ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଅପହୃତା ନାବାଳିକା ଝିଅକୁ ଉଦ୍ଧାରରେ ପୁଲିସର ନିଷ୍କ୍ରିୟତା,ପ୍ରତିବାଦ କରି ବିଷ ପିଇଲେ ବାପା, ଏସ୍‌ସିବିରେ ଭର୍ତ୍ତି

Published By : Prameya | July 17, 2025 11:49 AM

କେନ୍ଦ୍ରାପଡ଼ା/ମହାକାଳପଡ଼ା,୧୭/୦୭: ବାଲେଶ୍ୱର ଏଫଏମ୍‌  କଲେଜରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି  ବ୍ୟବସ୍ଥାକୁ ନ୍ୟାୟ ମାଗି ନପାଇବାରୁ ଶେଷରେ ଜୀବନ ହାରିଥିଲେ । ସମାନ  ଘଟଣାର ପୁନରାବୃତ୍ତି ହେବ କି କେନ୍ଦ୍ରାପଡ଼ାରେ? ଅପହୃତା ନାବାଳିକା ଝିଅକୁ ଉଦ୍ଧାର ପାଇଁ ପୁଲିସ ପାଖରେ ଗୁହାରି କରି ନ୍ୟାୟ ନପାଇବାରୁ ଶେଷରେ ବାପା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଚକଡ଼ା-ଗଗୁଆ ଗ୍ରାମରୁ ଏଭଳି ଅଭିଯୋଗ ଆସିଛି । ମାସାଧିକ କାଳ ପରେ ନିଜ  ଅପହୃତା ଝିଅକୁ ନପାଇ ବିଷ ପିଇ ବାପା ଜୀବନ ହାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ  ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । 

ଅଭିଯୋଗ ଅନୁଯାୟୀ, ଗତ ମେ  ମାସ ୨୭ ତାରିଖରେ ମହାକାଳପଡ଼ା  ବ୍ଲକ ତଥା ତନ୍ତିଆପାଳ ସାମୁଦ୍ରିକ  ଥାନା ଅଧୀନ ଚକଡ଼ା-ଗଗୁଆ ଗ୍ରାମର  କଳ୍ପତରୁ ଓଝାଙ୍କ ନାବାଳିକା ଝିଅଙ୍କୁ ସେହି ଗ୍ରାମର ଚଗଲା ଓରଫ ରାଜେନ୍ଦ୍ର  ଜେନା ଅପହରଣ କରିନେଇଥିଲେ । ଏନେଇ କଳ୍ପତରୁ ଥାନାରେ ଲିଖିତ  ଅଭିଯୋଗ କରିଥିଲେ । ହେଲେ  ସ୍ଥାନୀୟ ଆଇଆଇସି ତାଙ୍କ  ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲେ ।  କେବଳ ମାମଲାଟିଏ ରୁଜୁ କରି ଚୁପ୍‌  ବସିଯାଇଥିଲେ । ସ୍ଥାନୀୟ ପୁଲିସଠାରୁ  ନ୍ୟାୟ ଉପେକ୍ଷିତ ହୋଇ ପୀଡ଼ିତ  ପରିବାର ନ୍ୟାୟ ପାଇଁ କେନ୍ଦ୍ରାପଡ଼ା  ଏସପିଙ୍କୁ ଭେଟି ଗୁହାରି କରିଥିଲେ । ଏସ୍‌ପି ଲିଖିତ ଅଭିଯୋଗ ପାଇବା ପରେ ନାବାଳିକାଙ୍କୁ ଉଦ୍ଧାର କରାଯିବ ବୋଲି  ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ଅଭିଯୋଗକୁ ଦେଢ଼ ମାସ  ବିତିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ ।  

କେବଳ ପୁଲିସ ନୁହେଁ³ ନାବାଳିକାଙ୍କ ବାପା-ମା’  ଏନେଇ ଗଗୁଆ ସରପଞ୍ଚ ଓ ସ୍ଥାନୀୟ ବିଧାୟକଙ୍କୁ  ତାଙ୍କ ନିଜ ଘରେ ଭେଟି ମଧ୍ୟ ଅଭିଯୋଗ କରିଥିଲେ । ପୁଲିସ ତାଙ୍କ କଥା ଶୁଣୁ ନଥିବା କହି ଝିଅକୁ ଉଦ୍ଧାର  ପାଇଁ ନେହୁରା ହୋଇଥିଲେ । ହେଲେ କେଉଁଠୁ ବି  ତାଙ୍କୁ ସାହାଯ୍ୟ, ସହଯୋଗ ମିଳିନଥିଲା । କେନ୍ଦ୍ରାପଡ଼ା  ପୁଲିସର ନିଷ୍କ୍ରିୟତା ଏବଂ ନିଜ ଝିଅକୁ ଫେରି ପାଉ ନଥିବାରୁ ନିରାଶ ହୋଇ ବିଷପିଇ ଆତ୍ମହତ୍ୟା ଉଦ୍ୟମ  କରିଛନ୍ତି କଳ୍ପତରୁ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ  ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ କଳ୍ପତରୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ତାଙ୍କ ପତ୍ନୀ ସୂଚନା  ଦେଇଛନ୍ତି । 

କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆଙ୍କୁ ଏ ସଂପର୍କରେ ପଚାରିବାରେ ସେ କହିଛନ୍ତି, ସେ ଏହି ମାମଲାର ଅନୁଧ୍ୟାନ କରୁଛନ୍ତି । ସ୍ଥାନୀୟ ପୁଲିସ ସହ ଏନେଇ କଥା ହୋଇଛନ୍ତି । ନାବାଳିକାଙ୍କୁ ଉଦ୍ଧାର ପାଇଁ  ଉଦ୍ୟମ ଜାରି ରହିଛି । ପୀଡ଼ିତାଙ୍କ ବାପା କେମିତି ସୁସ୍ଥ  ହୋଇ ଫେରିବେ ସେ ଦିଗରେ ଅଧିକାରୀଙ୍କ ସହ  ଆଲୋଚନା କରିଥିବା ସେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.