ରାଉରକେଲା,୨୩/୦୫: ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଅଘଟଣ । ଗଭୀର ପାଣିକୁ ଚାଲିଯିବାରୁ ବୁଡ଼ିଗଲେ ୧୪ ବର୍ଷ ବୟସର ନାବାଳକ । ନିଖୋଜ ନାବାଳକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଖୋଜ ନାବାଳକଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଚଳାଇଛନ୍ତି । ଏଭଳି ଦୁଃଖଦ ଘଟଣା ଖବର ଆସିଛି ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲି ଥାନା ତରକେରା ଅଞ୍ଚଳରୁ ।
ସୂଚନା ମୁତାବକ, ଶୁକ୍ରବାର ଦିନ ପ୍ରାୟ ୧୧ଟାରେ ବ୍ରାହ୍ମଣୀ ନଦୀରେ ଜଣେ ୧୪ ବର୍ଷୀୟ ନାବାଳକ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ହଠାତ୍ ନଦୀର ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଥିଲେ । ଏହା ଜଣାପଡ଼ିବା ପରେ ସ୍ଥାନୀୟଲୋକ ଅଗ୍ନିଶମ ଟିମ୍କୁ ଖବର ଦେଇଥିଲେ । ଏସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନିଖୋଜ ନାବାଳକଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।