ଭୁବନେଶ୍ବର,୦୩/୧୨: ରାଜ୍ୟରେ ଆଳୁର ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟ ବିଭିନ୍ନ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବା କଥା ସତ୍ୟ ବୋଲି ବିଧାନସଭାରେ ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ। ରାଜ୍ୟରେ ବାର୍ଷିକ ୧୪.୨୫ ଲକ୍ଷ ମେଟ୍ରିକ ଟନ ଆଳୁର ଆବଶ୍ୟକତା ଥିବା ସ୍ଥଳେ ୪.୮୮ ଲକ୍ଷ ମେଟ୍ରିକ ଟନ ଉତ୍ପାଦିତ ହୋଇଥାଏ, ତେଣୁ ରାଜ୍ୟର ବ୍ୟବସାୟୀମାନେ ଆବଶ୍ୟକ ପଡ଼ୁଥିବା ଅଧିକ ଆଳୁ ବିଭିନ୍ନ ପଡ଼ୋଶୀ ରାଜ୍ୟ ଯଥା ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଆଦି ରାଜ୍ୟରୁ ଆମଦାନୀ କରି ରାଜ୍ୟର ଖାଉଟିମାନଙ୍କର ଚାହିଦା ମେଣ୍ଟା ଯାଇଥାଏ। ବର୍ତ୍ତମାନ ରାଜ୍ୟ ସରକାର ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ପାଇଁ ବିଭିନ୍ନ ପଦକ୍ଷେପ ମାନ ନେଉଛନ୍ତି। ଚାଷକୁ ପ୍ରୋତ୍ସାହିତ କରିବା ତଥା ଆଳୁ ଉତ୍ପାଦନ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ଦ୍ବାରା “ଆଳୁ, ପନିପରିବା ଏବଂ ମସଲା ଉନ୍ନୟନ” ଯୋଜନା ମାଧ୍ୟମରେ ରିହାତି ଦରରେ ଚାଷୀମାନଙ୍କୁ ବିହନ ଆଳୁ ଯୋଗାଇ ଦିଆଯାଉଅଛି।

ଆଜି ଗୃହରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଉପମୁଖ୍ୟନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ସର୍ବଭାରତୀୟ ସ୍ଥରରେ ଓଡ଼ିଶା ଚାଷୀଙ୍କ ମୁଣ୍ଡପିଛା ଆୟ କେତେ ଏବଂ ଏହାର ବୃଦ୍ଧି ପାଇଁ ସରକାରଙ୍କ ଭିଜନ କ'ଣ? ଏହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ଯେ, 'ସର୍ବଭାରତୀୟ ସ୍ଥରରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ତଥ୍ୟ ଅନୁସାରେ ଆମ ରାଜ୍ୟରେ କୃଷକ ପରିବାରର ମାସିକ ଆୟ, ୨୦୧୮-୧୯ ରେ ୫,୧୧୨ ଟଙ୍କା ଥିଲା। ତେବେ କୃଷକ ପରିବାରର ଆୟ ମାସିକ ୧୨,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ବିକଶିତ ଓଡ଼ିଶା ୨୦୩୬ରେ ଲକ୍ଷ ରଖାଯାଇଛି।'