କୁଜଙ୍ଗ ୨୫/୦୭: କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା  ଘଟଣା ନେଇ ପୁଲିସ ତନାଘନା ଆରମ୍ଭ କରିଛି ।  ଏହି ଘଟଣାରେ ଦୁଇ ଭାଇଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି ପୀଡ଼ିତା ନାବାଳିକା । ପୀଡ଼ିତାଙ୍କ  ବାପା କୁଜଙ୍ଗ ଥାନାରେ  ଏନେଇ ଲିଖିତ ଭାବେ ଜଣାଇବା ପରେ ପୁଲିସ ଅଭିଯୁକ୍ତ ଦୁଇ  ଭାଇଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୁଇ ଭାଇ  ହେଲେ କୁଜଙ୍ଗ ଥାନା କାଠକୋଟ ପଞ୍ଚାୟତ ବାଣସରା ଗ୍ରାମର ଭାଗ୍ୟଧର ଦାଶ(୫୫)  ଓ ପଞ୍ଚାନନ ଦାଶ ଓରଫ ଗୁଲିଆ (୪୭) ।  ଦୁଇ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ଜିଲ୍ଲା ଚିକିତ୍ସାଳୟରେ କରାଯାଇଛି । ପୁଲିସ ମାମଲା ରୁଜୁ  କରି ଉଭୟଙ୍କୁ ପଚରାଉଚରା କରୁଛି । 

ପୁଲିସଠାରୁ  ମିଳିଥିବା ସୂଚନା ମୁତାବକ, ନାବାଳିକାଙ୍କ ସହିତ  ଗ୍ରାମର ଉକ୍ତ ଦୁଇ ଭାଇ ଶାରୀରିକ ସମ୍ପର୍କ ରଖିବା  ଫଳରେ ନାବାଳିକା ଏବେ ୭ ମାସର ଗର୍ଭବତୀ  ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି । ନାବାଳିକା  ଦୁଇ ଦିନ ତଳେ ଅସୁସ୍ଥତା ଅନୁଭବ କରିବାରୁ  ପରିବାର ଲୋକେ ଚିକିତ୍ସା କରାଇଥିଲେ । ନାବାଳିକା ଗର୍ଭବତୀ ଥିବା ଡାକ୍ତର କହିବା ପରେ  ପରିବାର ଲୋକେ ଚକିତ ହୋଇ ପଡ଼ିଥିଲେ । ନାବାଳିକାଙ୍କୁ ପଚାରିବାରୁ ସେ ଅଭିଯୁକ୍ତ ଦୁଇ  ଭାଇ ଭାଗ୍ୟଧର ଓ ପଞ୍ଚାନନଙ୍କ ନାଁ କହିଥିଲେ । ଏ  ସମ୍ପର୍କରେ ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୁକ୍ତ  ଦ୍ୱୟଙ୍କୁ ପଚାରିବାରେ ସେମାନେ ମାମଲାକୁ ଚପାଇ  ଦେବାକୁ ଚାପ ପ୍ରୟୋଗ କରିଥିଲେ । ଘଟଣାଟି  ଗତ ଦୁଇ ଦିନ ଧରି ଗାଁରେ ଆଲୋଡ଼ନ ସୃଷ୍ଟି  କରିଥିବା ବେଳେ ଗୁରୁବାର ଥାନାରେ ଅଭିଯୋଗ  ହୋଇଥିଲା । ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ  ଦ୍ୱୟଙ୍କୁ ଉଠାଇ ଆଣି ପଚରାଉଚରା କରୁଛି । ପୀଡ଼ିତାଙ୍କ ବୟାନ ଶୁକ୍ରବାର ରେକର୍ଡ  କରାଯିବ ବୋଲି ପୁଲିସଠାରୁ ସୂଚନା ମିଳିଛି ।