ବାଲିଶଙ୍କରା, ୦୩/୦୮: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଶନିବାର ଦିନ ନିଖୋଜ ହୋଇଥିବା ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ରବିବାର ସକାଳୁ ନିକଟସ୍ଥ ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ସହିତ ଜଡିତ ଥିବା ଅନୁମାନରେ ପୁଲିସ ୨ ଯୁବକଙ୍କୁ ଅଟକ କରି ପଚରାଉଚରା ଆରମ୍ଭ କରିଛି।
ନାବାଳିକାଙ୍କ ବାପାଙ୍କ କହିବାନୁସାରେ, ଝିଅ ନିଖୋଜ ହେବା ସମୟରେ ଜଣେ ଯୁବକ ନାବାଳିକାକୁ ବାଇକରେ ବସାଇ ଜଙ୍ଗଲ ଆଡ଼କୁ ନେଇଯାଉଥିବା ଦୃଶ୍ୟ କିଛି ଲୋକ ଦେଖି ତାଙ୍କ ବାପାକୁ ଜଣାଇଥିଲେ। କିନ୍ତୁ କିଛି ସମୟ ପରେ ଯୁବକ ଜଣକ ଏକା ଫେରିଥିଲେ ହେଁ ନାବାଳିକା ସମ୍ପର୍କରେ ପରିବାର ଲୋକଙ୍କୁ କୌଣସି ସୂଚନା ଦେଇନଥିଲେ। ଫଳରେ ନାବାଳିକାଙ୍କ ବାପା ମାଆ ଚିନ୍ତିତ ଅବସ୍ଥାରେ ରହି ଥିଲେ । ଆଜି ସକାଳେ ନାବାଳିକାଙ୍କ ଝୁଲିଥିବା ମୃତଦେହ ଜଙ୍ଗଲରୁ ମିଳିବା ପରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।