ଅଭିଯୋଗ  ଆସିଛି, ତା'ର ସମାଧାନ କେତେ ହୋଇଛି ଓ  କେତେ ଗଡ଼ୁଛି ସେ ନେଇ ମନ୍ତ୍ରୀମାନେ ବିସ୍ତୃତ ସୂଚନା  ଦେବେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ  ମନ୍ତ୍ରୀଙ୍କ ଉପସ୍ଥିତିକୁ ଗଣତି କରାଯିବ ନାହିଁ । ମନ୍ତ୍ରୀମାନେ ଫେସବୁକ, ଏକ୍ସ, ଇନଷ୍ଟାଗ୍ରାମରେ  ମାସକୁ ହାରାହାରି କେତେ ପୋଷ୍ଟ କରୁଛନ୍ତି । ସେଥିରୁ  ନିଜ ବିଭାଗ, ରାଜ୍ୟ ଓ ଜାତୀୟ ସ୍ୱାର୍ଥ ସମ୍ପର୍କିତ କେତେ  ପୋଷ୍ଟ ରହୁଛି ତାହା ସ୍ପଷ୍ଟ କରିବେ । 

ମନ୍ତ୍ରୀମାନେ  ଚଳିତ ଆର୍ଥିକବର୍ଷ ପାଇଁ ବିଭାଗର କାର୍ଯ୍ୟାବଳୀ  ନେଇ ରୋଡ୍‌ମ୍ୟାପ ଦାଖଲ କରିବେ । ବିଭାଗ କ’ଣ  ଅଭିନବ କାର୍ଯ୍ୟକ୍ରମ କିମ୍ବା ଯୋଜନା ହାତକୁ ନେବ,  ବଜେଟ ପାଣ୍ଠିର ସୁନିଶ୍ଚିତ ଖର୍ଚ୍ଚ ସହ ଲୋକଙ୍କ  ସହଭାଗିତା ସଂପର୍କରେ ସ୍ପଷ୍ଟ ସୂଚନା ରହିବ । ଚର୍ଚ୍ଚା  ହେଉଛି ଯେ, ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ବରିଷ୍ଠ  ବିଜେପି ନେତୃତ୍ୱକୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ  ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ଅଣ୍ଟା ଭିଡ଼ି ଏ ରିପୋର୍ଟ  କାର୍ଡ ମାଗିଛନ୍ତି । ଏହି ରିପୋର୍ଟ କାର୍ଡ ହିଁ ମନ୍ତ୍ରୀଙ୍କ  ଭାଗ୍ୟ ନିର୍ଦ୍ଧାରଣ କରିବ । ଦକ୍ଷ ରହିବେ, ଅପାରଗ  ବିଦା ହେବେ ବୋଲି ପାର୍ଟି ଅଫିସରୁ ଲୋକସେବା  ଭବନ ଯାଏଁ ଚର୍ଚ୍ଚା ଆରମ୍ଭ ହୋଇଛି । 

ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ ତାସ୍‌ ଫେଣ୍ଟିଲା ଭଳି  ଆଇଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ  କରିଛନ୍ତି । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବା ନେଇ  ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ  ସାମଲ ମଧ୍ୟ ପୂର୍ବରୁ ସୂଚନା ଦେଇଥିଲେ ।  ମୋହନଙ୍କ କ୍ୟାବିନେଟରେ ୬ଟି ମନ୍ତ୍ରୀ ପଦ ଖାଲି  ପଡ଼ିଛି । ଦିଲ୍ଲୀ ସୂତ୍ର କହୁଛି, ନିକଟରେ ନୂଆ  ସଭାପତି ଚୟନ ପରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ  ମନ୍ତ୍ରିମଣ୍ଡଳ ଅଦଳ ବଦଳ ନେଇ ହାଇକମାଣ୍ଡଙ୍କ ସହ  ଆଲୋଚନା କରିଛନ୍ତି । ସଂଗଠନ ଓ ସରକାର ହାତ  ଧରାଧରି ହୋଇ ବାଟ ଚାଲିବାକୁ ବିଜେପି ନିଷ୍ପତ୍ତି  ନେଇଥିଲା ବେଳେ ମନ୍ତ୍ରୀ ନିଯୁକ୍ତିରେ ମୁଖ୍ୟମନ୍ତ୍ରୀଙ୍କ  ସହ ମନମୋହନଙ୍କ ପସନ୍ଦ ଓ ସମର୍ଥନର ମଧ୍ୟ  ବଡ଼ ଭୂମିକା ରହିବ । ମୋହନ ମନ୍ତ୍ରୀଙ୍କ ଦକ୍ଷତା  ନେଇ ରିପୋର୍ଟ ମାଗିବା ମନ୍ତ୍ରିମଣ୍ଡଳରେ ଆଗକୁ  ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି  ରାଜନୈତିକ ମହଲ ଅନୁମାନ କରୁଛି ।