ବୀରମହାରାଜପୁର, ୩୦/୦୬: ବୀରମହାରାଜପୁର  ଥାନା ହରିହରଯୋର ଫାଣ୍ଡି ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ପ୍ରେମ ପ୍ରତାରଣାର ଶିକାର ହୋଇ ଏକ  ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଘଟଣା ପରଠୁ ସମ୍ପୃକ୍ତ ପ୍ରେମିକ ଜଣକ ଆଉ ଧରାଛୁଆଁ ଦେଉନାହାନ୍ତି ।  ନାବାଳିକା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ  ହେଉଛି । 

ବିନିକା ଅଞ୍ଚଳର ସମ୍ପୃକ୍ତ ଯୁବକ ସମ୍ପର୍କୀୟ ଘରକୁ ଆସିଥିବା ବେଳେ ଅନାଥ ନାବାଳିକାକୁ ପ୍ରେମ ଜାଲରେ ଫସାଇଥିଲା । ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବାରୁ ନାବାଳିକା  ଜଣକ ଅନ୍ତଃସତ୍ତ୍ୱା ହୋଇଥିଲେ । ସେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ହେଲେ ପ୍ରତାରକ ପ୍ରେମିକ ଆଉ ଧରାଛୁଆଁ ଦେଉନାହାନ୍ତି । ନାବାଳିକାଙ୍କ ତରଫରୁ ଜାତି ସମ୍ପ୍ରଦାୟ କେତେଜଣ ବ୍ୟକ୍ତି ଯୁବକଙ୍କ ବିନିକାସ୍ଥିତ  ଘରକୁ ଯାଇ ଆଲୋଚନା କରିଥିଲେ । କିନ୍ତୁ ଯୁବକଙ୍କ ପରିବାର ସଦସ୍ୟ ନାବାଳିକାଙ୍କ ସହ କୌଣସି ସମ୍ପର୍କ ନ ଥିବା କହି ଫେରାଇ ଦେଇଥିଲେ । ନାବାଳିକା ଜଣକ ବିନିକା ଥାନାରେ ଅଭିଯୋଗ କରିବାକୁ ଯାଇଥିବାବେଳେ ପୁଲିସ୍‌ ବୀରମହାରାଜପୁର ଥାନାକୁ ଯିବାକୁ ପରାମର୍ଶ  ଦେଇ ଚୁପ୍‌ ବସିଯାଇଛି । ପୀଡ଼ିତା ଗତ ଜୁନ୍‌ ୨୩ରୁ  ବୀରମହାରାଜପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ  ପୁଲିସ ମାମଲା ରୁଜୁ କରି ନ ଥିବା ଜଣାପଡ଼ିଛି । ଏ ନେଇ  ଥାନାଧିକାରୀ ଅଞ୍ଜୁ ଓରାମ କୁହନ୍ତି, ଯୁବକକୁ ଧରିବାକୁ  ଲୋକେସନ ଟ୍ରାକ୍‌ କରୁଛୁ । ଯୁବକ ଜଣକ ଝିଅକୁ ବିବାହ କରିବାକୁ ଅରାଜି ହେଲେ ମାମଲା ରୁଜୁ କରାଯିବ ।