ନବରଙ୍ଗପୁର,୮/୬ : ରାଜ୍ୟ ସରକାରଙ୍କ ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ ବିକାଶ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟଗୁଡିକ ସମୀକ୍ଷା କରିଥିଲେ । ପାଓ୍ବାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରି ବୁଝିଥିଲେ । ଆସନ୍ତା ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ମଣ୍ଡେଇ ପଡିଆଠାରେ ବିକାଶ ମେଳା ଅନୁଷ୍ଠିତ ହେବ ଏଥରେ ଜିଲ୍ଲାର ବିଭିନ୍ନ ବିଭାଗର ସଫଳତା ଗୁଡ଼ିକ ପ୍ରଦର୍ଶିତ କରାଯିବ। ଏଥିପାଇଁ ବିକାଶ ମେଳାକୁ ମଣ୍ଡେଇ ପଡ଼ିଆରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ମେଣ୍ଡେଇ ପଡ଼ିଆରେ ଷ୍ଟଲ୍ ଗୁଡ଼ିକରେ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଦର୍ଶିତ କରାଯିବ। ଜିଲ୍ଲାର ବିଭିନ୍ନ ଷ୍ଟାର୍ଟଅପ ଉଦ୍ୟୋଗୀ ଓ ଶିଳ୍ପଉଦ୍ୟୋଗୀଙ୍କୁ ଉତ୍ସାହିତ କରାଯିବ। ସେଭଳି ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି, ବିଶିଷ୍ଠ ଖେଳାଳୀ, ସାହିତ୍ୟକ, କଳାକାର ଉପରେ ବିଶେଷ ଧାରଣା ଦିଆଯିବ । ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀର ବିକାଶ, ଇକୋ-ଟୁରିଜିମ, ସଡକ ସୁରକ୍ଷା, ମକା ପକ୍ରୀୟାକରଣ, ଆନୁଷଙ୍ଗିକ ଶିଳ୍ପ, ଆଦର୍ଶ ଥାନା, ପୋଷଣ, ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଉପରେ ଗୁରୁତ୍ବ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଏହି ମେଳାରେ ବିଭିନ୍ନ ବିଭାଗର ୩୬ଟି ଷ୍ଟଲ ଓ ୨୫ଟି ପାମ୍ପରିକ ଖାଦ୍ୟଷ୍ଟଲ୍ର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ଶାତିଶୃଙ୍ଖଳା, ଟ୍ରାଫିକ ବିଦ୍ୟୁତ ସେବା ସମେତ ଅନ୍ୟାନ୍ୟ ସେବାକୁ ପ୍ରାଧାନ୍ୟ ଦେବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂ ଭତ୍ରା, ସାଂସଦ ପ୍ରତିନିଧ କୁଞ୍ଜ ବିହାରୀ ଦାସ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଜିଲ୍ଲାପରିଷଦ ସିଡିଓ ବିରଞ୍ଜି ନାରାୟଣ ଦରୱାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।