ରାଉରକେଲା, ୨୦/୧୨: ବନ୍ଦ ଘରେ  ପଣବନ୍ଦୀ ରଖି ନାବାଳିକାକୁ ଗଣଦୁଷ୍କର୍ମ ।  ଦୁଇଦିନ ଯୌନ ଉତ୍ପୀଡ଼ନ ପରେ ଛାଡ଼ିଦେଲେ  ତିନିଜଣ ଯୌନପିପାସୁ । ରାଉରକେଲାରେ  ଘଟିଥିବା ଏଭଳି ଚାଞ୍ଚଲ୍ୟକର ଘଟଣା  ଆଲୋଡ଼ନ ଖେଳାଇ ଦେଇଛି । ପୀଡ଼ିତାଙ୍କୁ ଦୁଷ୍କର୍ମକାରୀମାନେ ବିର୍ସା ଛକରେ ଛାଡ଼ି  ଚମ୍ପଟ୍‌ ମାରିଛନ୍ତି । ଘଟଣା ଥାନାରେ  ପହଞ୍ଚିବା ପରେ ପୁଲିସ୍‌ ଅଭିଯୁକ୍ତଙ୍କୁ  ଧରିବା ଲାଗି ଚଢ଼ାଉ ଜାରି ରଖିଛି । 

ପୁଲିସ୍‌ ସୂଚନା ଅନୁଯାୟୀ, ସମ୍ପୃକ୍ତ ୧୫  ବର୍ଷୀୟା ନାବାଳିକାଙ୍କ ଘର ଉଦିତ୍‌ନଗର  ଥାନାଞ୍ଚଳରେ । ତାଙ୍କ ମା’ବାପା ଦିନ ମଜୁରିଆ ।  ଗରିବ ପରିବାରର ହୋଇଥିବାରୁ ନାବାଳିକା  ଜଣକ ବିଭିନ୍ନ ସ୍ଥାନରେ ବୁଲି ଖାଇବା ଯୋଗାଡ଼  କରିଥାଆନ୍ତି । ଘଟଣା ଦିନ ଅର୍ଥାତ୍‌ ଗତ ୧୭ ତାରିଖରେ ସେ ଷ୍ଟେସନ ଅଞ୍ଚଳରେ ବୁଲାବୁଲି  କରୁଥିବାବେଳେ ଦୁଇଜଣ ଯୁବକ ଆସି ତାଙ୍କ ସହ ସମ୍ପର୍କ ଯୋଡ଼ିଥିଲେ । ଖାଇବାକୁ ଦେବାକୁ ପ୍ରଲୋଭିତ କରିଥିଲେ । ହେଲେ ସେମାନଙ୍କ ଉଦ୍ଦେଶ୍ୟ ଥିଲା ଅଲଗା । ନାବାଳିକାଙ୍କୁ ଜାଲରେ ଫସାଇ ଦୁଇ ଅଭିଯୁକ୍ତ ରାଉରକେଲାଠାରୁ ପ୍ରାୟ ୨୦ କିମି ଦୂରକୁ ନେଇଯାଇଥିଲେ । ଏକ ଝାଟିମାଟି ଘରେ ପଣବନ୍ଦୀ କରି ରଖିଥିଲେ । ଉକ୍ତ ଘରେ ରହୁଥିବା ଅନ୍ୟ ଜଣେ ବ୍ୟକ୍ତି ଏବଂ ଦୁଇ ଅଭିଯୁକ୍ତ ତାଙ୍କୁ ଦୁଇଦିନ ଧରି  ପଣବନ୍ଦୀ ରଖି ଦୁଷ୍କର୍ମ କରିଥିଲେ । ନାବାଳିକା ଜଣକ ଘରକୁ ନ ଫେରିବାରୁ  ମା’ ଖୋଜାଖୋଜି କରିଥିଲେ । ହେଲେ  ପାଇ ନ ଥିଲେ । ଗୁରୁବାର ସକାଳେ ଜଣେ  ଅଭିଯୁକ୍ତ ବାଇକ୍‌ରେ ଆଣି ନାବାଳିକାକୁ ବିର୍ସା  ଛକରେ ଛାଡ଼ି ପଳାଇଥିଲେ ।

ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ ପୀଡ଼ିତାଙ୍କୁ ଦେଖିଥିଲା ପୁଲିସ୍‌ । ପଚରାଉଚରା ପରେ ଘଟଣା ଜଣାପଡ଼ିଥିଲା । ପୁଲିସ୍‌ ପିସିଆର ଭ୍ୟାନ୍‌ରେ ତାଙ୍କୁ  ଉଦିତନଗର ଥାନାକୁ ଆଣିଥିଲା । ସୂଚନା ପାଇ ତାଙ୍କ  ମା’ ପହଞ୍ଚିଥିଲେ । ପୀଡ଼ିତାଙ୍କ ଏତଲା ପରେ ପୁଲିସ୍‌  ଦଫା ୭୦(୨) ବିଏନ୍‌ଏସ୍‌/ପୋକ୍‌ସୋ ଆକ୍ଟରେ  ମାମଲା (ନଂ.୪୧୯/୨୪) ରୁଜୁ କରିଛି । ଏଭଳି  ଜଘନ୍ୟକାଣ୍ଡ ଘଟାଇଥିବା ଅପରାଧୀଙ୍କୁ ଧରିବା ଲାଗି  ପୁଲିସ୍‌ର ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି  ରଖିଛି । ସନ୍ଦେହରେ କେତେଜଣଙ୍କୁ ଥାନାକୁ ଆଣି  ଅଟକ ରଖି ପଚରାଉଚରା କରୁଛି । 

ରାଉରକେଲାରେ ଗତ କିଛି ମାସ ମଧ୍ୟରେ  ଏଭଳି ଏକାଧିକ ଲଜ୍ଜାଜକକ ଘଟଣା ଘଟିଲାଣି ।  ଯୌନପିପାସୁମାନେ ଅସହାୟ ନାବାଳିକାଙ୍କୁ ଟାର୍ଗେଟ  କରି ଫସାଉଛନ୍ତି । ଇସ୍ପାତ ସହରକୁ ବଦନାମ  କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ  କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି  ହେଉଛି ।