ନୂଆଦିଲ୍ଲୀ ୦୫/୧୦: ଉଦ୍ଭିଦବିଜ୍ଞାନୀମାନେ ୧୦୦୦ ବର୍ଷ ପୁରୁଣା ଏକ ମଞ୍ଜିରୁ ପ୍ରାଚୀନ କାଳରୁ ବିଲୁପ୍ତ ଏକ ବୃକ୍ଷ ପ୍ରଜାତିର ଚାରା ବଢ଼ାଇଛନ୍ତି । ମଞ୍ଜିଟି ୧୯୮୦ ଦଶକରେ ଜୁଡିନ୍‌  ମରୁଭୂମି ସ୍ଥିତ ଏକ ଗୁମ୍ଫାରେ ମିଳିଥିଲା । ଏହି  ପ୍ରୋଜେକ୍ଟରେ ସାମିଲ ଗବେଷକମାନେ କହିଛନ୍ତି,  ବିଲୁପ୍ତ ବୋଲି ବିଶ୍ୱାସ କରାଯାଉଥିବା ଏହି ବୃକ୍ଷ  ପ୍ରଜାତି ବାଇବେଲ ଓ ଅନ୍ୟ ପ୍ରାଚୀନ ଗ୍ରନ୍ଥରେ  ଉଲ୍ଲେଖ ହୋଇଥିବା ଚିକିତ୍ସା ଉପଚାରର ସ୍ରୋତ ହୋଇପାରେ । ଅଧ୍ୟୟନର ତଥ୍ୟ କମ୍ୟୁନିକେସନ୍ସ  ବାୟୋଲୋଜି ପତ୍ରିକାରେ ପ୍ରକାଶ ପାଇଛି ।  

ଜେରୁସେଲମ୍‌ର ଉତ୍ତରରେ ତଳିଆ ଏଲ-ମକ୍କୁକ  କ୍ଷେତ୍ରରେ ପ୍ରତ୍ନତତ୍ତ୍ୱବିତ୍‌ମାନଙ୍କ ଖନନ ସମୟରେ  ଏହି ମଞ୍ଜି ମିଳିଥିଲା । ଏହି ପ୍ରାଚୀନ ମଞ୍ଜିକୁ ସେହି  ସ୍ଥିତିରେ ରଖିବାକୁ ପ୍ରଥମେ ସ୍ଥିର କରାଯାଇଥିଲା ।  କିନ୍ତୁ ସଦ୍ୟ ଅଧ୍ୟୟନକର୍ତ୍ତା ମଞ୍ଜିରୁ ବୃକ୍ଷର ପ୍ରକାରକୁ  ଚିହ୍ନିପାରିଲେ ନାହିଁ । ତେଣୁ ଅଧ୍ୟୟନର ମୁଖ୍ୟ  ଜେରୁସେଲମ୍‌ର ହାଡାସା ୟୁନିଭର୍ସିଟି ମେଡିକାଲ  ସେଣ୍ଟର୍‌ ସ୍ଥିତ ଲୁଇସ୍‌ ଏଲ୍‌. ବୋରିକ୍‌ ନ୍ୟାଚୁରାଲ  ମେଡିସିନ୍‌ ରିସର୍ଚ୍ଚ ସେଣ୍ଟର୍‌ ପ୍ରତିଷ୍ଠାତା ଡା. ସାରା  ସାଲୋନ୍‌ ୧୨ରୁ ଅଧିକ ବର୍ଷ ତଳେ ପରବର୍ତ୍ତୀ ଯାଞ୍ଚ୍‌  ଲାଗି ମଞ୍ଜିଟିକୁ ମାଟିରେ ପୋତିଥିଲେ । ସାଲୋନ୍‌ଙ୍କ ଅନୁସାରେ, ଏହି ବୃକ୍ଷ ବାଇବେଲ  ‘ସୋରି’ର ସ୍ରୋତ ହୋଇପାରେ । ଏହା ଏକ  ଔଷଧୀୟ ଉଦ୍ଭିଦର ଅଂଶ, ଯାହା ବର୍ତ୍ତମାନ  ଜୋର୍ଡାନର ଅଂଶବିଶେଷ ଏକ ପାର୍ବତ୍ୟ ଓ ଜଙ୍ଗଲିଆ  ଅଞ୍ଚଳ ଜୋର୍ଡାନ ରିଫ୍ଟ ଭ୍ୟାଲିରେ ଥିବା ମୃତ ସମୁଦ୍ରର  ଉତ୍ତରରେ ଐତିହାସିକ ଗିଲିଡ୍‌ରେ ଥିଲା । ସାଲୋନ୍‌  ଏହାର ନାମ ଦେଇଥିଲେ ‘ଶେବା’ । ଏହି ବୌଦ୍ଧିକ  ନମୁନା ସମ୍ପର୍କିତ କିଛି ରହସ୍ୟର ଉନ୍ମୋଚନ କରିଥିବା  ଅଧ୍ୟୟନର ତଥ୍ୟ ବର୍ଣ୍ଣନା କରିଛି । 

ଏହି ମଞ୍ଜିକୁ ଅଙ୍କୁରିତ କରିବା ଲାଗି ଅନ୍ୟତମ  ଅଧ୍ୟୟନକର୍ତ୍ତା ଇଲେନ୍‌ ସୋଲୋୱି ଏକ ପ୍ରକ୍ରିୟା  ପ୍ରୟୋଗ କରିଥିଲେ, ଯାହାକୁ ପୂର୍ବ ଅଧ୍ୟୟନ  ସମୟରେ ସାଲୋନ୍‌ ୨ ହଜାର ବର୍ଷ ପୁରୁଣା  ଏକ ତାଳଗଛ ମଞ୍ଜିକୁ ଅଙ୍କୁରିତ କରିବା ଲାଗି  କରିଥିଲେ । ମଞ୍ଜିକୁ ମାଟିପୂର୍ଣ୍ଣ କୁଣ୍ଡରେ ପୋତିବା  ପୂର୍ବରୁ ସେଥିରେ ହରମୋନ୍‌ ଓ ଉର୍ବରକ  ମିଶାଇଥିଲେ । ପ୍ରାୟ ୫ ସପ୍ତାହରୁ ଅଧିକ  ଦିନ ପରେ ମଞ୍ଜି ଅଙ୍କୁରିତ ହୋଇଥିଲା ବୋଲି  ସାଲୋନ କହିଲେ । ଏହାର ବୟସ ଆକଳନ  ଲାଗି ରେଡିଓକାର୍ବନ ଡେଟିଂ କୌଶଳ ପ୍ରୟୋଗ  କରାଗଲା । ଏଥିରୁ ମଞ୍ଜିଟି ୯୯୩ରୁ ୧୨୦୨ ମସିହା  ମଧ୍ୟର ବୋଲି ଜଣାପଡ଼ିଲା । 

କିଛି ଦିନ ପରେ ଅଙ୍କୁରିତ ମଞ୍ଜିର ପତ୍ର ବାହାରିଲା ।  ଏହା ପରେ ସାଲୋନ ଏହି ଚାରାର ଫଟୋକୁ ବିଶ୍ୱର  ସମସ୍ତ ଉଦ୍ଭିଦବିଜ୍ଞାନୀଙ୍କ ସହ ଶେୟାର କଲେ । ଜଣେ  ବିଶେଷଜ୍ଞ ଏହାକୁ ଜିନିଅନ୍‌ କମିଫୋରା ପ୍ରଜାତି  ବୋଲି କହିଲେ । ସାଲୋନ ଏହି ଚାରାର ପତ୍ରରୁ ଏକ ନମୁନାକୁ ଅଧ୍ୟୟନର ସହ-ଲେଖକ ଆଣ୍ଡ୍ରିଆ ୱିକ୍ସଙ୍କୁ ଦେଲେ । ସେ ଭର୍ଜିନିଆ ସ୍ଥିତ ଫେୟାରଫାକ୍ସରେ ଜର୍ଜ ମାସନ୍‌ ୟୁନିଭର୍ସିଟିରେ ବାୟୋଲୋଜି ବିଭାଗରେ  ପ୍ରଫେସର ଅଛନ୍ତି । ୱିକ୍ସ ପ୍ରାରମ୍ଭିକ ଚିହ୍ନଟ ଲାଗି ଗଛର ଡିଏନ୍‌ଏର ଅନୁକ୍ରମଣ କଲେ । କିନ୍ତୁ ତାଙ୍କ  ଡାଟାବେସ୍‌ରେ ଥିବା ପରିଚିତ କୌଣସି କମିଫୋରା  ପ୍ରଜାତିର ସହ ତାହା ମ୍ୟାଚ୍‌ କଲା ନାହିଁ । ଅନନ୍ୟ ଜିନ୍‌ଗତ ନମୁନାରୁ ଅଧ୍ୟୟନକର୍ତ୍ତା ଅନୁମାନ  କଲେ ଯେ ଏହା ଜୁଡିନ୍‌ ମରୁଭୂମି ଆଖପାଖ ଅଞ୍ଚଳର  ଏକ ବିଲୁପ୍ତ ପ୍ରଜାତି ହୋଇପାରେ । ତେବେ, ଗଛର  ବୟସ ଏବେ ୧୪ ବର୍ଷରୁ ଅଧିକ ହେଲାଣି। ୧୦  ଫୁଟ ଉଚ୍ଚର ହୋଇଥିଲେ ବି ଏଥିରେ ଫୁଲ କିମ୍ବା  ଫଳ ଧରିନାହିଁ । ଏ ସମସ୍ତ ସହଜ ଚିହ୍ନିବାଯୋଗ୍ୟ  ବୈଶିଷ୍ଟ୍ୟ ବିନା ଏହି ରହସ୍ୟମୟ ପ୍ରଜାତିକୁ ଚିହ୍ନିବା  ସମ୍ଭବ ନୁହେଁ ବୋଲି ଅଧ୍ୟୟନ ସ୍ପଷ୍ଟ କରିଛି।