ଢେଙ୍କାନାଳ, ୨୩/୦୭ : ‘ମୋ ନାବାଳିକା ଝିଅକୁ ଗାଁ ପାଖର ଜଣେ ସଂଖ୍ୟାଲଘୁ ଯୁବକ ଫୁସୁଲେଇ ନେଇଯାଇଛି । ୩ ମାସ ହେଲାଣି ପୁଲିସ୍‌ କିଛି ଶୁଣୁନାହିଁ । ଖୋଜ୍‌ଖବର କିଛି ନାହିଁ । ମୋ ଝିଅକୁ ସେ ବାହାରେ ବିକ୍ରି କରିସାରିବଣି ।’ ୩ ମାସ ହେଲା ନିଖୋଜ୍‌ ଥିବା ସଦର ଥାନା ଅଞ୍ଚଳର ଜଣେ ୧୭ ବର୍ଷିୟା ନାବାଳିକା ବାପାଙ୍କ ଏହା କୋହଭରା ଅଭିଯୋଗ । ପୂର୍ବରୁ ଉକ୍ତ ଅଞ୍ଚଳରେ ନାବାଳିକାଙ୍କୁ ନେଇ ବିକ୍ରି କରିଦେବା ଓ ପରେ ଉଦ୍ଧାର ହେବାର ନଜିର ରହିଥିବାରୁ ତାଙ୍କ ଝିଅକୁ ବି ବିକ୍ରି ହୋଇଯାଇଥିବ ବୋଲି ଏକ ଅସହାୟ ବାପା ଆଶଙ୍କା ପ୍ରକାଶ କରିଛନ୍ତି । ଥାନା ଠାରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସବୁଠି ଗୁହାରି କରିସାରିବା ପରେ ବି କେହି ଶୁଣୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । 

ଅଭିଯୋଗ ଅନୁସାରେ, ସଦର ଥାନା ଅଞ୍ଚଳର ନାବାଳିକା ଗତ ଏପ୍ରିଲ ୮ ତାରିଖରେ ଘର ଛାଡ଼ି ଚାଲିଯାଇଛନ୍ତି । ଗାଁ ପାଖର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକ ତାଙ୍କୁ ଫୁସୁଲାଇ ଅପହରଣ କରି ନେଇଥିବା ତାଙ୍କ ବାପା ସଦର ଥାନାରେ ଅଭିଯୋଗ କରିଛନ୍ତି । ନାବାଳିକା ଘରୁ ଯିବା ବେଳେ ୩ ଲକ୍ଷ ଟଙ୍କା, ସୁନା ଗହଣା ସହ ଫିକ୍ସ ରହିଥିବା ୪ ଲକ୍ଷ ଟଙ୍କାର ପାସ୍‌ ବୁକ୍‌ ଆଦି ନେଇଯାଇଛନ୍ତି । ଏନେଇ ସେ ଢେଙ୍କାନାଳ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରିଥିଲେ ହେଁ, ଖୋଜିବାରେ କୌଣସି ଆନ୍ତରିକତା ଦେଖାନଥିବା ସେ ଅଭିଯୋଗ କରିଛନ୍ତି । ଥାନାରୁ ନ୍ୟାୟ ନପାଇ ଗତ ମେ’ ୩ ତାରିଖରେ ସେ ଏସ୍‌ପିଙ୍କୁ ଫେରାଦ ହୋଇଥିଲେ । ଏସ୍‌ପିଙ୍କ କାର୍ଯ୍ୟାଳୟରୁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଝିଅକୁ ଖୋଜାଯାଉନି ବୋଲି ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ତାଙ୍କ ଅଞ୍ଚଳରେ ଏପରି କିଛି ଘଟିଛି । 

କିଛି ବର୍ଷ ତଳେ ଆଉ ଜଣେ ନାବାଳିକାକୁ ଫୁସୁଲାଇ ନେଇଯିବା ପରେ କଲିକତାରେ ବିକ୍ରି କରି ଦିଆଯାଇଥିଲା । ଦେଢ଼ ବର୍ଷ ପରେ ପୁଲିସ୍‌ କଲିକତାରୁ ଉଦ୍ଧାର କରିଥିଲା । ଏଣୁ ଝିଅକୁ ନେଇ ପରିବାର ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି । ଏସ୍‌ପିଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ବିଭିନ୍ନ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଭେଟିଛନ୍ତି । ମାସେ ମଧ୍ୟରେ ଖୋଜି ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ପୁଲିସ ଆନ୍ତରିକତା ଦେଖାଉନଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସଦର ଏସଡିପିଓ ରମେଶ ଚନ୍ଦ୍ର ଦୋରା କହିଛନ୍ତି, ମାମଲା ରୁଜୁ ହେବା ପରେ ନାବାଳିକାଙ୍କୁ ଉଦ୍ଧାର ପାଇଁ ପୁଲିସ୍‌ ଟିମ୍‌ ସମସ୍ତ ପ୍ରକାର ଉଦ୍ୟମ କରିଛି । ଫୋନ ଟ୍ରାକିଂଠାରୁ ନେଇ ବାହାରକୁ ଟିମ୍‌ ଯାଇ ଖୋଜାଖୋଜି କରି ଫେରିଛନ୍ତି । ହେଲେ କୌଣସି ଖୋଜ୍‌ଖବର ମିଳିନାହିଁ । ତଥାପି ଉଦ୍ୟମ ଜାରି ରହିଛି ବୋଲି ଏସଡିପିଓ କହିଛନ୍ତି ।