ମାଲକାନଗିରି/ଚିତ୍ରକୋଣ୍ଡା, ୭/୬ (ଆପ୍ର ): ବାଲିମେଳା ଜଳଭଣ୍ଡାରରେ ଡ଼ଙ୍ଗାବୁଡି ଘଟଣାରେ ନିଖୋଜ ବ୍ୟକ୍ତିର ୨୪ଘଣ୍ଟା ପରେ ମୃତ ଶରୀର ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ନାକାମାମୁଡି ପଞ୍ଚାୟତ ବାଟାଗୁଡା ଗ୍ରାମର ଶଙ୍କା ପଲାସୀ।
ଶୁକ୍ରବାର ମାଲକାନଗିରି ଜିଲ୍ଲା ନାକାମାମୁଡି ପଞ୍ଚାୟତ ବାଟାଗୁଡା ଗ୍ରାମ ର ଶଙ୍କା ପଲାସୀ (୩୬) ତାଙ୍କ ପତ୍ନୀ ଓ ସାନ ମା’ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ବାଭିମାନ ଅଞ୍ଚଳର ଓରାପଦର ଗ୍ରାମର ବନ୍ଧୁ ଘରକୁ ଯାଇ ଜଳଭଣ୍ଡାରରେ ହୁଲି ଡଙ୍ଗାରେ ନିଜ ଘରକୁ ଫେରୁଥିଲେ। ହଠାତ ଝଡ଼ ପଵନ ହେବାରୁ ଡଙ୍ଗାଟି ଦୋହଲି ଯାଇ ଟଳମଳ ହୋଇଥିଲା। ଭାରସାମ୍ୟ ହରାଇ ଶଙ୍କା ପଲାସୀ ଜଳଭଣ୍ଡାର ମଧ୍ୟକୁ ଖସିପଡ଼ି ନିଖୋଜ ଥିବା ବେଳେ ପତ୍ନୀ ଓ ସାନ ମା’ ଡ଼ଙ୍ଗାଟିକୁ ସମ୍ଭାଳି କାତ ମାରି କୂଳରେ ପହଁଚି ନିଜ ଜୀବନ ବଞ୍ଚାଇ ଥିଲେ। ଶଙ୍କା ବୁଡି ଯିବା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ପରେ ଶୁକ୍ରବାର ଠାରୁ ଗ୍ରାମ ବାସୀ ଓ ଅଗ୍ନିଶମ କର୍ମଚାରୀ ମାନେ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ କିଛି ପତ୍ତା ମିଳିନଥିଲା। ପୁଣି ଥରେ ଶନିବାର ଖୋଜିବାରୁ ବାକୁଲି ଘାଟର କିଛି ଦୂରରେ ଏକ ମୃତ ଶରୀର ଭାସୁଥିବାର ଦେଖି ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଶଙ୍କାର ମୃତ ଶରୀର ଉଦ୍ଧାର କରିଛନ୍ତି। ଏ ସମ୍ପର୍କ ରେ ଚିତ୍ରକୋଣ୍ଡା ଥାନାରେ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।