କୁଜଙ୍ଗ ୨୫/୦୭: କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣା ନେଇ ପୁଲିସ ତନାଘନା ଆରମ୍ଭ କରିଛି । ଏହି ଘଟଣାରେ ଦୁଇ ଭାଇଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି ପୀଡ଼ିତା ନାବାଳିକା । ପୀଡ଼ିତାଙ୍କ ବାପା କୁଜଙ୍ଗ ଥାନାରେ ଏନେଇ ଲିଖିତ ଭାବେ ଜଣାଇବା ପରେ ପୁଲିସ ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୁଇ ଭାଇ ହେଲେ କୁଜଙ୍ଗ ଥାନା କାଠକୋଟ ପଞ୍ଚାୟତ ବାଣସରା ଗ୍ରାମର ଭାଗ୍ୟଧର ଦାଶ(୫୫) ଓ ପଞ୍ଚାନନ ଦାଶ ଓରଫ ଗୁଲିଆ (୪୭) । ଦୁଇ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ଜିଲ୍ଲା ଚିକିତ୍ସାଳୟରେ କରାଯାଇଛି । ପୁଲିସ ମାମଲା ରୁଜୁ କରି ଉଭୟଙ୍କୁ ପଚରାଉଚରା କରୁଛି ।
ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ନାବାଳିକାଙ୍କ ସହିତ ଗ୍ରାମର ଉକ୍ତ ଦୁଇ ଭାଇ ଶାରୀରିକ ସମ୍ପର୍କ ରଖିବା ଫଳରେ ନାବାଳିକା ଏବେ ୭ ମାସର ଗର୍ଭବତୀ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି । ନାବାଳିକା ଦୁଇ ଦିନ ତଳେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ଚିକିତ୍ସା କରାଇଥିଲେ । ନାବାଳିକା ଗର୍ଭବତୀ ଥିବା ଡାକ୍ତର କହିବା ପରେ ପରିବାର ଲୋକେ ଚକିତ ହୋଇ ପଡ଼ିଥିଲେ । ନାବାଳିକାଙ୍କୁ ପଚାରିବାରୁ ସେ ଅଭିଯୁକ୍ତ ଦୁଇ ଭାଇ ଭାଗ୍ୟଧର ଓ ପଞ୍ଚାନନଙ୍କ ନାଁ କହିଥିଲେ । ଏ ସମ୍ପର୍କରେ ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୁକ୍ତ ଦ୍ୱୟଙ୍କୁ ପଚାରିବାରେ ସେମାନେ ମାମଲାକୁ ଚପାଇ ଦେବାକୁ ଚାପ ପ୍ରୟୋଗ କରିଥିଲେ । ଘଟଣାଟି ଗତ ଦୁଇ ଦିନ ଧରି ଗାଁରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଗୁରୁବାର ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ ଉଠାଇ ଆଣି ପଚରାଉଚରା କରୁଛି । ପୀଡ଼ିତାଙ୍କ ବୟାନ ଶୁକ୍ରବାର ରେକର୍ଡ କରାଯିବ ବୋଲି ପୁଲିସଠାରୁ ସୂଚନା ମିଳିଛି ।