କୋକସରା,୬/୩ : ପୁଣି ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଜଣେ ନାବାଳକ । କୋକସରା ବ୍ଲକ ଡହଗାଁ ପଞ୍ଚାୟତ ସର୍ଗିଗୁଡ଼ା ନିକଟସ୍ଥ ଡଙ୍ଗରିପଡ଼ାର ଦୁଇ ଜଣ ଯୁବକ ଚନ୍ଦ୍ର ଶେଖର ମାଝୀ (୨୦) ଓ ଦୁଲ୍ଲଭ ମାଝୀ (୧୭) ଗତ ୩ରୁ୪ ମାସ ତଳେ ନିଜ ଅଞ୍ଚଳର ଯୁବକଙ୍କ ସହ ହାଇଦ୍ରାବାଦ ଯାଇଥିଲେ । ସେଠାରେ ପଠାନଚେରୁ ନିକଟସ୍ଥ ନନ୍ଦିଗାଓଁରେ କୌଣସି ଏକ ବେସରକାରୀ ଠିକାଦାରଙ୍କ ନିକଟରେ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଥିଲେ। ଶୁକ୍ରବାର ସକାଳେ ବିଲ୍ଡିଂ କାମ କରିବାକୁ ଯାଇଥିବାବେଳେ କୋଠାରେ ଥିବା ବିଦ୍ୟୁତ ସଂସ୍ପର୍ଶରେ ଦୁର୍ଲ୍ଲଭ ମାଝୀ ଆସିଥିବାବେଳେ ଉପର ମହଲା ରେ ଥିବା ଚନ୍ଦ୍ର ଶେଖର ତାକୁ ବଞ୍ଚାଇବାକୁ ଉଦ୍ୟମ କରୁଥିବାବେଳେ କୋଠାରୁ ତଳେ ପଡି ଯାଇଥିଲେ।
ତେବେ ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ଦୁଲ୍ଲଭ ମାଝୀଙ୍କ ମୃତ୍ୟୁ ହୋଇଥିବାବେଳେ ବିଲ୍ଡିଂରୁ ପଡି ଚନ୍ଦ୍ର ଶେଖର ମାଝୀ ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି । ଏ ନେଇ ସାଥୀରେ ଥିବା ଅନ୍ୟ ଶ୍ରମିକମାନେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଅନ୍ୟପଟେ ଠିକାଦାର ମୃତକ ଦୁଲ୍ଲଭର ମୃତଦେହକୁ ଏକ ଆମ୍ବୁଲାନ୍ସରେ ଭିଟାମାଟିକୁ ପଠାଉଥିବା ଜଣାପଡ଼ିଛି।