କେନ୍ଦ୍ରାପଡ଼ା,୨୨/୫ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି । ଗୁରୁବାର ଜଣେ ଚାଷୀ ନାବାଳକର ମୃତଦେହ ପାଳରେ ପଡ଼ିଥିବା ଦେଖିବା ପରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ପରେ ଗ୍ରାମବାସୀ ପରିବାର ଲୋକଙ୍କ ଖବର ଦେଇଥିଲେ । ମୃତ ନାବାଳକ ସାନମାଣତିଆ ଗ୍ରାମର ପ୍ରଦୀପ ମଲିକଙ୍କ ଏକମାତ୍ର ପୁଅ ପ୍ରେମ ପ୍ରସାଦ ମଲିକ(୧୬) ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ , ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ନିଜ ପରିବାର ସହ ରହୁଥିଲେ ପ୍ରେମ । ଗତକାଲି ମଧ୍ୟାହ୍ନ ୧ଟା ସମୟରେ କୌଣସି ଏକ ଫୋନ କଲ୍ ପାଇବାର କିଛି ସମୟ ପରେ ସାଙ୍ଗ ପାଖକୁ ଯାଉଛି କହି ପ୍ରେମ ଘରୁ ବାହାରି ଯାଇଥିଲେ।
ପରେ ବିଳମ୍ବିତ ରାତି ଯାଏଁ ପୁଅ ଘରକୁ ଫେରିନଥିଲେ । ମୋବାଇଲ ବନ୍ଦ ଥିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ଏ ନେଇ ମୃତକଙ୍କ ବାପା ପ୍ରଦୀପ ମଲିକ ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଥିଲେ। ଚଉଦକୁଲାଟ ଫାଣ୍ଡି ଅଧିକାରୀ ରଶ୍ମିରଞ୍ଜନ ଗ୍ରହାଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।