ନୂଆଦିଲ୍ଲୀ : ମୀରଟ ଜିଲ୍ଲାର କଙ୍କାରଖେଡାର ଜଣେ ଦୁଷ୍କର୍ମ ପୀଡିତା ହୋଇଛନ୍ତି ମାଆ। ଶୁକ୍ରବାର ସକାଳେ ଜିଲ୍ଲା ହସ୍ପିଟାଲରେ ଏହି ୧୫ ବର୍ଷୀୟା ଝିଅ ଜଣଙ୍କ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଅଭିଯୁକ୍ତ ଜଣକ ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ବର୍ଷେ ଧରି ଦୁଷ୍କର୍ମ କରିଥିଲା। ପୀଡିତାଙ୍କ ପେଟରେ ଯନ୍ତ୍ରଣା ହେବା ପରେ ପରିବାର ଲୋକ ସେ ଗର୍ଭବତୀ ବୋଲି ଜାଣିବାକୁ ପାଇଲେ , ଏହା ପରେ ତାଙ୍କ ଗର୍ଭପାତ କରିବାକୁ ଚେଷ୍ଟା କରାଯାଇ ଥିଲା, କିନ୍ତୁ ଏହା ସଫଳ ହୋଇ ନଥିଲା। ଏହା ପରେ ଏକ ମାମଲା ରୁଜୁ କରାଯାଇ ଥିଲା। ପୁଲିସ ଅଭିଯୁକ୍ତ ସମେତ ଦୁଇ ଜଣଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି। ନାବାଳିକା ମାଆ ଓ ତାଙ୍କ ନବଜାତ ପୁଅର ସୁରକ୍ଷା ପାଇଁ ଜିଲ୍ଲା ହସ୍ପିଟାଲରେ ମହିଳା ପୁଲିସକର୍ମୀଙ୍କୁ ମୁତୟନ କରାଯାଇଛି। ଶିଶୁଟିକୁ ପରିବାର ଲୋକେ ରଖିବେ ନା ସିଡବ୍ଲୁସିକୁ ହସ୍ତାନ୍ତର କରାଯିବ, ଏହାକୁ ନେଇ ବର୍ତ୍ତମାନ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇ ନାହିଁ।

ଘଟଣାଟି ଏମିତି ଥିଲା :

ଅଭିଯୁକ୍ତ ସନ୍ଦୀପ କଙ୍କରଖେଡା ନିବାସୀ ଜଣେ ୧୫ ବର୍ଷୀୟା ନାବାଳିକାକୁ ପ୍ରେମ ଜାଲରେ ଫସାଇ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଯୌନ ଶୋଷଣ କରିଥିଲା। ସନ୍ଦୀପ ସ୍ଥାନୀୟ ଏକ ମଣ୍ଡପରେ ଜଣେ ୱେଟର ଥିଲା ଏବଂ ପ୍ରାୟତଃ ନାବାଳିକାଙ୍କୁ ସେହି ମଣ୍ଡପକୁ ନେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲା। କିଛି ଦିନ ପୂର୍ବେ ଝିଅଟି ଗର୍ଭବତୀ ଥିବାର, ପରିବାର ଲୋକେ ଜାଣିବାକୁ ପାଇଥିଲେ, ଯାହା ପରେ ଝିଅଟିର ମାଆ ତାଙ୍କୁ ନିଜ ସହିତ ଗୁରୁଗ୍ରାମ ନେଇ ସେଠାରେ ଗର୍ଭପାତ କରିବାକୁ ଚେଷ୍ଟା କରିଥିଲେ।କିନ୍ତୁ, ଡାକ୍ତରମାନେ ମନା କରିଦେଇଥିଲେ ଏବଂ କହିଥିଲେ ଯେ ଗର୍ଭପାତରେ ବିପଦ ଅଛି। ପାଞ୍ଚ ଦିନ ପୂର୍ବେ , ନାବାଳିକାଙ୍କ ମାଆ ଅଭିଯୁକ୍ତ ସନ୍ଦୀପ ଏବଂ ମଣ୍ଡପ ମାଲିକଙ୍କ ବିରୁଦ୍ଧରେ କାଙ୍କରଖେଡା ଥାନାରେ ଏକ ମାମଲା ରୁଜୁ କରିଥିଲେ।

POCSO ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ପୁଲିସ ସନ୍ଦୀପ ଏବଂ ମଣ୍ଡପ ମାଲିକଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି। ଏହି ସମୟରେ, ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ ଏବଂ ପ୍ରସବ ସମୟ ନିକଟ ହେବାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ଶୁକ୍ରବାର ସକାଳେ ଡଫରିନ୍ ହସ୍ପିଟାଲରେ ନାବାଳିକାଙ୍କ ଅସ୍ତ୍ରୋପଚାର କରାଯାଇ ପ୍ରସବ କରାଯାଇ ଥିଲା। ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ଏବଂ ନାବାଳିକାଙ୍କ ଅବସ୍ଥା ବିପଦମୁକ୍ତ ଥିବା ଜଣା ପଡିଛି। ବର୍ତ୍ତମାନ ଅନୁଧ୍ୟାନ ଓ ସୁରକ୍ଷା ପାଇଁ ମହିଳା ପୁଲିସକର୍ମୀଙ୍କୁ ନିୟୋଜିତ କରାଯାଇଛି।

ମୁଖ୍ୟ ଅଭିଯୁକ୍ତ ସନ୍ଦୀପର ଡିଏନଏ ସାମ୍ପଲ ପୂର୍ବରୁ ନିଆ ଯାଇ ସାରିଛି। ଏବେ ନବଜାତ ଶିଶୁର ମଧ୍ୟ ଡିଏନଏ ପରୀକ୍ଷା କରାଯିବ। ଡିଏନଏ ରିପୋର୍ଟ ଆଧାରରେ ଅଭିଯୁକ୍ତର ପରିଚୟ ସ୍ପଷ୍ଟ କରାଯିବ। ଉଭୟ ଅଭିଯୁକ୍ତ ଏବେ ଜେଲରେ ଅଛନ୍ତି।

ଆହୁରି ମଧ୍ୟ ପଢନ୍ତୁ : କାହାକୁ ନ ମିଳୁ ଏମିତି ସ୍ତ୍ରୀ ! ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ସବୁ କହିଦେଲେ ସ୍ବାମୀ