ଭଦ୍ରକ, ୧୨/୮ : ଜନୈକା ନାବାଳିକା ଛାତ୍ରୀଙ୍କୁ ପ୍ରେମରେ ଫସାଇ ଦୁଷ୍କର୍ମ ଅଭିଯୋଗ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ନାବାଳକ ଛାତ୍ରକୁ ଗିରଫ କରାଯାଇଛି । ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଧୀନରେ ୧୪ବର୍ଷୀୟା ନାବାଳିକା ତାଙ୍କ ସମ୍ପର୍କୀୟଙ୍କ ଘରେ ରହି ପଢୁଥିଲେ । ଏହା ମଧ୍ୟରେ ସମ୍ପୃକ୍ତା ଛାତ୍ରୀଙ୍କର ଇନଷ୍ଟାଗ୍ରାମରେ ଆଇଟିଆଇ ପଢ଼ୁଥିବା ଧାମନଗର ଥାନା ଅଧୀନ ଅଞ୍ଚଳର ଜଣେ ୧୬ବର୍ଷୀୟ ନାବାଳକ ସହିତ ପରିଚୟ ସୃଷ୍ଟି ହୋଇଥିଲା । ଏହା କ୍ରମଶଃ ଘନିଷ୍ଠ ହୋଇଥିଲା । ଗୋଟିଏ ମାସ ପୂର୍ବେ ସମ୍ପୃକ୍ତା ଛାତ୍ରୀଙ୍କ ମା’ ତାଙ୍କ ଝିଅ ଅପହରଣ ହୋଇଥିବା ଧୂଷୁରୀ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ସେହିଦିନ ଝିଅ ଫେରି ଆସିଥିଲା । ନିକଟରେ ଛାତ୍ରୀଙ୍କ ଜଣେ ସମ୍ପର୍କୀୟଙ୍କ ମୋବାଇଲକୁ ତାଙ୍କର ଅଶ୍ଳୀଳ ଭିଡିଓ ଆସିଥିଲା । 

ଏହା ଦେଖି ପରିବାର ଲୋକେ ଝିଅକୁ ପଚାରିବାରୁ ତାର ଜଣେ ଛାତ୍ର ସହିତ ସମ୍ପର୍କ ଥିବା ଏବଂ ସେ ତାକୁ ନେଇଯାଇ ତା'ସହିତ ଅନୈତିକ ସମ୍ପର୍କ ସ୍ଥାପନ କରିଥିବା ସ୍ୱୀକାର କରିଥିଲା । ଏ ସମ୍ପର୍କରେ ଛାତ୍ରୀର ମା’ଦୁଇ ଦିନ ତଳେ ଧୂଷୁରୀ ଥାନାରେ ଏତଲା ଦେଇଥିଲେ ଏବଂ ଏହାକୁ ଭିତ୍ତି କରି ଧୂଷୁରୀ ଥାନାରେ କେଶ ନମ୍ବର ୩୭୮/୨୫ରେ ଏକ ମାମଲା ରୁଜୁ ହୋଇଥିଲା । ଆଇଆଇସି ଅଜୟ ସୁଦର୍ଶନ ବାଗେ ଏହାର ତଦନ୍ତ ଆରମ୍ଭ କରି ଆଜି ଅଭିଯୁକ୍ତ ନାବାଳକ ଛାତ୍ରକୁ ଗିରଫ କରିଥିଲେ । ସମ୍ପୃକ୍ତ ନାବାଳକକୁ ନେଇ ସାଇଣ୍ଟିଫିକ ଟିମ୍ ସହିତ ଦୁଷ୍କର୍ମ ହୋଇଥିବା ଘଟଣାସ୍ଥଳରେ ପୁଲିସ ତଦନ୍ତ କରିଛି । ଅଭିଯୁକ୍ତ ନାବାଳକକୁ ଅନୁଗୁଳସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଦୁଷ୍କର୍ମ ଶିକାର ନାବାଳିକାକୁ ତାର ପରିବାର ଜିମା ଦିଆଯାଇଥିବା ସୂଚନା ମିଳିଛି ।